ରାଜ୍ୟ

ମନ୍ତ୍ରୀଙ୍କ ଘର ଆଗରେ ଯୁବକର ଆତ୍ମହତ୍ୟା: ବାପାଙ୍କୁ ଲେଖିଥିବା ଚିଠି ବ୍ୟାଗ୍‌ରୁ ମିଳିଲା

ଭୁବନେଶ୍ବର: ଘର କଟକ ଜିଲ୍ଲା ମାହାଙ୍ଗା ଜଳେଶ୍ବରପୁର। ମୋଚି କାମ କରୁଥିଲା ଯାଜପୁରରେ। ୬ ମାସ ତଳେ ଭୁବନେଶ୍ବର ଆସି ମିସ୍ତ୍ରୀ କାମ କରୁଥିଲା। ୩ଟା ବ୍ୟାଙ୍କ୍‌ ଆକାଉଣ୍ଟରେ ୫୦ ହଜାର ଟଙ୍କା ବି ଅଛି। ହେଲେ ଆଜି ସକାଳେ ଖାରବେଳନଗର ଥାନା ସମ୍ମୁଖ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସରକାରୀ କ୍ବାର୍ଟର୍ସ ସାମ୍ନା ଜନପଥ କଡ଼ରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଉଛନ୍ତି, ଚିତ୍ତରଞ୍ଜନ ମହାରଣା। ତାଙ୍କ ପାଖରୁ ଏକ ହାତଲେଖା ଚିଠି ମଧ୍ୟ ଜବତ ହୋଇଛି। ଖାରବେଳ ନଗର ଥାନା ପୁଲିସ ମୃତଦେହ ଜବତ କରିବା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି। ପାଟିରେ କପଡ଼ା ଭର୍ତ୍ତି କରାଯାଇଥିବାରୁ ସେ ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରାଗଲା ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

୩ ବ୍ୟାଙ୍କ ଆକାଉଣ୍ଟ୍‌ରେ ଅଛି ୫୦ ହଜାର
ବାପାଙ୍କୁ ଲେଖିଥିବା ଚିଠି ବ୍ୟାଗ୍‌ରୁ ମିଳିଲା

ପୁଲିସ ସୂଚନା ମୁତାବକ, ଯୁବକଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ପାଟିରେ ଏକ କପଡ଼ା ଭର୍ତ୍ତି ହେବା ସହ ପାଖରୁ ଏକ ବ୍ୟାଗ‌୍ ମିଳିଛି। ଏଥିରେ ଏକ ହାତ ଲେଖା ଚିଠି ଜବତ କରାଯାଇଛି। ଚିଠି ସେ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ୩ଟି ଆକାଉଣ୍ଟରେ ୫୦ ହଜାର ଟଙ୍କା ଅଛି ଓ ଏହାକୁ ଉଠାଇ ନେବା ପାଇଁ ବାପାଙ୍କୁ ଲେଖିଛନ୍ତି। ଏହି ସବୁ ଆକାଉଣ୍ଟ ମାହାଙ୍ଗା ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ୍‌ରେ ରହିଛି। ପରିବାର‌ ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ମୃତ ଚିତ୍ତରଞ୍ଜନ ମିସ୍ତ୍ରୀ ଭାବେ କାମ କରୁଥିଲେ। ୫ ବର୍ଷ ହେବ ସେ ଘର ଛାଡ଼ି ବାହାରେ ରହୁଥିଲେ। ୬ ମାସ ହେବ ସେ ଘର ସହ ସମ୍ପର୍କରେ ନଥିଲେ। ୬ ମାସ ତଳେ ବାପା ତାଙ୍କୁ ଛତିଆ ଅଞ୍ଚଳରେ ମୋଚି କାମ କରୁଥିବା ଦେଖିବା ପରେ ଘରକୁ ଫେରି ଯିବା ପାଇଁ କହିଥିଲେ। କିନ୍ତୁ ସେ ନ ଯାଇ ଭୁବନେଶ୍ୱର ଚାଲି ଆସି ମିସ୍ତ୍ରୀ କାମ କରୁଥିଲେ। ଷ୍ଟେସନ, ବସ୍‌ଷ୍ଟାଣ୍ଡ, ଫୁଟ୍‌ପାଥ୍‌ ଓ ଓଭରବ୍ରିଜ୍‌ ତଳେ ଶୋଉଥିଲେ। ପରିବାର ସହ କଣ ମତାନ୍ତର ଥିଲା ତାହା ଜଣାପଡ଼ିନାହିଁ। ମାନସିକ ଅବସାଦରୁ ସେ ଆତ୍ମହତ୍ୟ‌ା କରିଥିବ‌ା ପୁଲିସ କହିଛି। ତେବେ ଅନ୍ୟାନ୍ୟ କାରଣ ପାଇଁ ପୁଲିସ ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button