୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ : ୨ ଗିରଫ
ଭୁବନେଶ୍ୱର, ୦୪/୯ : କଲିକତାରୁ ସମ୍ବଲପୁର ସହରକୁ ଟ୍ରେନ ଯୋଗେ ଚାଲାଣ ହେଉଥିଲା ୧୨୦ ଗ୍ରାମ ସୁଗର । ମାଡ଼ିବସିଲା ଅବକାରୀ ବିଭାଗ । ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ସୁନାପାଲି ଅଞ୍ଚଳର ଏମଡି ନସୀମ ଓ ବିନୋଦ ସାମଲ । ସମ୍ୱଲପୁରର ୩୩ ନମ୍ୱର ୱାର୍ଡ ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ଯେଉଁ ଅଞ୍ଚଳକୁ ବ୍ରାଉନ ସୁଗର ଚାଲାଣ ହେବାର ଥିଲା, ସେହି ଅଞ୍ଚଳରେ ପୂର୍ବରୁ ପହଞ୍ଚି ଛକି ରହିଥିଲେ ଅବକାରୀ ବିଭାଗର ଅଧିକାରୀ । ବ୍ରାଉନ ସୁଗର ନେଇ ଆସୁଥିବା ଯୁବକ ମାନେ ଅନ୍ୟ ଏକ ଷ୍ଟେସନରେ ଓଲ୍ହାଇ ଏକ ଆକ୍ଟିଭା ଯୋଗେ ସୁନାପାଲି ଅଞ୍ଚଳକୁ ଯାଇଥିଲେ । ସେଠାରେ ପହଞ୍ଚିବା କ୍ଷଣି ଅବକାରୀ ବିଭାଗର କର୍ମଚାରୀ ମାନେ ମାଡି ବସିଥିଲେ । ଏହି ଚଢାଉରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ ।
ତେବେ ସେମାନଙ୍କ ନିକଟରୁ ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଜାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଅବକାରୀ ବିଭାଗ । ସେପଟେ ଏମଡି ନସୀମ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ଅବକାରି ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି l