ରାଜ୍ୟ

ମହାନଗର ଜାନୁଆରି ୭ରେ ଉଦ୍‌ଘାଟନ: ଆନନ୍ଦବନରେ ନଈର ମଜା

ଖଣ୍ଡଗିରି: କଳିଙ୍ଗନଗର ଆନନ୍ଦବନରେ ପର୍ଯ୍ୟଟକ ନଈର ମଜା ନେବେ। ଏହି ନଈର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କୃତ୍ରିମ ନଈକୁ ଯଥାସମ୍ଭବ ପ୍ରାକୃତିକ ରୂପ ଦେବାପାଇଁ ଉଦ୍ୟମ କରାଯାଉଛି। ଘଞ୍ଚଜଙ୍ଗଲ ମଝିରେ ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ନଈ ଜାନୁଆରି ୭ ତାରିଖରେ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। କେ-୩ ସ୍ଥିତ ୯୦ ଏକର ପରିମିତ ଜମିରେ ରହିଥିବା ଆନନ୍ଦବନ‌ର ପ୍ରାକୃତିକ ପରିବେଶରେ କୃତ୍ରିମ ନଈର ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ନଈ କୂଳରେ ନାନା ରକମର ଫୁଲଗଛ ଲାଗୁଛି। ନଈକୂଳରେ ପର୍ଯ୍ୟଟକମାନେ ବସିବା ବେଳେ ଏହି ଫୁଲର ସୁଗନ୍ଧ ତାଙ୍କୁ ପ୍ରାକୃତିକ ପରିବେଶର ଅନୁଭୂତି ଦେବ। ଏଥିସହ ପ୍ରାତଃଭ୍ରମଣକାରୀଙ୍କ ମନକୁ ସତେଜ ଓ ପ୍ରଫୁଲ୍ଲ ରଖିବାରେ ସହାୟକ ହେବ। ରାଜଧାନୀରେ ନନ୍ଦନକାନନ, ଏକାମ୍ରକାନନ ଓ ଜୟଦେବ ବାଟିକା ଭଳି ଜଙ୍ଗଲ ମଧ୍ୟରେ ଜଳାଶୟ ରହିଛି। ଏବେ ଆନନ୍ଦବନରେ ଏଭଳି ବ୍ୟବସ୍ଥା ହେବାକୁ ଯାଉଛି। ପ୍ରାକୃତିକ ପରିବେଶ ଭିତରେ ଏହି ନଈ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ବଢ଼ୁଛନ୍ତି ପର୍ଯ୍ୟଟକ
ଆନନ୍ଦବନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି (ରବିବାର)୧୨ଶହ ପର୍ଯ୍ୟଟକ ଆସିଥିବା ବେଳେ ପ୍ରତ୍ୟହ ୩ଶହରୁ ୪ଶହ ପର୍ଯ୍ୟଟକ ଆସୁଛନ୍ତି। ବର୍ତ୍ତମାନ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୫ଟଙ୍କା ରହିଛି। କେବଳ ଅନ୍‌ଲାଇନ୍‌ (କ୍ୟୁଆର୍ କୋଡ୍‌ ସ୍କାନ୍)ରେ ଦେୟ ଦେବା ବ୍ୟବସ୍ଥା ରହିଛି। ବରିଷ୍ଠ ନାଗରିକ ତଥା ମୋବାଇଲ୍‌ ନଥିବା ବ୍ୟକ୍ତି ଏହା ଭିତରକୁ ପ୍ରବେଶ କରିବାକୁ ସୁଯୋଗ ପାଉନାହାନ୍ତି। ଏଣୁ ନଗଦ ବ୍ୟବସ୍ଥା ହେଲେ ପର୍ଯ୍ୟଟକ ଆହୁରି ବଢ଼ିବେ ବା ଅନେକଙ୍କୁ ସୁଯୋଗ ମିଳିବ ବୋଲି କେତେକ ବରିଷ୍ଠ ନାଗରିକ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଆନନ୍ଦବନ ସକାଳ ୫.୩୦ରୁ ପୂର୍ବାହ୍ନ ୧୧ଟା ଓ ଅପରାହ୍ଣ ୩ରୁ ୫ଟା ୩୦ ପର୍ଯ୍ୟନ୍ତ ଖୋଲାରହୁଛି। ମାସକୁ ପ୍ରବେଶ ଶୁଳ୍କ ୧୦୦ ଟଙ୍କା, ୬ମାସ ପାଇଁ ୫୦୦ ଓ ବର୍ଷକ ପାଇଁ ୧,୦୦୦ ଟଙ୍କା ରହିଛି।

ପ୍ରାୟ ୪ମାସ ତଳୁ ଏହି ନଈର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଦିନ ତଳେ ବିଭିନ୍ନ ଟ୍ରକ୍‌ ସଂଘର ଆନ୍ଦୋଳନ ଯୋଗୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା। କିନ୍ତୁ ଏବେ କାମ ପୁନର୍ବାର ତ୍ବରାନ୍ବିତ ହୋଇଛି। ଏଠାରେ ୫୦ରୁ ୬୦ଜଣ ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଖୁବ୍‌ଶୀଘ୍ର ନଈର ନିର୍ମାଣ ଶେଷ ହେବ ବୋଲି ସୂଚନା ମିଳିଛି। ଏହା ଆନନ୍ଦବନର ମୁଖ୍ୟ ଫାଟକର କିଛି ଦୂରରୁ ଆରମ୍ଭ ହୋଇ ଫୁଲ ବଗିଚା, ସଂରକ୍ଷିତ ଜଙ୍ଗଲ ଓ କାଠପୋଲ ଦେଇ ମୁଖ୍ୟ ପୋଖରୀକୁ ସଂଯୋଗ କରିବ। ଏଥିରେ ଜଳସ୍ତରକୁ ସବୁ ସମୟରେ ସମାନ ରଖାଯିବ। ଅର୍ଥାତ୍‌ ନଈ କେବେ ଶୁଖିବ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button