ରାଜ୍ୟ

‘ସାମାଜିକ ସଂଗଠନର କାର୍ଯ୍ୟ ସମା‌ଜର ହିତସାଧନ ପାଇଁ ହେଉ’ – Ibnodisha

[ad_1]

ଭୁବନେଶ୍ବର: ଦୁନିଆରେ ବିଭିନ୍ନ ପ୍ରକାର ସାମାଜିକ ସଂଗଠନ ଭିନ୍ନ ଭିନ୍ନ ମାଧ୍ୟମରେ କାର୍ଯ୍ୟ କରିଥାନ୍ତି। ସମସ୍ତଙ୍କର ମନୋବୃତ୍ତି ଗୋଟିଏ। ତାହା ହେଲା, ସମାଜର ହିତସାଧନ। ସମାଜରେ ଜାଗରଣ ସୃଷ୍ଟି କରିବା ଓ ଅସହାୟଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସହ‌ଯୋଗ କରିବାରେ ‘ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍‌’ର ଅତୁଳନୀୟ ଅବଦାନ ରହିଛି। ଅନବରତ ପ୍ରଚେଷ୍ଟା ଓ ନିଷ୍ଠାପର ଉଦ୍ୟମରେ ଆଜି ଏହି ଅନୁଷ୍ଠାନ ସଭିଙ୍କ ହୃଦୟ ଜିଣି ପାରିଛି। ‘ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍’ ପକ୍ଷରୁ ଆନା ଭାଉ ସାଠେ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ପୁନେରେ ଆୟୋଜିତ ସାଂସ୍କୃତିକ ଓ ପୁରସ୍କାର ବିତରଣ ଉତ୍ସବରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଏଥିରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆମେ ପରାଧୀନ। ଜାତିର ପିତା ମହାତ୍ମା ଗାନ୍ଧୀ ଏକଦା ସ୍ଲୋଗାନ ଦେଇଥିଲେ, ଝିଅଟିଏ ଯେତେବେଳେ ବିଳମ୍ବିତ ରାତିରେ ବିନା ଦ୍ବିଧାରେ ଯାତାୟାତ କରିପାରିବ ସେତେବେଳେ ଆମେ ସ୍ବାଧୀନ ରାଷ୍ଟ୍ରର ନାଗରିକ ବୋଲି କହିବା। ହେଲେ ଏବେ ବି ତାହା ସମ୍ଭବ ହୋଇପାରି ନାହିଁ। ସେହିଭଳି ଗଣତନ୍ତ୍ରରେ କହିବାର ଅଧିକାର ସମସ୍ତଙ୍କ ରହିଛି। ହେଲେ ଏବେ ସେହି ଅଧିକାରକୁ ମଧ୍ୟ ଆମଠାରୁ ଛଡ଼ାଇ ନିଆଯାଇଛି। ଏହାସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କବିତା ପଂକ୍ତିକୁ ଉଦ୍ଧାର କରି ତାଙ୍କ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା ଉପରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମହାରାଷ୍ଟ୍ରର ବିଧାୟକ ରବୀନ୍ଦ୍ର ଢାଙ୍ଗେକର ଓ ଜନନେତା ତଥା ସମାଜସେବୀ ଭଗବାନ ଶିଭରାମ ଭୈରାଟ ଯୋଗ ଦେଇଥିଲେ। ଏଥିରେ ବିଭିନ୍ନ ରାଜ୍ୟରେ କ‌ାର୍ଯ୍ୟରତ ୩୦ ଜଣ ସ୍ୱେଚ୍ଛାସେବୀଙ୍କୁ ଉତ୍କଳମଣି ଗୋପବନ୍ଧୁ ସମ୍ମାନ ପ୍ରଦାନ କରାଯିବା ସହିତ ହସ୍ପିଟାଲର ଶବ ବ୍ୟବଛେଦକାରୀ, ଆମ୍ବୁଲାନ୍ସ ଚାଳକ ଓ କରୋନା ଯୋଦ୍ଧାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତୀୟ କଳା ସଂସ୍କୃତି ସ୍ଥାପତ୍ୟକୁ ବଜାୟ ରଖିବା ନିମନ୍ତେ ବିଭିନ୍ନ ପ୍ରକାର ଲୋକନୃତ୍ୟ, ଦେଶାତ୍ମବୋଧକ, ଆଧ୍ୟାତ୍ମିକ, ଓଡ଼ିଶୀ, ସମ୍ବଲପୁରୀ, କଥକ, ବିହୁ, ଭାରତନାଟ୍ୟମ୍ ଆଦି ପରିବେଷଣ କରାଯାଇଥିଲା।
ସଂଗଠନର ମୁଖ୍ୟ ସୌମ୍ୟରଞ୍ଜନ ମହାପାତ୍ର ଜନସାଧାରଣଙ୍କ ସଂପୃକ୍ତିରେ ହିଁ ପରିବର୍ତ୍ତନ ସମ୍ଭବ ଓ ସହଜସାଧ୍ୟ ହୋଇପାରିବ ବୋଲି ଦର୍ଶାଇଥିଲେ।

ସମାଜରେ ବିଭିନ୍ନ ପ୍ରସଙ୍ଗରେ ଜାଗରଣ ସୃଷ୍ଟି କରିବା, ଅସହାୟଙ୍କୁ ସହଯୋଗ କରିବା, ବସ୍ତି ଅଞ୍ଚଳରେ ପିଲାଙ୍କୁ ଶିକ୍ଷା ସୁବିଧା ଯୋଗାଇବା, ବରିଷ୍ଠ ନାଗରିକଙ୍କ ପ୍ରତି ସହାନୁଭୂତି ଦେଖାଇବା ଓ ପରିବେଶକୁ ସ୍ବଚ୍ଛ ରଖିବାକୁ ‘ସ୍ପ୍ରେଡ୍ ହେପିନେସ ଫାଉଣ୍ଡେସନ୍’ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଶ୍ରୀ ମହାପାତ୍ରଙ୍କ ସମେତ ସଂଗଠନର ସମ୍ପାଦକ ଆନନ୍ଦ ମହାପାତ୍ର ଓ ଉପସଭାପତି ବୈଜୟନ୍ତୀ ବାରିକ ସଭାକୁ ପରିଚାଳନା କରିଥିଲେ। ଭୁବନେଶ୍ୱରସ୍ଥିତ ଫ୍ୟୁଚର ସଲ୍ୟୁସନ ସଫ୍ଟୱେର କମ୍ପାନିର ସୀତେଶ ପଟ୍ଟନାୟକ ଓ ତୁଷାର ମହାନ୍ତ ଏଥିରେ ସହଯୋଗ କରିଥିଲେ। ଅକ୍ଷୟ ଜେନା, ବିଜୟ ବେହେରା, ଦୀପ୍ ମହାନ୍ତି, ବାଲାଜୀ ପାତ୍ର, ଶ୍ରୀକାନ୍ତ ପରିଡ଼ା, ପ୍ରଦୀପ ବେହେରା, ଜୟନ୍ତ ଦୀପ୍, ଇସା ମିଶ୍ର, ପ୍ରଣତି ମହାପାତ୍ର, ଇଶିତା ଭୂମକର, ସରୋଜ ରାଉଳ, ସତ୍ୟପ୍ରକାଶ ଦାସ, ଗଣେଶ ମହାନ୍ତି, ଅଭିଷେକ ଓ ସଚ୍ଚି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ। ସିମ୍‌ବୋସିସ୍ ଓ ଜେ.ଏସ୍.ପି.ଏମ. କଲେଜର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥି‌ଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button