ଗୁଆଘିଅରେ ଛୁଙ୍କ!
ପୂଜା ପାର୍ବଣ, ହୋମ ଯଜ୍ଞ, ଦେବାଳୟରେ ଦୀପଦାନ କଲାବେଳେ, ଏମିତିକି ଅନ୍ତିମ ସଂସ୍କାର ବେଳେ ଲୋଡ଼ାହୁଏ ଗୁଆଘିଅ। ଏହାର ହାଲୁକା ହଳଦୀ ରଙ୍ଗ ଓ ଚମତ୍କାର ବାସ୍ନା ଓ ପବିତ୍ରତା ଆନମନା କରେ ସଭିଙ୍କୁ। ଆମ ଶ୍ରୀମନ୍ଦିର ସମେତ ସମସ୍ତ ମନ୍ଦିରରେ ଲୋଡ଼ା ହୁଏ ଶୁଦ୍ଧ ଗୁଆଘିଅ।
ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଲଡୁ ପ୍ରସାଦ ପ୍ରସ୍ତୁତିରେ ବାର୍ଷିକ ପ୍ରାୟ ପାଞ୍ଚ ହଜାର ଟନ୍ ଗୁଆଘିଅ ଆବଶ୍ୟକ ହୁଏ।
ମାତ୍ର, ୩୨୦ ଟଙ୍କା ମୂଲ୍ୟରେ ଏକ କିଲୋଗ୍ରାମ ବିଶୁଦ୍ଧ ଗୁଆଘିଅ କିଣିବା ଏକ ଅବାସ୍ତବ ପରିକଳ୍ପନା ହୋଇଥିବା ସତ୍ତ୍ୱେ ନିୟମିତ ତଦାରଖ ବିନା ଏତେ ପରିମାଣର ଘିଅ କିଣାଯିବା କିପରି କାହାରି ମନରେ ସନ୍ଦେହ ସୃଷ୍ଟି କରୁ ନଥିଲା, ତାହା ଆଶ୍ଚର୍ଯ୍ୟଜନକ। ଶସ୍ତାରେ ଘିଅ ଯୋଗାଇବାର ଆବଶ୍ୟକତାରୁ ପଶୁଚର୍ବି ଓ ମାଛତେଲ ମିଶ୍ରଣ କରି କିଛି ଦୁଗ୍ଧସଂସ୍ଥା ଅପମିଶ୍ରିତ ଘିଅ ଯୋଗାଉଥିଲେ ବୋଲି ଅଭିଯୋଗ ହେଉଛି। ସେହି ଘିଅରେ ପ୍ରଭୁଙ୍କ ପାଇଁ ପ୍ରସାଦ ଲଡୁ ପ୍ରସ୍ତୁତ ହେଉଥିଲା। ଦେଶର ପ୍ରସିଦ୍ଧ ଦୁଗ୍ଧ ଉତ୍ପାଦନ ଓ ବିକ୍ରୟକାରୀମାନେ ପାଇକାରୀ ଦରରେ କିଲୋ ପ୍ରତି ପ୍ରାୟ ୫୦୦ ଟଙ୍କାରେ ଘିଅ ବିକ୍ରି କରୁଥିଲା ବେଳେ ତାମିଲନାଡୁର ଏକ ଘରୋଇ ଦୁଗ୍ଧ ସଂସ୍ଥା ‘ଏ ଆର ଡାଏରୀ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍’ କିପରି ମାତ୍ର ୩୨୦ ଟଙ୍କା ମୂଲ୍ୟରେ ଘିଅ ଯୋଗାଉଥିଲା? ମନ୍ଦିର ପ୍ରଶାସନ ଏହାର ରହସ୍ୟ ଜାଣିପାରୁ ନଥିଲେ କିପରି? ରାଜ୍ୟ ସରକାର କ’ଣ ସବୁ ଜାଣି ବି ଅଜଣା ରହୁଥିଲେ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।
ଦେଶ ବିଦେଶରେ ତିରୁପତିସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସିଦ୍ଧି ଅର୍ଜନ କରି ଆସିଛି। ତିରୁପତି ଲଡୁ ତିଆରିରେ ବ୍ୟବହୃତ ହେଉଥିବା ଘିଅରେ ‘ପଶୁ ଚର୍ବି’ ମିଶୁଥିବାର ଅଭିଯୋଗ ହେବା ପରେ ଏହି ସଂସ୍ଥା କଳା ତାଲିକାଭୁକ୍ତ ହୋଇଛି। ଯୋଗାଣ ହେଉଥିବା ଘିଅରେ ପାମ୍, ନଡ଼ିଆ, ସୋୟାବିନ୍, ସୂର୍ଯ୍ୟମୁଖୀ, ରାଇ ସମେତ ଅନ୍ୟାନ୍ୟ ବନସ୍ପତି ତେଲ, ଏବଂ ପ୍ରାଣୀଜ ଚର୍ବି (ଗାଈ ଚର୍ବି, ଘୁଷୁରି ଲାର୍ଡ, ଏବଂ ମାଛ ତେଲ) ମିଶୁଥିଲା ବୋଲି ନମୂନା ପରୀକ୍ଷଣରୁ ଜାଣିବାକୁ ମିଳିଛି।
ଗୋମହିଷାଦି କ୍ଷୀରରେ ହାରାହାରି ୫ ପ୍ରତିଶତ ଲହୁଣୀ ଥାଏ। ଏଣୁ, ବ୍ୟବସ୍ଥିତ ସମବାୟ ଓ ଘରୋଇ ସଂସ୍ଥାରୁ ଦୈନିକ ସଂଗୃହିତ ୨୦୦ ଲକ୍ଷ କିଲୋଗ୍ରାମ କ୍ଷୀରରୁ ବାର୍ଷିକ ୩ ଲକ୍ଷ ୬୫ ହଜାର ଟନ୍ ଘିଅ ଉତ୍ପାଦନ ସମ୍ଭବ। ଆମେ ପ୍ରତି ବର୍ଷ ବନସ୍ପତି ତେଲ ବିଦେଶରୁ ୧୦୦-୧୦୫ ଲକ୍ଷ ଟନ୍ ଆମଦାନୀ କରୁ ଓ ଦେଶ ମଧ୍ୟରେ ୧୫୦-୧୬୦ ଲକ୍ଷ ଟନ୍ ଉତ୍ପାଦନ କରୁ। ୨୫୦-୨୬୫ ଲକ୍ଷ ଟନ୍ ଖାଇବା ତେଲ ଓ ମାତ୍ର ୩.୬୫ ଲକ୍ଷ ଟନ୍ ଘିଅ ବଜାର ଆବଶ୍ୟକତା ପୂରଣ କରିବା ସମ୍ଭବ ନୁହେଁ। ସେଥିପାଇଁ ଖାଇବା ତେଲ-ଘିଅ ବଜାର ଦର ସବୁବେଳେ ଉଚ୍ଚା ରହେ ଓ ଅପମିଶ୍ରିତ ହେବାର ଆଶଙ୍କା ରହେ।
ଭାରତରେ ଅପମିଶ୍ରିତ ଘିଅ ପ୍ରସ୍ତୁତିରେ ମୁଖ୍ୟ ଉପାଦାନ ନିଶ୍ଚୟ ଗୋମହିଷାଦି ଦୁଗ୍ଧ। ବଜାର ଚାହିଦା ଅପେକ୍ଷା ଖାଣ୍ଟି ଘିଅର ଉତ୍ପାଦନ କମ୍ ରହି ଆସିଥିବାରୁ ଏହାର ବଜାରଦର ସର୍ବାଧିକ। ଦୁଗ୍ଧରୁ ପ୍ରସ୍ତୁତ ଘିଅ ଓ ତୈଳବୀଜରୁ ପ୍ରସ୍ତୁତ ଖାଦ୍ୟୋପଯୋଗୀ ତେଲ ମୂଲ୍ୟ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ। ବିଶୋଧିତ ପାମ୍, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ବର୍ତ୍ତମାନ ପାଇକାରୀମୂଲ୍ୟ ଲିଟର୍ ପିଛା ପ୍ରାୟ ୧୨୦-୧୨୫ ଟଙ୍କାରେ ମିଳୁଥିଲାବେଳେ ରାଇ/ସୋରିଷ ଏବଂ ଚିନାବାଦାମ ତେଲ ମୂଲ୍ୟ ହେଉଛି ୧୩୫-୧୫୦ ଟଙ୍କା। ମୂଲ୍ୟରେ ରହୁଥିବା ପାର୍ଥକ୍ୟ କାରଣରୁ ଘିଅ କାଳେକାଳେ ଅସାଧୁ ବେପାରୀମାନଙ୍କ ଦ୍ୱାରା ଅପମିଶ୍ରିତ ହୋଇ ଆସିଛି। ତେବେ, ପୂର୍ବରୁ ଗୁଆଘିଅରେ ବନସ୍ପତି ତେଲ, ଘିଅ ମିଶାଯାଉଥିବାର ଅଭିଯୋଗ ଆସୁଥିଲେ ବି ପଶୁଚର୍ବିରୁ ପ୍ରସ୍ତୁତ ତେଲ ମଧ୍ୟ ଅପମିଶ୍ରଣରେ ବ୍ୟବହାର ହେଲାଣି, ଏହା ସମସ୍ତଙ୍କୁ ବ୍ୟଥିତ କରିଛି।
ଦୁଗ୍ଧ ସମବାୟ ସମିତିମାନେ ଚାଷୀଙ୍କଠାରୁ ପ୍ରତିଦିନ ହାରାହାରି ୬୦୦ ଲକ୍ଷ କିଲୋଗ୍ରାମ କ୍ଷୀର କ୍ରୟ କରନ୍ତି। ସେଥିମଧ୍ୟରୁ, ସେମାନେ ପ୍ରାୟ ୪୫୦ ଲକ୍ଷ କିଲୋଗ୍ରାମ କ୍ଷୀର ପ୍ରକ୍ରିୟାକରଣ କଲାପରେ କ୍ଷୀର ଆକାରରେ ଗ୍ରାହକଙ୍କୁ ଯୋଗାନ୍ତି, ୫୦ ଲକ୍ଷ କିଲୋଗ୍ରାମ କ୍ଷୀରକୁ ଦହି, ଲସି, ରାବିଡ଼ି, ପନିର୍ ଭଳି ଉତ୍ପାଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରନ୍ତି। ବଳକା ୧୦୦ ଲକ୍ଷ କିଲୋଗ୍ରାମ କ୍ଷୀରରୁ ବଡ଼ ବଡ଼ ସଂସ୍ଥାମାନେ କ୍ଷୀରଗୁଣ୍ଡ (ସ୍କିମଡ୍ ମିଲ୍କ ପାଉଡର), ଲହୁଣୀ ଏବଂ ଘିଅ ପ୍ରସ୍ତୁତ କରନ୍ତି।
ପ୍ରତିଷ୍ଠିତ ଦୁଗ୍ଧ ସମବାୟ ଫେଡେରେସନ୍ ଯଥା- ଗୁଜୁରାଟର ଅମୁଲ, କର୍ଣ୍ଣାଟକର ନନ୍ଦିନୀ ଏବଂ ତାମିଲନାଡୁର ଆଭିନ କିମ୍ବା ହାଟସୁନ୍ ଆଗ୍ରୋ, ଡୋଡଲା ଡାଏରୀ ଏବଂ ହେରିଟେଜ୍ ଫୁଡ୍ସ ଭଳି ଘରୋଇ ଦୁଗ୍ଧସଂସ୍ଥା ଚାହାନ୍ତି ନାହିଁ ଯେ, ତାଙ୍କର ଉତ୍ପାଦିତ ସମସ୍ତ ଘିଅକୁ ଗୋଟିଏ ଅନୁଷ୍ଠାନ କିଣିନେଉ। ସେମାନେ ଏହାକୁ ସର୍ବାଧିକ ଖୁଚୁରା ଉପଭୋକ୍ତାଙ୍କୁ ବିକ୍ରି କରିବାକୁ ଚାହାନ୍ତି। ତେବେ, ଯେଉଁ ଦୁଗ୍ଧ ସଂସ୍ଥାମାନେ ଆଇସ୍କ୍ରିମ୍ ଉତ୍ପାଦନ କରନ୍ତି, ସେମାନେ ନିଜର ଉତ୍ପାଦିତ ଲହୁଣୀକୁ ଏଥିରେ ବ୍ୟବହାର କରି ଘିଅ ବିକ୍ରି ଅପେକ୍ଷା ଅଧିକ ଲାଭ କରିଥାଆନ୍ତି। ଅମୁଲ ମାସକୁ ହାରାହାରି ୯,୦୦୦-୧୦,୦୦୦ ଟନ୍ ଘିଅ ଗ୍ରାହକଙ୍କୁ ଚାହିଦା ମୁତାବକ ଛୋଟ ପ୍ୟାକରେ ବିକ୍ରି କଲାବେଳେ ନନ୍ଦିନୀ ପ୍ରାୟ ୩,୦୦୦ ଟନ୍ ଏବଂ ଆଭିନ ପ୍ରାୟ ୧,୫୦୦ ଟନ୍ ଘିଅ ବିକ୍ରି କରନ୍ତି। ପାଞ୍ଚ ବର୍ଷ ପୂର୍ବେ ପତଞ୍ଜଳି ଆୟୁର୍ବେଦ ମାସକୁ ୨,୫୦୦ ଟନ୍ ଘିଅ ବିକୁଥିଲା। ୯୧୦ ଗ୍ରାମ୍ ବା ଏକ ଲିଟର୍ ଘିଅର ସର୍ବାଧିକ ଗ୍ରାହକୀୟ ଖୁଚୁରା ମୂଲ୍ୟ ବିକ୍ରିକର ସହିତ ୬୦୦ରୁ ୭୫୦ ଟଙ୍କା। ଆମ ଦେଶରେ ଆହୁରି ଅନେକ ଘରୋଇ ଦୁଗ୍ଧସଂସ୍ଥା ଅଛନ୍ତି, ଯେଉଁମାନେ କି ଟିଟିଡି ଭଳି ଏକକାଳୀନ ଅଧିକ ପରିମାଣର ଏବଂ ନିୟମିତଭାବେ ଆବଶ୍ୟକ କରୁଥିବା ଗ୍ରାହକଙ୍କୁ ସେମାନଙ୍କ ଚାହିଦା ମୁତାବକ ପରିମାଣର ଘିଅ ଯୋଗାଇ ଦେଇଥାନ୍ତି।
ତିରୁପତିରେ ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁଚର୍ବି ଓ ମାଛ ତେଲ ଥିବାର ନମୁନା ପରୀକ୍ଷା କରି ରିପୋର୍ଟ ଦେଇଛି ଗୁଜରାଟରେ ଥିବା ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଲେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା। ପୂର୍ବରୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ ଯେ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁଚର୍ବି ଓ ମାଛ ତେଲ ମିଶିଛି। ଏହାପରେ ଘିଅର ନମୁନା ଯାଞ୍ଚ ପାଇଁ ଗୁଜରାଟ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ଆନ୍ଧ୍ର ପ୍ରଦେଶ ରାଜନୀତି ଉଷ୍ମ ହେଲାବେଳେ ଦାରୁଣ ଧକ୍କା ପାଇଛନ୍ତି ଭକ୍ତ ସମାଜ। ଏହା କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଆସ୍ଥା ଓ ଭାବନାକୁ ଆଘାତ ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏ ନେଇ ରିପୋର୍ଟ ମାଗିଛନ୍ତି।
ବର୍ତ୍ତମାନ ମଇଁଷି କ୍ଷୀରରୁ ପ୍ରସ୍ତୁତ ଘିଅ ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୪୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ କିଲୋଗ୍ରାମ ପିଛା ୪୭୦ ଟଙ୍କାରେ ବିକ୍ରି ହେଉଛି। ପ୍ୟାକେଜିଂ ଏବଂ ପରିବହନ ଖର୍ଚ୍ଚ ମିଶାଇଲେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ସର୍ବନିମ୍ନ ୪୮୫-୪୯୫ ଟଙ୍କାରୁ କମିବା ଅସମ୍ଭବ। ତଥାପି, ତାମିଲନାଡୁର ଡିଣ୍ଡିଗୁଲସ୍ଥିତ ଏ ଆର ଡାଏରୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଟିଟିଡିକୁ କିଲୋ ପିଛା ୩୨୦ ଟଙ୍କା ଦରରେ ଶୁଦ୍ଧ ଘିଅ ଯୋଗାଉଥିଲା କିପରି? ଯଦିଓ ନମୁନା ପରୀକ୍ଷଣ ରିପୋର୍ଟ ଆସିବା ପରେ ଏ ଆର ଡାଏରୀକୁ କଳା ତାଲିକାଭୁକ୍ତ କରାଯାଇଛି, ତଥାପି ଆମ ଦେଶର ସମସ୍ତ ଦୁଗ୍ଧସଂସ୍ଥା ଦ୍ୱାରା ପ୍ରସ୍ତୁତ ସମସ୍ତ ଦୁଗ୍ଧ ଉତ୍ପାଦର ନମୁନା ପରୀକ୍ଷଣ ହେବା ଆବଶ୍ୟକ ମନେହୁଏ। ଖୁସିର କଥା ଯେ, ଉତ୍ତର ପ୍ରଦେଶ ସରକାର ରାଜ୍ୟର ୧୩ଟି ମନ୍ଦିରର ପ୍ରସାଦକୁ ପରୀକ୍ଷା ନିମନ୍ତେ ପଠାଇଛନ୍ତି।
ଆଜିକାଲି ତ ଆମେ ସମସ୍ତେ ବଜାରରୁ ସୋରିଷ ତେଲ କିଣି ଖାଉଛେ। କେନ୍ଦ୍ର ସରକାର ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍ ପିଛା ରଖିଛନ୍ତି ୫୪୫୦ ଟଙ୍କା। ଏକ କୁଇଣ୍ଟାଲ୍ ସୋରିଷରୁ ସର୍ବାଧିକ ୩୩ କେଜି ସୋରିଷ ତେଲ ବାହାରିଲେ ଏକ କେଜି ସୋରିଷ ତେଲର ଉତ୍ପାଦନ ମୂଲ୍ୟ ୧୬୫ ଟଙ୍କା ହେବା। ଏହାର କେଜି ପ୍ରତି ବିକ୍ରିମୂଲ୍ୟ କେବେ ବି ୨୦୦ ଟଙ୍କାରୁ କମିବା ସମ୍ଭବ କି? ଯେଉଁମାନେ କମ୍ ମୂଲ୍ୟରେ ଏହାକୁ କିଣିବାକୁ ଚାହାନ୍ତି ସେମାନେ ଅଗରା ତେଲ, ହ୍ଵାଇଟ୍ ଅଏଲ୍ ମିଶିଥିବା ଅପମିଶ୍ରିତ ତେଲ କିଣିବା ବ୍ୟତିତ ଅନ୍ୟ ବିକଳ୍ପ ଅଛି କି? ତାହା ହିଁ ଟିଟିଡି କ୍ଷେତ୍ରରେ ଘଟିଥାଇ ପାରେ। ପ୍ରତିଯୋଗିତାରେ ଭାଗ ନେଇ ସବୁଠୁ କମ୍ ମୂଲ୍ୟରେ ଏ ଆର ଡାଏରୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଟିଟିଡିକୁ କିଲୋ ପିଛା ୩୨୦ ଟଙ୍କା ଦରରେ ବିଶୁଦ୍ଧ ଘିଅ ଯୋଗାଇ କ୍ଷତି ସହିବା ଅପେକ୍ଷା ଅପମିଶ୍ରିତ ଘିଅ ଯୋଗାଇବାକୁ ନିର୍ଣ୍ଣୟ ନେଇ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଆସ୍ଥା ଓ ଭାବନାକୁ ଆଘାତ ଦେବାକୁ ପଛାଇ ନାହିଁ। ସବୁଠୁ ବିପଦଜନକ କଥାଟି ହେଲା ଯେ, ଘିଅରେ ପଶୁଚର୍ବି ଓ ମାଛ ତେଲ ମିଶାଇବାକୁ ପାପ ଓ ଅପରାଧ ମନେ କରିନାହିଁ ଏ ଆର ଡାଏରୀ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍!
ଏହି ପରିପ୍ରେକ୍ଷୀରେ କହି ରଖିବା ଉଚିତ ହେବ ଯେ, ସମଗ୍ର ବିଶ୍ୱରେ ଉତ୍ପାଦନ ହେଉଥିବା କ୍ଷୀରର ୨୫ ପ୍ରତିଶତ ଅଂଶ ଭାରତର। ଏହାର ପରିମାଣ ୨,୩୧୦ ଲକ୍ଷ ମେଟ୍ରିକ୍ ଟନ୍ ଓ ଆମେ ଭାରତୀୟମାନେ ମୁଣ୍ଡପିଛା ଦୈନିକ ୪୬୦ ଗ୍ରାମ୍ କ୍ଷୀର ପାଉଥିଲା ବେଳେ ବିଶ୍ୱ ଜନସମୁଦାୟ ଭାଗରେ ପଡ଼େ ୩୨୨ ଗ୍ରାମ୍। ଏକ ଲିଟର୍ କ୍ଷୀରରୁ ପ୍ରାୟ ୧୬୦-୧୮୦ ଗ୍ରାମ୍ ଛେନା ଓ ୨୩-୨୫ ଗ୍ରାମ୍ ଘିଅ ଆଦାୟ ହୋଇପାରେI ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ ସର୍ବାଧିକ ପରିମାଣର ଘିଅ ଉତ୍ପାଦିତ ହେଉଥିଲା ବେଳେ ସମଗ୍ର ଦେଶରେ ବାର୍ଷିକ ୧ ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ଘିଅ ଉତ୍ପାଦନ ହୁଏ। ଏଫ୍ଏସ୍ଏସ୍ଏଆଇ ବା ଭାରତୀୟ ଖାଦ୍ୟମାନ ଓ ସୁରକ୍ଷା ନିୟନ୍ତ୍ରଣ ସଂସ୍ଥା ନିୟମିତ ଭାବେ ଘିଅର ଗୁଣବତ୍ତା ପରୀକ୍ଷା କରି ପ୍ରମାଣପତ୍ର ଦେଉଥିବାରୁ ଗ୍ରାହକମାନେ ଗୁଣ-ମାନ ଉପରେ ସନ୍ଦେହ ପ୍ରକାଶ କରନ୍ତି ନାହିଁ। ତେବେ, ଦୀପରେ ବ୍ୟବହୃତ ଘିଅରେ ବ୍ୟାପକ ଅପମିଶ୍ରଣ ହେଉଥିବାର ଅଭିଯୋଗ ଆସେ।
ଆମ ରାଜ୍ୟରେ ଥିବା ସର୍ବବୃହତ୍ ସମବାୟ ଦୁଗ୍ଧସଂସ୍ଥା ହେଲା ଓଡ଼ିଶା ମିଲ୍କ ଫେଡେରେସନ୍ ବା ସଂକ୍ଷେପରେ ଓମଫେଡ୍। ସେହିପରି ଘରୋଇ ମାଲିକାନାରେ ମଧ୍ୟ କିଛି ଦୁଗ୍ଧ ବିପଣନ ସଂସ୍ଥା ରହିଛି। ଏମାନେ ଚାଷୀଙ୍କୁ ସଂଗଠିତ କରି ସେମାନଙ୍କଠାରୁ କ୍ଷୀର ସଂଗ୍ରହ କରନ୍ତି ଓ ପ୍ୟାକେଟରେ କ୍ଷୀର ବିକ୍ରି କରନ୍ତି। ସମସ୍ତ ସଂସ୍ଥା ପକ୍ଷରୁ ରାଜ୍ୟରେ ଗୋପାଳକ ସମବାୟ ସମିତି ମାଧ୍ୟମରେ କ୍ଷୀର ସଂଗ୍ରହ ପରେ ଶୀତଳୀକରଣ କରାଯାଇ ନିକଟସ୍ଥ ପ୍ରକ୍ରିୟାକରଣ କେନ୍ଦ୍ରକୁ ଟ୍ୟାଙ୍କର୍ ଯୋଗେ ପଠାଯାଏ ଓ ସେଠାରେ ଲହୁଣୀ ବାହାର କରାଯାଇ ଘିଅ ଇତ୍ୟାଦି ପ୍ରସ୍ତୁତ ହୁଏ। ପ୍ରତ୍ୟେକ ସଂସ୍ଥା ନିଜର ବ୍ରାଣ୍ଡ୍ ଅନୁସାରେ ନିର୍ଦ୍ଦିଷ୍ଟ ତଥା ନିର୍ଦ୍ଧାରିତ ମାନର କ୍ଷୀର ଯୋଗାଇବାର ପ୍ରୟାସ କରୁଥିବାରୁ ଚାହିଦା ଅନୁଯାୟୀ କ୍ଷୀର ବିକ୍ରି ପରିମାଣ କମାଏ କିମ୍ବା ବଢାଇଥାଏ। ପରିମାଣ କମାଇବାକୁ ପଡ଼ିଲେ ଅଧିକ କ୍ଷୀରକୁ ଅନ୍ୟ ସଂସ୍ଥାକୁ ବିକିଦିଏ, ବିଭିନ୍ନ ଉତ୍ପାଦ ଯଥା ପନିର୍, ଗୁଣ୍ଡଦୁଧ ଇତ୍ୟାଦି ପ୍ରସ୍ତୁତ କରେ ଓ ବଢ଼ାଇବାକୁ ପଡ଼ିଲେ ଗୁଣ୍ଡଦୁଧରୁ ଅଧିକ କ୍ଷୀର ଉତ୍ପାଦନ କରିଥାଏ। ସମିତି ମାଧ୍ୟମରେ କ୍ଷୀର ସଂଗ୍ରହ କରି ଆବଶ୍ୟକ ପରିମାଣର କ୍ଷୀର ବିକ୍ରି କରିବା ଅପେକ୍ଷା ଗୁଣ୍ଡଦୁଧରୁ କ୍ଷୀର ଉତ୍ପାଦନ କରିବା ଲାଭଜନକ ହେଉଥିବାରୁ ଓଡ଼ିଶାର ସମସ୍ତ ଦୁଗ୍ଧ ବିପଣନ ସଂସ୍ଥା ପ୍ରାୟତଃ ଲହୁଣୀ ଓ ଘିଅ ଉତ୍ପାଦନ କରନ୍ତି ନାହିଁ। ବଦଳରେ ଅନ୍ୟ ରାଜ୍ୟରୁ ଗୁଣ୍ଡଦୁଧ, କ୍ଷୀର, ଲହୁଣୀ ଓ ଘିଅ କିଣିବାକୁ ଅଗ୍ରାଧିକାର ଦିଅନ୍ତି। ଓମଫେଡ୍ ମୁଖ୍ୟତଃ ଦେଶର ବୃହତ୍ ଦୁଗ୍ଧ ସମବାୟ ସଂସ୍ଥାରୁ ପାଇକାରୀ ମୂଲ୍ୟରେ ଘିଅ କିଣି ଗ୍ରାହକଙ୍କୁ ଖୁଚୁରା ଦରରେ ବିକ୍ରି କରିଥାଏ। ଏଣୁ, ଏହା ଯେ ନିରୁତା ଗୁଆଘିଅ, ଏହା ହଲପ କରି କହି ହେବନାହିଁ।
ଆମ ରାଜ୍ୟକୁ ଆମଦାନୀ ହେଉଥିବା ଦୁଧ, ଲହୁଣୀ ଓ ଘିଅର ଗୁଣ-ମାନ ପରୀକ୍ଷା କରିବାକୁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ପରୀକ୍ଷାଗାର ନାହିଁ। ଏଣୁ, ଆମେ ଯେ ବିଶୁଦ୍ଧ ଗୁଆଘିଅ କିଣୁଛେ ଓ ସେଥିରେ ଠାକୁରଙ୍କ ଭୋଗ ବା ପ୍ରସାଦ ପ୍ରସ୍ତୁତ କରୁଛେ, ତାହା କହି ହେବ କି? ଟିଟିଡି ପ୍ରସ୍ତୁତ ଲଡୁ ଭଳି ଆମ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦରେ ବ୍ୟବହୃତ ଘିଅରେ ଯେ ଆପତ୍ତିଜନକ ଚର୍ବି ଓ ତେଲ ମିଶୁନାହିଁ, ତାହା ଓମଫେଡ୍ ପକ୍ଷରୁ ଭକ୍ତଜନଙ୍କୁ ଆଶ୍ୱସ୍ତ କରାଯିବ କି? ଗତକାଲି କଟକ ନିକଟରେ ଭେଜାଲ୍ କ୍ଷୀର ପ୍ରସ୍ତୁତ ହେଉଥିବାର ଖବର ସମସ୍ତଙ୍କୁ ବିଚଳିତ କରିଛି। ‘ରୋହିଣୀ ମିଲ୍କ‘ ବ୍ରାଣ୍ଡରେ ଏହି ନକଲି କ୍ଷୀର ବିକ୍ରି ହେଉଥିଲା। ଭୁବନେଶ୍ୱରର ଏକ ନମ୍ବର ହାଟରେ ନକଲି ମିଲ୍କ ପାଉଡର୍ ବିକ୍ରି ହେଉଥିବାର ଶୁଣାଯାଉଛି। ଏହାକୁ ଅସାଧୁ ଗୋପାଳକମାନେ କିଣିନେଇ ଗାଈକ୍ଷୀରରେ ମିଶାଇ ବିକୁଥିବାର ଅଭିଯୋଗ ଆସୁଛି। ସରକାର ଏଭଳି ଅସାଧୁ କାରବାର ଉପରେ ରୋକ୍ ନ ଲଗାଇଲେ ଆମେ ଭେଜାଲ୍ କୁଟୀର ଶିଳ୍ପ କ୍ଷେତ୍ରରେ ବିଶ୍ୱସ୍ତରୀୟ ଅପନିନ୍ଦା ପାଇବା ହିଁ ପାଇବା। ଏବେ ପ୍ରଶ୍ନ, ଗୁଆଘିଅରେ ଛୁଙ୍କଦିଆ ଡାଲମା ଖାଇବା ନା ପଶୁଚର୍ବି ଓ ମାଛତେଲ ମିଶା ଭେଜାଲ୍ ଘିଅରେ ପ୍ରସ୍ତୁତ ମହୁର, ବେସର? ସେହି ବିଚାର ଆମ ସମସ୍ତଙ୍କର।