ଅନଲାଇନ୍ ଗେମିଂ ଆପ୍ ପଛରେ ଚୀନ୍ ନାଗରିକ, ଭାରତରୁ ଠକି ନେଲେଣି ୪୦୦ କୋଟି
ନୂଆଦିଲ୍ଲୀ: ଏକ ଅନଲାଇନ୍ ଗେମିଂ ଆପ୍ ଜରିଆରେ ହୋଇଛି ୪୦୦ କୋଟି ଟଙ୍କାର ଠକେଇ। କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଡ଼ଉ ପରେ ଏହି ଠକେଇର ପର୍ଦ୍ଦାଫାସ ହୋଇଛି। ତେବେ ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି।
ରିପୋର୍ଟ ଅନୁସାରେ, ଇଡି ଅନଲାଇନ୍ ଗେମିଂ ଆପ୍ ଫିୱିନ୍ ଉପରେ ଚଢାଉ କରି ଏହା ସହ ସହ ଜଡ଼ିତ ଥିବା କେତେକ ଚୀନ୍ ନାଗରିକଙ୍କ ଆକାଉଣ୍ଟ ଓ ସେଥ୍ଖରେ ଥିବା ପ୍ରାୟ ୨୫ କୋଟି ଟଙ୍କାକୁ ଅଚଳ କରିଛି।
ପୂର୍ବରୁ ଏହି ଠକେଇରେ ଚୀନ୍ ନାଗରିକଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗରେ କଲକାତାର ୪ ଜଣ ନାଗରିକଙ୍କୁ ଇଡି ଗିରଫ କରିଥିଲା। ଅନ୍ଲାଇନ୍ ଆପ୍ ଠକେଇ ନେଇ ଏକାଧିକ ମାମଲା ଆସିବା ପରେ ପୁଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମାମଲା ହସ୍ତାନ୍ତର କରିଥିଲା। ଏହାପରେ ପୁଲିସ କଲକାତାର ୪ ଜଣଙ୍କୁ ଗିରଫ କରି ଘଟଣା ଉପରେ ଖୋଳତାଡ଼ ଆରମ୍ଭ କରିଥିଲା। ବିଶ୍ୱର ସର୍ବବୃହତ୍ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କମ୍ପାନୀ ବିନାନ୍ସ ସହାୟତାରେ ଇଡି ଏହି ତଦନ୍ତ କରିଥିଲା।
ବିନାନ୍ସର ରିପୋର୍ଟ ଅନୁସାରେ, ମିନି ଗେମ୍ ଖେଳିବା ଦ୍ୱାରା ଉପଭୋକ୍ତାମାନଙ୍କୁ ସହଜରେ ଟଙ୍କା ରୋଜଗାରର ସୁଯୋଗ ଦେଇ ଠକେଇ କରୁଥିଲା ଫିୱିନ୍। ୟୁଜର୍ ଆପର ଆକାଉଣ୍ଟ ଖୋଲିବା ମାତ୍ରେ ଏହାର ଗେମିଂ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଏହାପରେ ଗେମରୁ ରୋଜଗାର କରୁଥିବା ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ହୁଏ। ଯେତେବେଳେ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଜମା ହୋଇଯାଏ, ସେତେବେଳେ ତୁରନ୍ତ ସେମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଏ। ବ୍ୟବହାରକାରୀମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରନ୍ତିନାହିଁ। ଏହାପରେ ଏହି ସବୁ ଟଙ୍କା ବିଭିନ୍ନ କ୍ରିପ୍ଟୋକରେନ୍ସି ଠିକଣାକୁ ସ୍ଥାନାନ୍ତର ହୋଇଥାଏ। ଏହି ଉପାୟରେ ଫିୱିନ୍ଆପ୍ ଭାରତରୁ ପ୍ରାୟ ୪୦୦ କୋଟି ଟଙ୍କା ଲୁଟ୍ କରିଥିବା ଇଡି ତଦନ୍ତରୁ ଜଣାପଡିଛି।