ରାଜ୍ୟ

ମୋହନ ସରକାରଙ୍କ ଲକ୍ଷ୍ୟ: ୫ ବର୍ଷରେ ୫ଲକ୍ଷ କୋଟି ପୁଞ୍ଜି

ଭୁବନେଶ୍ବର: ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଲାଗି ଗୁରୁବାର ନୂଆଦିଲ୍ଲୀରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫’ ରୋଡ୍ ସୋ’ ଆୟୋଜନ କରାଯିବ। ସେଥିରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଗତ ୧୦୦ ଦିନରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିଛି।

ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆଣିବାକୁ ଆମର ଲକ୍ଷ୍ୟ ରହିଛି। ଦିଲ୍ଲୀ କାର୍ଯ୍ୟକ୍ରମରେ ଓଡ଼ିଶାକୁ ବଡ଼ ସଂଖ୍ୟାରେ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବ।

ନିବେଶକଙ୍କୁ ଓଡ଼ିଶା ଆସିବାକୁ ନିବେଦନ କରିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିବ ବୋଲି ସେ କହିଛନ୍ତି। ଏଥିପାଇଁ ସେ ରାଜ୍ୟବାସୀଙ୍କ ଆଶୀର୍ବାଦ ମଧ୍ୟ ଲୋଡ଼ିଛନ୍ତି। ଏହି ରୋଡ୍ ସୋ’ରେ ନରୱେ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ୍, ଜାପାନ, ବ୍ରାଜିଲ୍, ଆର୍ଜେଣ୍ଟିନା, ଆମେରିକା, ଥାଇଲ୍ୟାଣ୍ଡ, ଭିଏତନାମ ଓ ବ୍ରିଟେନ୍ ଭଳି ୩୪ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ। ୯ଟି ଦେଶର ପ୍ରବାସୀ ସଂଘ ମଧ୍ୟ ଏଥିରେ ଯୋଗଦେବେ।

କାର୍ଯ୍ୟକ୍ରମ ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ଉତ୍କର୍ଷ ଓଡ଼ିଶା ରୋଡ୍ ସୋ’ରେ ପ୍ରମୁଖ ଦେଶ ଓ ଶ୍ରେଷ୍ଠ ବ୍ରାଣ୍ଡ୍ଗୁଡ଼ିକ ଅଂଶଗ୍ରହଣ କରୁଥିବାରୁ ଓଡ଼ିଶାକୁ ଏହା ବ୍ୟବସାୟ ଓ ନବସୃଜନ ପାଇଁ ଏକ ପ୍ରମୁଖ ସ୍ଥାନ ଭାବେ ଉପସ୍ଥାପିତ କରିବ। ଉଲ୍ଲେଖେଯାଗ୍ୟ, ରାଜ୍ୟ ସରକାର ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରଠାରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ଆୟୋଜନ କରିବାକୁ ଘୋଷଣା କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button