ରାଜ୍ୟ

ଗଣେଶ ପୂଜାରେ ଭାଗବତ ଚର୍ଚ୍ଚା, କୁନି ପ୍ରବଚକଙ୍କ ଭାଗବତ କଥା ଶୁଣିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଣେଶ ପୂଜା ଠାରୁ ଆରମ୍ଭ ହୋଇଛି ପାର୍ବଣର ଋତୁ । ଏହି ଦିନଠାରୁ ହିନ୍ଦୁ ଦେବାଦେବୀମାନଙ୍କ ପୂଜା ଆରମ୍ଭ ହୋଇ କାଳୀ ପୂଜାରେ ସମାପ୍ତ ହୋଇଥାଏ । ଗଣେଶ ଚତୁର୍ଥି ବା ଗଣେଶ ପୂଜା ଆଜିକାଲି ଗାଁ ଠାରୁ ସହର ସବୁଠାରେ ମହାଆଡମ୍ବରରେ ପାଳିତ ହେଉଛି । ଆଜିକାଲିର ଯୁବପିଢିମାନେ ଗଜାନନଙ୍କ ପୂଜା ସହିତ ବିଭିନ୍ନ ନାଚ ଗୀତର କାର୍ଯ୍ୟକ୍ରମ ଏବଂ ତା’ ସହିତ ଭସାଣିର ଡିଜେ ସାଙ୍ଗକୁ ନାଚ ପୂଜା ତାଲିକାରେ ରହିବା ନିଶ୍ଚିନ୍ତ ।

ତା’ ନ ହେଲେ ସତେ ଯେମିତି ପୂଜା ଅଧୁରା ରହିଯାଏ । ଏହି ବିଦେଶୀ ପରମ୍ପରା ଏବେ ଆମ ଭକ୍ତି ଭାବନାକୁ କଳୁଷିତ କରିସାରିଲାଣି ।

କିନ୍ତୁ ଅସ୍ତରଙ୍ଗ ନିକଟ ଓସ୍ତପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅନନ୍ୟ ପରମ୍ପରା । ଏହି ଗ୍ରାମର ବାସୁଦେବ ୟୁଥ କ୍ଲବର କର୍ମକର୍ତାମାନେ ଗଜାନନଙ୍କ ପୂଜା ସହିତ ଓଡିଆ ଜାତିର ପାରମ୍ପରିକ ଭାଗବତ ଚର୍ଚ୍ଚା ପ୍ରବଚନ ଆୟୋଜନ କରିଛନ୍ତି । ଧୀରେ ଧୀରେ ଆମ ଯୁବପିଢିମାନେ ଆଧ୍ୟାତ୍ମିକ ଠାରୁ ଦୂରେଇଯାଇ ଆଧୁନିକତାର ଛାପରେ ପଥଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ଏହି ଯୁବକ ସଂଘ ଭାଗବତ ପ୍ରବଚନ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଆଶାରେ କୁନି ପ୍ରବଚକ କେଶବ ଦାସ ଦିତିକୃଷ୍ଣଙ୍କୁ ନିଜ ଗ୍ରାମକୁ ଆମନ୍ତ୍ରଣ କରି ଭାଗବତ କଥା ଆୟୋଜନ କରିଛନ୍ତି ।

ଗ୍ରାମବାସୀମାନେ କୁନି ପ୍ରବଚକଙ୍କ ପାଦ ଧୋଇ ନିଜ ଗାଁକୁ ପାଛୋଟି ନେଇଥିଲେ । ଏହାପରେ କୁନି ପ୍ରବଚକ ଉପସ୍ଥିତ ଗ୍ରାମବାସୀଙ୍କୁ ଭାଗବତ କଥା ପ୍ରବଚନ ମାଧ୍ୟମରେ ଶୁଣାଇଥିଲେ । ଓସ୍ତପୁର ଗ୍ରାମବାସୀଙ୍କ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନରେ ସମସ୍ତ ଗ୍ରାମବାସୀ ସାମିଲ ହେବା ସହିତ ଓଡ଼ିଶାର ପାରମ୍ପରିକ ଭାଗବତ ଚର୍ଚ୍ଚାକୁ ଆବାଳ ବୃଦ୍ଧ ବନିତା ଶ୍ରଦ୍ଧାର ସହକାରେ ଶୁଣୁଥିବାର ଦେଖିବାକୁ ମିଳିଥିଲା । ଭାଗବତ କଥା ମାଧ୍ୟମରେ ଆଧ୍ୟାତ୍ମିକ ଚେତନା ଅଭିବୃଦ୍ଧି ହେବାସହ ଏକ ସୁସ୍ଥ ସମାଜ ଗଠନ ହେବାର ପ୍ରେରଣା ମିଳିଥାଏ ।

ଅନେକ ଗ୍ରାମରେ ପୂଜା ପର୍ବାଣିରେ ମେଲୋଡି, ଡ୍ରାମା ଆଦି ଆଧୁନିକ ନାଚ ଗୀତର ଆସର ଦେଖିବାକୁ ମିଳୁଥିବା ବେଳେ ଏହି ଗ୍ରାମର ଯୁବକ ମାନେ ପ୍ରବଚନ ମାଧ୍ୟମରେ ଭାଗବତ କଥାମୃତ କାର୍ଯ୍ୟକ୍ରମ ଆୟୋଜନରେ କରିଥିଲେ । ଏହି ଯୁବକମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ଚେତନା ପରିବେଷଣ କରି ନିଜ ଗ୍ରାମରେ ଈଶ୍ବର ଭକ୍ତି ଜାଗ୍ରତ କରିବାର ପ୍ରୟାସକୁ ଲୋକମାନେ ସ୍ୱାଗତ କରିବା ସହିତ ପ୍ରସଂଶା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button