ରାଜ୍ୟ

ପିଏମ୍‌-କିଷାନ ମାନଧନ ଯୋଜନାକୁ ୫ ବର୍ଷ: ଓଡ଼ିଶାର ୧.୫୭ ଲକ୍ଷ ଚାଷୀ ପଞ୍ଜୀକୃତ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା କାର୍ଯ୍ୟକାରୀ ହେବାର ପାଞ୍ଚ ବର୍ଷ ପୂରଣ ହୋଇଛି। ଏହି ସମୟ ଭିତରେ ଓଡ଼ିଶାର ୧,୫୭,୨୦୮ ଜଣ ଚାଷୀ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମାସିକ ୩୦୦୦ ଟଙ୍କାର ନିଶ୍ଚିତ ପେନ୍ସନ୍ ପ୍ରଦାନ କରିବା ଲାଗି ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ପିଏମ୍-କିଷାନ ମାନଧନ ଯୋଜନାରେ ସାରା ଦେଶରେ ୨୩.୩୮ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିରେ ପ୍ରଥମ ତିନିଟି ସ୍ଥାନରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ରହିଛନ୍ତି। ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ବିହାରର ୩୪୪୮୮୧, ଝାଡ଼ଖଣ୍ଡର ୨୫୩୨୦୨, ଉତ୍ତରପ୍ରଦେଶର ୨୫୧୮୯୦, ଛତିଶଗଡ଼ର ୨୦୨୭୨୩, ଜମ୍ମୁ ଓ କାଶ୍ମୀରର ୧୨୬୫୭୧, ମଧ୍ୟପ୍ରଦେଶର ୧୧୭୨୩୬, ତାମିଲନାଡ଼ୁର ୧୧୦୫୮୯, ମହାରାଷ୍ଟ୍ରର ୮୦୧୯୬ ଓ ହରିୟାଣାର ୬୭୮୫୮ ଚାଷୀ ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।

ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ୧୮ ବର୍ଷରୁ ୪୦ ବର୍ଷ ବସୟ ମଧ୍ୟରେ ପ୍ରବେଶ କରିପାରିବେ। ୬୦ ବର୍ଷ ପରେ ନିଶ୍ଚିତ ପେନ୍ସନ୍ ପ୍ରଦାନ କରାଯିବ। ୧୮ ବର୍ଷ ବୟସରେ ପ୍ରବେଶ କଲେ ମାସିକ ୧୧୦ ଟଙ୍କା ଯୋଗଦାନ ଦେବାକୁ ପଡ଼ିବ। ସେଥିରୁ ଚାଷୀ ନିଜେ ୫୫ ଟଙ୍କା ଓ ସରକାର ଅବଶିଷ୍ଟ ୫୫ ଟଙ୍କା ଦେବେ। ୪୦ ବର୍ଷରେ ଏହି ଯୋଜନାରେ ପ୍ରବେଶ କଲେ ୪୦୦ ଟଙ୍କାର ଯୋଗଦାନ ରାଶି ଦେବାକୁ ପଡ଼ିବ। ସେଥରୁ ୨୦୦ ଟଙ୍କା ଚାଷୀ ଓ ଅବଶିଷ୍ଟ ୨୦୦ ଟଙ୍କା ସରକାର ଦେବେ। ବିଭିନ୍ନ ବୟସ ବର୍ଗର ଲାଗି ଯୋଗଦାନ ରାଶି ପରିମାଣ ଭିନ୍ନ ଭିନ୍ନ ରହିଛି। ତେବେ ମୋଟ ଯୋଗଦାନ ରାଶି ୧୧୦ ଟଙ୍କାରୁ ୪୦୦ ଟଙ୍କା ମଧ୍ୟରେ ରହିଛି। ଏହି ଯୋଜନାର ଅନ୍ୟତମ ଲାଭଗୁଡ଼ିକ ହେଉଛି ଏଥିରେ ଫାମିଲି ପେନ୍ସନ୍ ସୁବିଧା ରହିଛି। ପିଏମ୍-କିଷାନର ଲାଭ ମଧ୍ୟ ପଞ୍ଜୀକୃତ ଚାଷୀମାନଙ୍କୁ ମିଳୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button