ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଚଳାବସ୍ଥା, ପାଣି ପାଇଁ ହାହାକାର ଜନତା
ଚନ୍ଦ୍ରଶେଖରପୁର,୧୭/୦୯: ଦୁଇଦିନ ହେବ ଟୋପାଏ ପାଣି ଆସୁନି । ଗାଧୁଆ ପାଧୁଆ ନାହିଁ । ଏମିତିକି ପିଇବା ପାଇଁ ପାଣି ବି ଟୋପାଏ ନାହିଁ । ଲୋକମାନେ ଡହଳବିକଳ ହେଉଛନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ କଲୋନୀ ଓ ବସ୍ତିରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଏନେଇ ଲୋକେ ୱାଟକୋ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପାଇପ ଫାଟି ଯିବାର ବାହାନା କରି ଚୁପ୍ ରହିଛନ୍ତି ବିଭାଗୀୟ କର୍ମଚାରୀ ।
ରବିବାର ସକାଳଠୁ ନୀଳାଦ୍ରି ବିହାର, ହାଉସିଂବାର୍ଡ କଲୋନୀ, ବିଡ଼ିଏ କଲୋନୀ, ମୈତ୍ରୀ ବିହାର, ସାଲିଆ ସାହି ଆଦି ଅଞ୍ଚଳରେ ପାଣି ଆସିନାହିଁ । ଲୋକମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ଅଧିକ ଦୁର୍ଦ୍ଦଶା ଭାଗୁଛନ୍ତି ବସ୍ତି ବାସିନ୍ଦା । କିଛି ବସ୍ତିକୁ ଟ୍ୟାଙ୍କରରେ ଜଳ ଯୋଗାଣ କରାଯାଇଥିଲା । ମାତ୍ର ତାହା ସମୁଦ୍ରକୁ ଶଙ୍ଖେ । କଲୋନୀ ଲୋକଙ୍କ ଘରେ ଯେଉଁ ସମ୍ପ ରହିଛି, ସେଥିରୁ ମଧ୍ୟ ପାଣି ଶେଷ ହୋଇଗଲାଣି ।
ବସ୍ତିର ଲକ୍ଷ୍ମୀଧର ସାହୁ କହିଛନ୍ତି କଲୋନୀ ଲୋକଙ୍କ ଘରେ ସମ୍ପ, ପାଣି ଟାଙ୍କି ଅଛି । ସେମାନେ ଦିନେ ଦୁଇଦିନ ଚଳିଯିବେ । ହେଲେ ଆମର କେବଳ ୨ ଶହ ଲିଟର ପ୍ଲାଷ୍ଟିକ ପାଣି ଡ୍ରମ ହିଁ ସାହା ଭରଷା । ତାହା ମାତ୍ର କେଇ ଘଣ୍ଟାରେ ଶେଷ ହୋଇଗଲା । ପିଇବା ପାଇଁ ପାଣି ଟୋପାଏ ନାହିଁ । ଅଭିଯୋଗ କଲେ କେହି ଶୁଣୁ ନାହାଁନ୍ତି ।
ସେହିପରି ନୀଳାଦ୍ରି ବିହାର ସେକ୍ଟର ୨ କଲୋନୀ ବାସିନ୍ଦା ଶୁଭଶ୍ରୀ ଦାସ କହିଛନ୍ତି ପାଣି ବୋହି ବୋହି ଦେହ ହାତ ଦରଜ ହୋଇଗଲାଣି । ଏନେଇ ଯନ୍ତ୍ରୀଙ୍କ ସହିତ ଯୋଗାଯାଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି । ଅନ୍ୟ ଜଣେ କର୍ମଚାରୀ କହିଛନ୍ତି, ମୁଖ୍ୟ ପାଇପ ଫାଟି ଯାଇଥିବାରୁ ଏଭଳି ସମସ୍ୟା ହୋଇଛି । କାମ ଚାଲିଛି ତୁରନ୍ତ ଏହାର ସମାଧାନ ହୋଇଯିବ । ସୂଚନାଯୋଗ୍ୟ ୨ ମାସ ତଳେ ପାଣି ପାଇପ୍ ଫାଟିଯିବା ଯୋଗୁ ୩ ଦିନ ସାଲିଆ ସାହି, ମୈତ୍ରୀ ବିହାରକୁ ଜଳ ଯୋଗାଣ ବନ୍ଦଥିଲା ।