ରାଜ୍ୟ

ଗୋପାଳପୁର ଟସର ବସ୍ତ୍ରର ଚମକ: ଟସର ସୂତା ପାଇଁ ୨୦୧୨ରୁ ମିଳିଛି ଜିଆଇ ଟ୍ୟାଗ୍ – Ibnodisha

[ad_1]

ରସୁଲପୁର : ଗୋପାଳପୁରରେ ପ୍ରସ୍ତୁତ ହେଉଛି ଉନ୍ନତ ମାନର ଟସର ସୂତା। ଏହି ସୂତା​କୁ ନେଇ ଏଠାରେ ଅତି ସୁନ୍ଦର ଡିଜାଇନ୍‌ର ଟସର ଶାଢ଼ି ପ୍ରସ୍ତୁତ ହେଉଛି। ତାଲିମପ୍ରାପ୍ତ ଡିଜାଇନରଙ୍କ ଦ୍ବାରା ପ୍ରଶିକ୍ଷଣ ପାଇବା ପରେ ବୁଣା ହେଉଥିବା ଶାଢ଼ିରେ ଆହୁରି ନୂତନତ୍ବ ଓ ଚମକ ଆସିଛି। ମାଷ୍ଟର ବୁଣାକାରଙ୍କ ଅଭିଜ୍ଞତା ଓ ନୂତନ ଜ୍ଞାନକୌଶଳର ସମାହାରରେ ପ୍ରସ୍ତୁତ ହେଉଛି ସୁନ୍ଦର ଶାଢ଼ି। ରଜ ଶାଢ଼ି, ହୋଲି ଶାଢ଼ି, ଦୋଳବେଦି ଶାଢ଼ି, ନୀଳଚକ୍ର ଶାଢ଼ି, ଶ୍ରୀମନ୍ଦିର ଶାଢ଼ି ଅତୀବ ଆକର୍ଷଣୀୟ। ଏଠାକାର ବୁଣାକାରମାନଙ୍କୁ ଟାଟା ଟ୍ରଷ୍ଟ ‘ଅନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ଦେଇଛି। ପ୍ରସିଦ୍ଧ ଡିଜାଇନର୍ ଅନୁପ୍ରିୟା ମିର୍ଦ୍ଧା ଗୋପାଳପୁର ବସ୍ତ୍ରର ପ୍ରଶଂସକ। ନାବାର୍ଡ ଭଳି ସଂସ୍ଥା ମଧ୍ୟ ବୁଣାକାରଙ୍କୁ ପାଣ୍ଠି ଯୋଗାଇବାକୁ ଆଗଭର ହେଲାଣି। ବୁଣାକାରଙ୍କ ଆର୍ଥିକ ବିକାଶ ସହିତ ପ୍ରସ୍ତୁତ ଲୁଗାର ମାନ ମଧ୍ୟ ଉନ୍ନତ ହେଲାଣି। ଅନ୍ୟପଟେ ୨୦୧୨ରୁ ଗୋପାଳପୁରର ଟସର ସୂତାକୁ ମିଳିଛି ଜିଆଇ ଟ୍ୟାଗ୍ (ନଂ-୧୬୭)। ଶ୍ରୀ ବିଷ୍ଣୁ ବୁଣାକାର ସମବାୟ ସମିତିର ଆବେଦନକ୍ରମେ ଏହି ମାନ୍ୟତା ମିଳିଥିବାବେଳେ ୨୦୨୯ ପର୍ଯ୍ୟନ୍ତ ଏହା ବୈଧ ରହିଛି। ତେବେ ସମ୍ବଲପୁରୀ ବସ୍ତ୍ର ପରି ଗୋପାଳପୁର ଲୁଗାର ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ ବୋଲି ବୁଣାକାରମାନେ ଆଶାବାଦୀ।

ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ପଞ୍ଚାୟତର ଗୋପାଳପୁର ଗ୍ରାମ ଟସର ସୂତାର ହାତବୁଣା ଲୁଗା ପାଇଁ ବେଶ୍‌ ପୂର୍ବରୁ ପ୍ରସିଦ୍ଧ। କରୋନା ସମୟରେ ଅନଲାଇନ୍ ବ୍ୟବସାୟ ଯୋଗୁଁ ଏହା ବିଦେଶରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛି। ଗୋପାଳପୁର, ଚକଗୋପାଳପୁର, ଗୋବିନ୍ଦପାଟଣା ପ୍ରଭୃତି ସାହିରେ ୨ହଜାରରୁ ଊର୍ଦ୍ଧ୍ବ ବୁଣାକାର ପରିବାର ଟସର ହସ୍ତତନ୍ତ କାର୍ଯ୍ୟରେ ନିୟୋଜିତ। ପ୍ରତି ବୁଣାକାର ପରିବାରର ପୁରୁଷ, ମହିଳା, ଛୋଟପିଲା ସମସ୍ତେ ପ୍ରାୟ ଏହି ବୃତ୍ତିରେ ସଂପୃକ୍ତ। ମୂଳତଃ ଏହି ବୁଣାକାରମାନେ ବଙ୍ଗୀୟ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଉତ୍କଳ ଆଗମନ ସମୟରେ ବର୍ଦ୍ଧମାନ ଜିଲ୍ଲାର ଏହି ପରିବାରମାନେ ଏଠାକୁ ଆସିଥିଲେ। ସମୟକ୍ରମେ ଆଉ ବଙ୍ଗଳାକୁ ଫେରିନଯାଇ ବ୍ରାହ୍ମଣୀ ନଦୀକୂଳରେ ବସବାସ କରିଥିଲେ। ଏମାନଙ୍କ ଦ୍ବାରା ପ୍ରସ୍ତୁତ ହାତବୁଣା ଲୁଗା ତତ୍କାଳୀନ ରାଣୀଙ୍କୁ ପସନ୍ଦ ଆସିବାରୁ ସେମାନଙ୍କୁ ଏଠାରେ ସ୍ଥାୟୀ ଭାବରେ ରହିବାକୁ ଅନୁମତି ଦେଇଥିଲେ ବୋଲି କୁହାଯାଏ। ​ସେବେଠାରୁ ପିଢ଼ି ପରେ ପିଢ଼ି ହାତବୁଣା ଲୁଗା ପ୍ରସ୍ତୁତ କରି ସେମାନେ ଗୋପାଳପୁରକୁ ବୁଣାକାରଙ୍କ ଗାଁ ଭାବେ ପରିଚୟ ଦେଇଛନ୍ତି।

ସମ୍ବଲପୁର ଅଞ୍ଚଳର ବୁଣାକାରମାନେ ଯେପରି ନିଜର ସ୍ବତନ୍ତ୍ର ସମ୍ବଲପୁରୀ ଡିଜାଇନ୍ ପାଇଁ ବିଶ୍ବପ୍ରସିଦ୍ଧ ହୋଇ ପାରିଛନ୍ତି, ଗୋପାଳପୁରରେ ସେପରି ଏକ ସ୍ବତନ୍ତ୍ର ଡିଜାଇନ୍ ବିକଶିତ କରି ଏହା ଜରିଆରେ ସ୍ବତନ୍ତ୍ର ପରିଚୟ ସୃ୍ଷ୍ଟି କରାଯିବାର ସମୟ ଆସିଛି ବୋଲି ବରିଷ୍ଠ ବୁଣାକାରମାନେ କୁହନ୍ତି। ଯେପରିକି ବମକାଇ, ଖଣ୍ତୁଆ, ବନାରସୀ, ବିଷ୍ଣୁପୁରୀ ବସ୍ତ୍ରର ସ୍ବତନ୍ତ୍ର ନାମ ଓ ପରିଚୟ ରହିଛି, ସେହିପରି ସ୍ବତନ୍ତ୍ର ଡିଜାଇନ୍‌ର ଗୋପାଳପୁରୀ ଶାଢ଼ି ପ୍ରସ୍ତୁତ କରିବା ବର୍ତ୍ତମାନ ସମୟର ଆହ୍ବାନ। ଗୋପାଳପୁରରେ ପ୍ରସ୍ତୁତ ଟସର ସୂତାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଯଦି ସାମୂହିକ ଭାବରେ ଚେଷ୍ଟା କରାଯାଏ ତାହେଲେ ନିଶ୍ଚୟ ସ୍ବତନ୍ତ୍ର ଗୋପାଳପୁରୀ ଡିଜାଇନ୍‌ର ଶାଢ଼ି ପ୍ରସ୍ତୁତ ହୋଇ ପାରନ୍ତା ବୋଲି ମତପ୍ରକାଶ ପାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button