IBN ଓଡ଼ିଶା ବ୍ୟୁରୋ

ସିରିଞ୍ଜ ଛାଡିଲେ ନର୍ସିଂ କର୍ମଚାରୀ, ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର: ଗତ ୪ ଦିନ ଧରି ଆନ୍ଦୋଳନରେ ବସିଥିବା ନର୍ସିଂ କର୍ମଚାରୀ ଆଜି ସିରିଞ୍ଜ ଛାଡ କରିଛନ୍ତି । ସଂପୂର୍ଣ୍ଣ ସେବା ବନ୍ଦ କରି ୧୦ ଦଫା ଦାବିରେ ଅହୋରାତ୍ର ଆନ୍ଦୋଳନର ଡାକରା ଦେଇଛନ୍ତି ନର୍ସିଂ ଷ୍ଟାଫ୍ । ଫଳରେ ବହୁ ସ୍ଥାନରେ ରୋଗୀ ସେବା ବ୍ୟାହତ ହୋଇଛି । ତେବେ ୪ ଦିନ ଆନ୍ଦୋଳନରେ ବସିଥିଲେ ମଧ୍ୟ ଜରୁରୀକାଳୀନ ସେବା ପାଇଁ ଉପଲବ୍ଧ ଥିଲେ ନର୍ସିଂ ଷ୍ଟାଫ୍ ।

ହେଲେ ଆଜି ସଂପୂର୍ଣ୍ଣ ସେବା ଠପ୍ କରି ଆନ୍ଦୋଳନ ଜୋର ଦାର କରିଛନ୍ତି । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରୋଗୀମାନେ । ଏମିତିକି ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ନର୍ସ ମିଳୁନାହାନ୍ତି ।

ତେବେ ଆଜକୁ ୪ ଦିନ ଧରି ଚାଲିଥିବା ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ ଆଜି ତୀବ୍ରତର ହୋଇଛି । ରାଜ୍ୟର ବିଭିନ୍ନ ମେଡିକାଲରୁ ପ୍ରାୟ ୧୫ ହଜାର ନର୍ସିଂ କର୍ମଚାରୀ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଗତ ବୁଧବାର ଓ ଗୁରୁବାର ଆନ୍ଦୋଳନ କରିଥିଲେ ମଧ୍ୟ ଜରୁରୀକାଳୀନ ସେବା ଯୋଗାଉଥିଲେ ନର୍ସିଂ କର୍ମଚାରୀ । ହେଲେ ୩ଦିନ ଧରି ସରକାର ଦାବି ନଶୁଣିବାରୁ ଗତକାଲି ରାତିରୁ ନର୍ସିଂ କର୍ମଚାରୀ ମାନେ ସିରିଞ୍ଜ ଛାଡ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ସ୍ବାସ୍ଥ୍ୟ ସେବା ବ୍ୟାଘ୍ରତ ହୋଇଛି ।

ତେବେ କହିରଖୁଛୁ, ନର୍ସିଂ ଷ୍ଟାଫଙ୍କ ୧୦ ଦଫା ଦାବି ଅନୁଯାୟୀ, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ସହ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । ଏଥିସହିତ ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରମାନଙ୍କୁ ସ୍ଥାୟୀ ପଦବୀ, ଠିକା ସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜିତ ହୋଇଥିବା ଆଦେଶ ପ୍ରତିହାର କରିବାକୁ ସରକାରଙ୍କ ଆଗରେ ଦାବି ରଖିଛନ୍ତି ।

ସେପଟେ ନର୍ସିଂ କର୍ମଚାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇ ସେମାନଙ୍କୁ ଆନ୍ଦୋଳନରୁ ଉଠି କାର୍ଯ୍ୟ ଚାଲୁକରିବା ପାଇଁ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Related Articles

Leave a Reply

Your email address will not be published. Required fields are marked *

Back to top button