ରାଜ୍ୟ

ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ଓଡ଼ିଶା, ୧୯ ଜିଲ୍ଲାକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁବନେଶ୍ୱର : ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୯ ଜିଲ୍ଲାକୁ ସମ୍ମାନିତ କରିଛନ୍ତି । ଏହି ଜିଲ୍ଲାଗୁଡ଼ିକ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡରେକର୍ଡ ଆଧୁନିକୀକରଣ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଗତ ଜୁଲାଇ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭୂମି ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ । ଏହାସହ ଜମିଜମା ଦସ୍ତାବିଜର କମ୍ପୁଟରୀକରଣ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ମଧ୍ୟ ମାନ୍ୟତା ପାଇଥିଲା । ଏହି ଜିଲ୍ଲାଗୁଡ଼ିକ ହେଲେ, ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର। ଏହି ଜିଲ୍ଲାଗୁଡ଼ିକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଲୋକସେବା ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ଟ୍ରଫି ଓ ସମ୍ମାନପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଥିଲେ ଯେ ଦେଶର ସମୁଦାୟ ୬୮ ଜିଲ୍ଲାକୁ ଏହି ସମ୍ମାନସ୍ପଦ ପୁରସ୍କାର ମିଳିଥିବା ବେଳେ ତନ୍ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା ସାମିଲ ରହିଛନ୍ତି । ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍‌ କରାଯିବ । ୫-ଟି ଉପକ୍ରମରେ ବ୍ୟବସ୍ଥାର ସଫଳ ପରିଚାଳନା ସହ ମୋ ସରକାରର ଉଦ୍ଦେଶ୍ୟକୁ ସଠିକ ଭାବେ କାର୍ଯ୍ୟକ୍ଷମ କରାଯାଇପାରିଛି । ଯାହା ଫଳରେ ସାରା ଦେଶରେ ଓଡ଼ିଶା ଜମିଜମା ଦସ୍ତାବିଜର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟବାସୀମାନେ ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନ୍‌ର ସୁବିଧା ଯେକୌଣସି ସମୟରେ ଯକୌଣସି ସ୍ଥାନରେ ଉଠାଇପାରୁଛନ୍ତି । ସେହିଭଳି ଜମିଜମା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟକ୍ଷମ ଥିବା ରେଭିନ୍ୟୁ ଟାକ୍ସଫୋର୍ସ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ ସମ୍ପାଦନ କରୁଛି । ଯୋଜନାର କାର୍ଯ୍ୟନ୍ୱୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ଯୋଜନାକୁ ଆରମ୍ଭ କରିବା ନିହାତି ପକ୍ଷେ ଗୁରୁତ୍ୱପୂର୍ଣ୍ଣ ମାତ୍ର ତାହାର ସଫଳ ରୂପାୟନ କରି ଶତ ପ୍ରତିଶତ ସଫଳ କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ‘ମୋ’ ସରକାର ସମସ୍ତ ଯୋଜନାକୁ ଏକ ତାର୍କିକ ଉପସଂହାର ପର୍ଯ୍ୟନ୍ତ ନେବାରେ ବିଶ୍ୱାସ କରେ ।

ଓଡ଼ିଶାବାସୀଙ୍କର ଇଚ୍ଛା ଓ ମହତାକାଂକ୍ଷା ସଦାସର୍ବଦା ମୋର ପ୍ରାଥମିକତା ଅଟେ । ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସମସ୍ୟାକୁ କେନ୍ଦ୍ର କରି ରାଜ୍ୟରେ ଯୋଜନାଗୁଡ଼ିକୁ ଲାଗୁ କରାଯାଇ ତାହାକୁ ସଫଳତାର ଶୀର୍ଷକୁ ନିଆଯାଉଛି । ଏହିକ୍ରମରେ ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍‌ କ୍ଷେତ୍ରରେ ଆମେ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ନିଜକୁ ଉପସ୍ଥାପିତ କରିପାରିଛୁ । ରାଜ୍ୟର ପ୍ରଶାସନିକ ଅଧିକାରୀ ତଥା ସରକାରୀ ବ୍ୟବସ୍ଥାରେ କାର୍ଯ୍ୟରତ ଅଧିକାରୀମାନେ ସାଢେ଼ ୪ କୋଟି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଓଡ଼ିଶା ଜମିଜମା ଦସ୍ତାବିଜର ଡିଜିଟାଇଜେସନର ବିଭିନ୍ନ ଶ୍ରେଣୀରେ ଓଡ଼ିଶା ଶତପ୍ରତିଶତ ପ୍ରଦର୍ଶନ କରିଛି । ସରକାରୀ ଅଧିକାରୀମାନେ ନିଷ୍ଠାପର ଭାବେ ଦାୟିତ୍ୱ ସମ୍ପାଦନ କରିଥିବା ହେତୁ ରାଜ୍ୟକୁ ଏହି ଉଲ୍ଲେଖନୀୟ ସଫଳତା ମିଳିପାରିଛି ।

ସେହିଭଳି ରାଜସ୍ୱ ପ୍ରଶାସନର ସଫଳତା ଉପରେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ର ଓ ଶିଳ୍ପ ପ୍ରକଳ୍ପର ବିକାଶ ନିର୍ଭରଶୀଳ । ଜମିଜମା ଦସ୍ତାବିଜର ସଫଳ ପରିଚାଳନା ତଥା ଡିଜିଟାଇଜେସନ ଫଳରେ କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପର ତ୍ୱରାନ୍ୱିତ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାପାଳ ଜମିଜମା ଦସ୍ତାବିଜର ଡିଜିଟାଇଜେସନ୍‌ ପ୍ରକ୍ରିୟା ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ । ଜିଲ୍ଲାପାଳମାନେ ୫-ଟି ଉପକ୍ରମରେ କାର୍ଯ୍ୟ ସମ୍ପାଦନ କରିଥିବା ନେଇ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜସ୍ୱ ଆଇଜି ଜ୍ୟୋତିପ୍ରକାଶ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button