ବାତ୍ୟା ସରିଲା, ବିପତ୍ତି ବଢ଼ିଲା

କେନ୍ଦୁଝର: ବାତ୍ୟା ‘ଦାନା’ ଯିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଅତ୍ୟଧିକ ପବନ ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ଧାନଫସଲ ଶୋଇ ପଡ଼ିଥିବା ବେଳେ ୪ ଶହ ହେକ୍ଟରରୁ ଅଧିକ ଜମିରେ ଧାନଗଛ ସଂପୂର୍ଣ୍ଣ ବୁଡ଼ିରହିଛି। ଆଜି ଦିନସାରା ବର୍ଷା ଲାଗି ରହିଥିବାରୁ ଆଗକୁ ଏହି ସ୍ଥିତି ଆହୁରି ସଂଗିନ୍ ହେବାର ଆଶଙ୍କା ଉପୁଜିଛି।
ବାତ୍ୟା ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ୩୫୭.୮ ମିଲିମିଟର ବର୍ଷା ହୋଇଛି।
ଆଜି ଘସିପୁରା ବ୍ଲକ୍ରେ ସର୍ବାଧିକ ୯୪.୭ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ସଦରରେ ୧୩.୬ ମିମି, ବାଂଶପାଳରେ ୧୦.୧ ମିମି, ତେଲକୋଇରେ ୩.୮ ମିମି, ପାଟଣାରେ ୮.୬ ମିମି, ସାହାରପଡ଼ାରେ ୧୩.୪ ମିମି, ଘଟଗାଁରେ ୩୪.୭ ମିମି, ହରିଚନ୍ଦନପୁରରେ ୯ ମିମି, ଆନନ୍ଦପୁରରେ ୭୭.୫ ମିମି, ଚମ୍ପୁଆରେ ୪.୩ ମିମି, ହାଟଡ଼ିହିରେ ୭୫.୪ ମିମି, ଝୁମ୍ପୁରାରେ ୫.୨ ମିମି ଓ ଯୋଡ଼ାରେ ୭.୫ ମିମି ବର୍ଷା ହୋଇଛି। ବର୍ଷା ଯୋଗୁଁ ୪୮୨ ହେକ୍ଟର ଜମିରେ ଧାନଫସଲ ପାଣିରେ ବୁଡ଼ି ଯାଇଥିବାବେଳେ ପବନରେ ୩୨୬୦ ହେକ୍ଟର ଜମିରେ ଧାନଗଛ ଶୋଇଯାଇଛି। ତା’ ଉପରେ ବର୍ଷା ପାଣି ମାଡ଼ ହେବା ଦ୍ବାରା ଫସଲ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଯେଉଁ ଧାନଫସଲ ସଂପୂର୍ଣ୍ଣ ବୁଡ଼ି ଯାଇଛି, ତାହା ମଧ୍ୟ ଗଜା ହୋଇଯିବାର ଆଶଙ୍କା ରହିଛି। କେବଳ ଘସିପୁରା ବ୍ଲକ୍ରେ ୨୩୪୦ ହେକ୍ଟର ଜମିରେ ଧାନଫସଲ ଶୋଇଯାଇଛି। ଝୁମ୍ପୁରା ବ୍ଲକ୍ରେ ୩୨୦ ହେକ୍ଟର, ଘଟଗାଁରେ ୧୫୦ ହେକ୍ଟର, ଆନନ୍ଦପୁରରେ ୭୧ ହେକ୍ଟର, ହାଟଡ଼ିହିରେ ୬୦ ହେକ୍ଟର, ହରିଚନ୍ଦନପୁରରେ ୮୪ ହେକ୍ଟର ଏବଂ କେନ୍ଦୁଝରରେ ୧୬୦ ହେକ୍ଟର ଜମିରେ ଧାନଫସଲ ପବନମାଡ଼ରେ କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଘସିପୁରା ବ୍ଲକ୍ର ୨୫୦ ହେକ୍ଟର ଜମିରେ ଧାନଫସଲ ବର୍ଷାପାଣିରେ ବୁଡ଼ିରହିଛି। ଆନନ୍ଦପୁରରେ ୧୮୨ ହେକ୍ଟର ଓ ହାଟଡିହିରେ ୫୦ ହେକ୍ଟର ଜମିରେ ଧାନଫସଲ ବୁଡ଼ିଯାଇଛି। ପ୍ରଶାସନର ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ବାତ୍ୟା ଯୋଗୁଁ ୪୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଗଛ ପଡ଼ିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିଯାଇଛି। ପାନୀୟ ଜଳ ଓ ବିଦ୍ୟୁତ୍ ସରବରାହ ସ୍ବାଭାବିକ ରହିଥିବା ଜିଲ୍ଲାପାଳ ବିଶାଲ ସିଂହ ସୂଚନା ଦେଇଛନ୍ତି।