୨୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ ନାକ୍ ଟିମ୍
ଭୁବନେଶ୍ୱର, ୦୪/୯ : ଆସନ୍ତା ୨୫ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ (ନାକ୍) ଟିମ୍ । ତିନି ଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍ ବିଶ୍ୱବିଦ୍ୟାଳୟର ସମସ୍ତ ଦିଗକୁ ଯାଞ୍ଚ କରିବେ । ଏନେଇ ଆଗୁଆ ଘନ ଘନ ବୈଠକ ବସୁଛି । ନାକ୍ ଟିମ୍ ଆଗରେ କିପରି ଭଲ ଭାବେ ବିଶ୍ୱବିଦ୍ୟାଳୟର ସମସ୍ତ ସଫଳତାକୁ ଉପସ୍ଥାପନ କରିବେ ତାକୁ ନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଉଛି ।
ଆସନ୍ତା ୨୫ ତାରିଖରେ ରମାଦେବୀ ଆସୁଥିବା ନାକ୍ ଟିମ୍ ୨୭ ତାରିଖ ପର୍ଯ୍ୟନ୍ତ ରହିବେ । କୁଳପତି ବିଶ୍ୱବିଦ୍ୟାଳୟ ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନ କରିବେ । ଏହାପରେ ଇଣ୍ଟରନାଲ୍ କ୍ୱାଲିଟି ସେଲ୍ (ଆଇକ୍ୟୁସି) ଉପସ୍ଥାପନା କରାଯିବ । ଅଧ୍ୟାପକ, ଛାତ୍ରୀଙ୍କ ସହ ନାକ୍ ସଦସ୍ୟମାନେ ଆଲୋଚନା କରିବେ ।
ପରିଦର୍ଶନ ସମୟରେ ହଷ୍ଟେଲ୍, ସ୍ପୋର୍ଟସ କାଉନ୍ସିଲ୍, ଗବେଷଣାଗାର, କ୍ରୀଡ଼ା ଭିତ୍ତିଭୂମି, କ୍ୟାଣ୍ଟିନ୍, ଗେଷ୍ଟହାଉସ୍, ଷ୍ଟାଡିୟମ୍ ଆଦିର ତଦାରଖ କରିବେ । ଆଲୁମିନି ଛାତ୍ରୀଙ୍କ ସହ ବୈଠକ କରିବେ । ଉଲ୍ଲେଖଯୋଗ୍ୟ, ରମାଦେବୀ ମହିଳା ମହାବିଦ୍ୟାଳୟ ଥିବା ସମୟରେ ଶେଷ ଥର ପାଇଁ ୨୦୧୪ରେ ନାକ୍ ପରିଦର୍ଶନ କରିଥିଲା । ଏହି ସମୟରେ କଲେଜକୁ ନାକ୍-ଏ ଗ୍ରେଡ୍ ମାନ୍ୟତା ମିଳିଥିଲା । ମାତ୍ର ୨୦୧୫ରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହା ପ୍ରଥମ ନାକ୍ ପରିଦର୍ଶନ । ମାତ୍ର ଏସବୁ ସତ୍ତେ୍ୱ ଅଧ୍ୟାପକ, ଗବେଷଣା ପେପର, ଭିତ୍ତିଭୂମି ସମସ୍ୟାକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ ।