ରାଜ୍ୟ

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା; ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ହାଜତରେ ଦିଆଯାଇଥିବା ନିର୍ଯାତନା ନିନ୍ଦନୀୟ ବୋଲି କହିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ ।

ତୁରନ୍ତ ଏହି ଘଟଣାର ତଦନ୍ତ ସାରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ନବୀନ ।

୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍ରେ ଯାଉଥିଲେ। କିନ୍ତୁ ମଝି ରାସ୍ତାରେ ୨ଟି କାର୍ରେ କିଛି ରୋଡ୍ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ।

ସେଠାରେ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ବେଳେ ଗୁରୁବଂଶଙ୍କୁ ରାତିତମାମ୍ ଲକ୍ଅପ୍ରେ ରଖିଥିଲା ପୁଲିସ୍। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ ।

ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ପୁଲିସ୍ର ଅତ୍ୟଧିକ ମାଡ଼ରେ ଲହୁଲୁହାଣ ହୋଇ ସେ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ।

ଭୁବନେଶ୍ୱରସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ପ୍ରଥମେ IIC ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା। ମାତ୍ର ଆଜି ସେମାନଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। ମେଜରଙ୍କ ଲିଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି।

ଏଥିସହ ଏହି ଘଟଣାର ମୂଳ ମାମଲାର ତଦନ୍ତ କରି ରୋଡ଼ ରୋମିଓଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବା ନିମନ୍ତେ ଗତକାଲିଠୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍ ଡିଜିପି ୱାଇ ବି ଖୁରାନିଆ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button