ରାଜ୍ୟ

ଚାନ୍ଦିମେଢ଼ରେ ଦର୍ଶନ ଦେବେ ମା’, ସହିଦନଗରରେ ଆକର୍ଷଣ ସାଜିବ କାଳ୍ପନିକ ବାର୍ବିଡଲମାନେ ରହୁଥିବା ପ୍ୟାଲେସ ସଦୃଶ

ଭୁବନେଶ୍ୱର,୨୯/୦୯: ଶାରଦୀୟ ମହୋତ୍ସବକୁ ଆଉ ଦିନ କେଇଟା ରହିଲା । ସେଥିପାଇଁ ଚଳଚଞ୍ଚଳ ହୋଇଗଲାଣି ରାଜଧାନୀରେ ଥିବା ବିଭିନ୍ନ ଦୁର୍ଗାପୂଜା ସମିତି । ଏହାରି ଭିତରେ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ମଧ୍ୟ ମା’ଙ୍କ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ପରିବେଶ ଅନୁକୂଳ ସାମଗ୍ରୀକୁ ବ୍ୟବହାର କରି ଏହି ଅନୁଷ୍ଠାନ ପକ୍ଷରୁ ତୋରଣ ପ୍ରସ୍ତୁତ ହେଉଛି ।

ଯାହା କାଳ୍ପନିକ ବାର୍ବିଡଲମାନେ ରହୁଥିବା ପ୍ୟାଲେସ ସଦୃଶ ହେବ । ବିଶେଷକରି ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ ଚାନ୍ଦିମେଢ଼ ମଣ୍ଡିତ ମା’ଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।

ଚଳିତ ବର୍ଷ ଏହି ଅନୁଷ୍ଠାନ ୪୭ ବର୍ଷରେ ପଦର୍ପଣ କରୁଛି । ଏଭଳି କାଳ୍ପନିକ ଏବଂ ନିଆରା ଢଙ୍ଗର ତୋରଣ ପ୍ରସ୍ତୁତ କରିବା ପାଇଁ ପଶ୍ଚିମବଙ୍ଗର ୮୦ରୁ ଊଦ୍ଧ୍ୱର୍ କାରିଗର କାମରେ ଲାଗିଛନ୍ତି । ତୋରଣର ଉଚ୍ଚତା ୧୦୫ ଫୁଟ ହୋଇଥିବା ବେଳେ ଚଉଡ଼ା ୧୨୦ ଫୁଟ ରହିବ । ମା’ ଙ୍କୁ ସୁନା ଓ ରୁପାର ଅଳଙ୍କାରରେ ସଜାଇ ଦିଆଯିବ । ମା’ ଦୁର୍ଗାଙ୍କର କେତେକ ଅସ୍ତ୍ର ମଧ୍ୟ ରୁପାରେ ଶୋଭା ପାଇବ । ପୂଜାର ମୁଖ୍ୟ ଆକର୍ଷଣ ହେଉଛି ଚାନ୍ଦି ମେଢ଼ରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେବେ । କଟକର କାରିଗରମାନେ ମା’ ଙ୍କ ମୂର୍ତ୍ତି ପ୍ରସ୍ତୁତିରେ ଲାଗିଛନ୍ତି । ୧୯୭୮ରେ ଯେମିତି ରୀତିନୀତିର ସହିତ ମା’ଙ୍କୁ ଆବାହନ କରାଯାଉଥିଲା, ଏବେ ବି ସେହି ନିୟମରେ ପୂଜା କରାଯାଉଛି । ଗୁଡ଼ିଆ ଘରେ ଦୁର୍ଗାଙ୍କ ପାଖରେ ଭୋଗଲାଗୁଥିବା ଗଜା, ଲଡ଼ୁ , କାକରା, ଖଜା ଭଳି ୮ ରୁ ୧୦ ପ୍ରକାର ମିଠା ଓ ପିଠା ପ୍ରସ୍ତୁତ ହୋଇଥାଏ । ସପ୍ତମୀ ଦିନ ଚୁଡ଼ା ଘଷା, ଅଷ୍ଟମୀ ଦିନ ମଣ୍ଡାପିଠା, ନବମୀରେ ସେଓ ବୁନ୍ଦି, ଦଶମୀରେ ଫଳ ଭୋଗ ଓ ଚରୁ ଅର୍ଣ୍ଣ ମା’ ଙ୍କ ପାଖେ ଭୋଗ ଲାଗି କରାଯିବ । ପ୍ରତିଦିନ ଭକ୍ତମାନଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯିବ ।

ଏଥିସହିତ ପ୍ରତିଦିନ ଭଜନ ସମାରୋହକୁ ଭକ୍ତମାନେ ଉପଭୋଗ କରିପାରିବେ । ଜନସମାଗମକୁ ଲକ୍ଷ୍ୟରଖି ସମିତି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ୧୦୦ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ଅନୁଷ୍ଠାନର ଉପଦେଷ୍ଟା ସୁଧୀର କୁମାର ଶତପଥୀ, ଉପସଭାପତି ଚନ୍ଦନ କୁମାର ପାଲିତ, ଅଚ୍ୟୁତ ପ୍ରସାଦ ବେହେରା, କର୍ପୋରେଟର ରାଜକିଶୋର ଦାସ, ଯୁଗ୍ମସମ୍ପାଦକ ବିଶ୍ୱ ପ୍ରସାଦ ମହାନ୍ତି, ମହେନ୍ଦ୍ର କୁମାର ତ୍ରିପାଠୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button