‘ଓଡ଼ିଶା ହେବ ସୁନାର ଓଡ଼ିଶା, ମହିଳାଙ୍କ ଉନ୍ନତି ହେବ ବିକାଶର ମୂଳମନ୍ତ୍ର’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବଟନ ଚିପି ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଆରମ୍ଭ କରିଛନ୍ତି। ଫଳରେ ରାଜ୍ୟର ବହୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି।
ମହିଳାଙ୍କ ଉନ୍ନତି ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି।
‘ସୁଭଦ୍ରା’ ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି । ‘ସୁଭଦ୍ରା’ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି।
ଏହି ଅବସରରେ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି।
ପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ସାର୍ଟିଫିକେଟ ପ୍ରଦାନ କରୁଛନ୍ତି।
ପ୍ରଚାର ବେଳେ ଡବଲ ଇଂଜିନ ସରକାର ହେଲେ ବିକାଶ ହେବ ବୋଲି କହିଥିଲି। ଯେଉଁ ସବୁ ସ୍ୱପ୍ନ ମହିଳା, ଆଦିବାସୀ, କୃଷକ,ଯୁବବର୍ଗ ଆଦି ଦେଖିଛନ୍ତି ସେ ସବୁ ସ୍ୱପ୍ନ ପୂରଣ ହେବ। ଆମେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରାଣପଣେ ଉଦ୍ୟମ କରୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଟିମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।
ଆଜି ସମଗ୍ର ଦେଶରେ ୩୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ଦିଆଗଲା। ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି। ଓଡ଼ିଶାର ବିକାଶ ପାଇଁ ହଜାର କୋଟିର ପ୍ରକଳ୍ପ ଓ ଶିଳାନ୍ୟାସ ହୋଇଛି ବୋଲି କହିଛନ୍ତି ମୋଦି।
ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହେବ ଓ ରତ୍ନ ଭଣ୍ଡାର ଖୋଲାହେବ ବୋଲି କହିଥିଲୁ। ତେଣୁ ଓଡ଼ିଶାରେ ସରକାର ଗଠନ ହେଉ ହେଉ ଆମେ ପ୍ରତିଶ୍ରୁତି ପୂରଣ କରିବାକୁ ଲାଗିପଡ଼ିଛୁ। ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହୋଇଥିବା ବେଳେ ରତ୍ନ ଭଣ୍ଡାର ବି ଖୋଲା ଯାଇଛି। ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଛି ବୋଲି କହିଛନ୍ତି ମୋଦି।