Uncategorized

ଭାରତର ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ସନ୍ଦିଗ୍ଧ ଏମ୍‌ପକ୍ସ(ମଙ୍କିପକ୍ସ) ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଆଜି ସ୍ପଷ୍ଟ ହୋଇଛି। ହସ୍ପିଟାଲରେ ଏକାନ୍ତବାସରେ ରଖାଯାଇ ତାଙ୍କୁ ଚିକିତ୍ସିତ କରାଯାଉଛି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହା ଏକ ଭ୍ରମଣଜନିତ ସଂକ୍ରମଣ। ଲାବରେଟୋରି ପରୀକ୍ଷାରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌-୨ର ଏମ୍‌ପକ୍ସ ଷ୍ଟ୍ରେନ୍‌ର ଭୂତାଣୁ ରହିଥିବା ସୂଚନା ମିଳିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

୨୦୨୨ ଜୁଲାଇରୁ ଭାରତରେ ଏପ୍ରକାର ୩୦ଟି ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇଛି। ଆଶ୍ବାସନାର ବିଷୟ ହେଲା କ୍ଲାଡ-୧ ଏମ୍‌ପକ୍ସ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଯେଉଁ ଜରୁରୀକାଳୀନ ଜନସ୍ବାସ୍ଥ୍ୟ ସ୍ଥିତି ଜାରି କରିଛି ଏହା ସେହି ଷ୍ଟ୍ରେନ ନୁହେଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଏମ୍‌ପକ୍ସରେ ଆକ୍ରାନ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଯୁବକ। ନିକଟରେ ସେ ବିଦେଶ ଗସ୍ତ‌ କରିବା ସମୟରେ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଏକ ଡାକ୍ତରଖାନାରେ ଏକାନ୍ତବାସରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କଠାରେ କୌଣସି ଅସୁସ୍ଥତା କିମ୍ବା ପୂର୍ବରୁ କୌଣସି ପ୍ରକାର ଜଟିଳ ରୋଗ ନାହିଁ। ‌ବ୍ୟବସ୍ଥା ଅନୁସାରେ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଥିସହିତ ସଂସ୍ପର୍ଶ ଠାବ (କଣ୍ଟାକ୍ଟ ଟ୍ରେସିଂ) ଓ ଅନୁଧ୍ୟାନ କରାଯାଉଛି। ରୋଗ ଯେଭଳି ନବ୍ୟାପିବ ସେଥିପାଇଁ ସକ୍ରିୟ ପଦକ୍ଷେପ ନିଆଯାଇଛି। ଲୋକଙ୍କ ପ୍ରତି କୌଣସି ବିପଦ ନଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏମ୍‌ପକ୍ସକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ, ଲକ୍ଷଣ ଓ କାରଣ ସଂପର୍କରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଉପଦେଶାବଳି ଜାରି ହୋଇଛି। ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରାଙ୍କ ପକ୍ଷରୁ ଜାରି ଉପଦେଶାବଳିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୂତନ ସଂକ୍ରମଣ ନେଇ ସତର୍କ ରହିବା, ପରୀକ୍ଷା ପାଇଁ କାର୍ଯ୍ୟକ୍ଷମ ପରୀକ୍ଷାଗାରଗୁଡ଼ିକର ତାଲିକା କରିବା, କ୍ଲିନିକାଲ ପରିଚାଳନା ପ୍ରୋଟୋକଲ୍ ପାଳନ କରିବା, ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ଅଭ୍ୟାସ ଆଦି ଉପରେ ପରାମର୍ଶ ରହିଛି।

ବିଶେଷ କରି ରାଜ୍ୟ ଓ ଜିଲ୍ଲାରେ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବା, ଉଭୟ ସନ୍ଦିଗ୍ଧ ଓ ନିଶ୍ଚିତ ମାମଲାର ଯତ୍ନ ନେବା ପାଇଁ ଡାକ୍ତରଖାନାରେ ଆଇସୋଲେସନ ସୁବିଧା ଚିହ୍ନଟ କରିବା, ଆବଶ୍ୟକ ଲଜିଷ୍ଟିକ୍ ଓ ତାଲିମପ୍ରାପ୍ତ ମାନବ ସମ୍ବଳର ଉପଲବ୍ଧତା ତଥା ସଂପ୍ରସାରଣ ଯୋଜନାର ସମୀକ୍ଷା କରିବାକୁ ଚନ୍ଦ୍ରା ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଗଦର୍ଶିକା ଅନୁଯାୟୀ, ଏମ୍‌ପକ୍ସ ମୁଖ୍ୟତଃ ୩୪ ବର୍ଷ ବୟସ ପର୍ଯ୍ୟନ୍ତ ଯୁବକମାନଙ୍କୁ ପ୍ରଭାବିତ କରିଥାଏ। ଏହା ଯୌନ ସଂସର୍ଗ ଦ୍ବାରା ସହଜରେ ସଂକ୍ରମଣ ହୋଇଥାଏ ଏବଂ ପରେ ଅଣ-ଯୌନ ସମ୍ପର୍କ ଦ୍ବାରା ବି ସଂକ୍ରମିତ ହୁଏ। ସାଧାରଣ ଲକ୍ଷଣ ମଧ୍ୟରେ ଦେହଯାକ ଫଳିଯିବା ଓ ଜ୍ୱର ଅନ୍ତର୍ଭୁକ୍ତ। ଚନ୍ଦ୍ରା ଆହୁରି କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକାରେ ଉଲ୍ଲେଖ କରିଛି ଯେ ଭାରତରେ ବର୍ତ୍ତମାନର ଏମ୍‌ପକ୍ସର ବ୍ୟାପକ ସଂକ୍ରମଣର ଆଶଙ୍କା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button