ରାଜ୍ୟ

ଦାଦନ ଦୁଃଖ: ପତ୍ନୀ ଓ ଦୁଇ ନାବାଳକ ପୁଅଝିଅଙ୍କୁ ଛାଡ଼ି ଚାଲିଗଲେ ଆରପାରିକୁ ଶ୍ରମିକ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧୀନ ଭାନପୁର ଗ୍ରାମର କପିଳାସ କଟା(୩୮) ପରିବାର ପ୍ରତିପୋଷଣ ତଥା ପିଲାଛୁଆଙ୍କ ଭବିଷ୍ୟତ ଜୀବନ ପାଇଁ ରୋଜଗାର ସକାଶେ ଦାଦନ ଶ୍ରମିକ ଭାବରେ ଗୁଜୁରାଟ ସହରର ରାଜକୋଟ୍ ଠାରେ କୌଣସି ସଂସ୍ଥାରେ ଶ୍ରମିକ ଭାବରେ ନିୟୋଜିତ ହୋଇଥିଲେ। ତେବେ ସେଠାରେ ରବିବାର ଦିନ ତାଙ୍କର ଆକସ୍ମିକ ବିୟୋଗ ଖବର ଗାଁରେ ପହଞ୍ଚିଥିଲା।

ଉକ୍ତ ଦୁଃଖଦ ଖବର ଜଣାପଡିବା ପରେ ପରିଚିତ ମହଲରେ ତଥା ଭାନପୁର ଗ୍ରାମରେ ଶୋକାକୁଳ ପରିବେଶ ଦେଖା ଦେଇଛି। ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଗ୍ରାମକୁ ପାର୍ଥିବ ଶରୀର ଆଣିବା ପାଇଁ ଆର୍ଥିକ ସମସ୍ୟା ଦେଖା ଦେଇଥିଲା । ଏହି ଖବର ଜଣାପଡିବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି ୨୦ ହଜାର ଟଙ୍କା, ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଓ ବ୍ୟକ୍ତିଗତ ଭାବେ ୩ ହଜାର ଟଙ୍କା ତଥା ଗ୍ରାମବାସୀମାନଙ୍କ ଠାରୁ ଆର୍ଥିକ ସହଯୋଗ କ୍ରମେ ଟଙ୍କା ସଂଗ୍ରହ କରି ସେଠାକୁ ପଠାଇବା ପରେ ଆମ୍ୱୁଲାନ୍ସ୍ ମାଧ୍ୟମରେ ମୃତ ଶରୀର ଗାଁକୁ ଆସୁଥିବା ଜଣାପଡିଛି। ଆମ୍ୱୁଲାନ୍ସ୍ ଭଡା ବାବଦରେ ୪୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଭାନପୁର ସରପଞ୍ଚ ଶ୍ରୀ ମାଝୀ ସୂଚନା ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ପାର୍ଥିବ ଶରୀର ଜନ୍ମମାଟିକୁ ଫେରିବା ସମ୍ଭାବନା ଅଛି ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଦାଦନ ଶ୍ରମିକ ଭାବରେ କାମ କରୁଥିବା ସଂସ୍ଥା ମୃତ ଶରୀର ଜନ୍ମମାଟିକୁ ପଠାଇବାର କୌଣସି ପଦକ୍ଷେପ ନନେବାରୁ ଚାନ୍ଦା ସଂଗ୍ରହ କରି ପଠାଇଥିବା ସରପଞ୍ଚ ଶ୍ରୀ ମାଝୀ କହିଛନ୍ତି। ସୂଚନା ମୁତାବକ ମୃତ ଦାଦନ ଶ୍ରମିକ କପିଳାସ କଟା ପରିବାରର ଜଣେମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ପରଲୋକ ଯୋଗୁଁ ପରିବାର ଲୋକେ ହତାଶ ହୋଇଛନ୍ତି। ତାଙ୍କ ପଛରେ ପତ୍ନୀ ଓ ଦୁଇ ନାବାଳକ ପୁଅ ଝିଅ ତଥା ଆତ୍ମୀୟ ସ୍ୱଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି। ଉକ୍ତ ପରିବାରକୁ ସରକାରୀ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବାକୁ ଭାନପୁର ସରପଞ୍ଚ ତଥା ଗ୍ରାମବାସୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button