ରାଜ୍ୟ
ଏମବିକେଙ୍କ ନାଁରେ ଥାନାରେ ଅଭିଯୋଗ

ବାସୁଦେବପୁର: ଏମବିକେଙ୍କ ଧକ୍କା ମାରିବାକୁ ନେଇ ଥାନାରେ ଅଭିଯୋଗ ଆଣିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ବାସୁଦେବପୁର ପଞ୍ଚାୟତ ସମିତି ଅଧିନ କଷିଆ ସାମୁଦ୍ରିକ ଥାନା ଅଧିନ ବିନୋବାଭାବେ ନଗର ପଞ୍ଚାୟତର ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବାବାକାମେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜମାଖାତାକୁ ଶାଢି କିଣିବା ପାଇଁ ଟଙ୍କା ଆସିଥିଲା।
ଉକ୍ତ ଗୋଷ୍ଠୀ ସଦସ୍ୟାଙ୍କୁ ଶାଢି କିଣିଦେବେ ବୋଲି ଏମବିକେ ପୁଷ୍ପଲତା ଖଟୁଆ ପରାମର୍ଶ ଦେଇଥିଲେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗ୍ରହଣ କରିନଥିଲେ। ନିଜ ଶାଢି ନିଜେ କିଣିବା କାରଣରୁ ବିବାଦ ଦେଖାଦେଇଥିଲା। ଯାହାକୁ ନେଇ ଚଳିତ ମାସ ୧୬ ତାରିଖରେ ପଞ୍ଚାୟତରେ ହୋଇଥିବା ସମାବେଶକୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଧକ୍କାମାରି କାଢିଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ବିପିଏମ ବୀଣାପାଣି ପଣ୍ଡା କୁହନ୍ତି, ଏହି ଘଟଣାକୁ ନେଇ ମାମଲା ଏବେ ଥାନାରେ ପହଞ୍ଚିଛି। ତଦନ୍ତରେ ସବୁକିଛି ସ୍ପଷ୍ଟ ହୋଇଯିବ।