ଏନ୍କାଉଣ୍ଟରରେ ଟଳିଲେ ୨ଆତଙ୍କବାଦୀ
ନୂଆଦିଲ୍ଲୀ,୨୯/୯: ଜମ୍ମୁ-କଶ୍ମୀରରେ ପୁଣି ଏନ୍କାଉଣ୍ଟର। ସେନା ଗୁଳିରେ ଦୁଇ ଆତଙ୍କବାଦୀ ଟଳିଥିବାବେଳେ ଅତଙ୍କବାଦୀଙ୍କ ସହ ମୁକାବିଲା ବେଳେ ଜଣେ ହେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି।
ସୂଚନା ମୁତାବକ, ଜମ୍ମୁ-କଶ୍ମୀର କଠୁଆରେ ଶନିବାର ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା।
ଏହି ସମୟରେ କଠୁଆ ଜିଲ୍ଲାର କୋଗ-ମଣ୍ଡଳି ଗାଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ଆତଙ୍କବାଦୀଙ୍କ ସହ ମୁକାବିଲା ବେଳେ ପୋଲିସ ହେଡ୍ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ତେବେ ମୃତକ ଜଣକ ହେଲେ ବାସିର ଅହମ୍ମଦ। ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଡେପୁଟୀ ଏସପି ମଧ୍ୟ ଆହତ ହୋଇଛନ୍ତି।
ଏନେଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ଜମ୍ମୁର ଅତିରିକ୍ତ ପୋଲିସ୍ ଡିଜି। ଅଧିକାରୀଙ୍କ ସୂଚନା ଅନୁସାରେ ଆରମ୍ଭରୁ ଗୁଳି ବିନିମୟ କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା କିନ୍ତୁ ପରେ ଉଭୟ ପକ୍ଷ ମଧ୍ୟରେ ଭାରି ଗୁଳିଚାଳନା ଆରମ୍ଭ ହୋଇଯାଇଥିଲା । ସେପଟେ ଗତକାଲି ସନ୍ଧ୍ୟାରେ କୁଲଗାମ ଜିଲ୍ଲାରେ ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଜଣେ ଅଧିକାରୀଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।