ମିଛ କହି ନିର୍ବାଚନ ଜିତା ଯାଇପାରେ, ଲୋକଙ୍କ ହୃଦୟ ନୁହେଁ: ନବୀନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ଗଡ଼ ବ୍ରିଟ୍ କଲୋନିସ୍ଥିତ ନେତାଜୀ ଖେଳ ପଡ଼ିଆରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ସେ କହିଥିଲେ, ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ସହ ରହି ଆସିଛୁ। ମୁଁ କ୍ଷମତାରେ ଥାଏ ବା ନଥାଏ, ରାଜ୍ୟବାସୀଙ୍କ ସେବା ସବୁବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର, ଓଡ଼ିଶାବାସୀଙ୍କ ସେବା କରି ଚାଲିବି। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ବିଜେଡିର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି।
ଶ୍ରୀ ପଟ୍ଟନାୟକ ରାଜ୍ୟ ବିଜେପି ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି, ୨୦୨୪ ନିର୍ବାଚନରେ ଯଦିଓ ବିଜେପି ସରକାର ଗଠନ କରିଛି ହେଲେ ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି। ବିଜେଡି ରାଜ୍ୟବାସୀଙ୍କ ସେବା କରି ଚାଲିବ ଏବଂ ବିଜେଡିର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଏହି ଜନସମ୍ପର୍କ ପଦଯାତ୍ରା ସହାୟତାରେ ବିଜେପିର ମିଛକୁ ଲୋକଲୋଚନକୁ ଆଣିବେ। ବିଜେପି ମିଛ ପ୍ରତିଶ୍ରୁତି ଦେଇ ମିଛ କାହାଣୀ କହି ଆଜି ରାଜ୍ୟରେ କ୍ଷମତାକୁ ଆସିଛି। ୩୦୦ ୟୁନିଟ୍ ମାଗଣା ବିଜୁଳି, ତିନି ହଜାର ଟଙ୍କା ଭତ୍ତା, ମା’ମାନଙ୍କ ପଚାଶ ହଜାର ଟଙ୍କା କୁଆଡ଼େ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ କହି ଭୋଟ୍ ନେଲେ। ଏବେ ବିଜେପିର ମିଛ ଧରା ପଡ଼ିଯାଇଛି। ଦରଦାମ ବଢ଼ି ଚାଲିଛି। ମା’ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି। ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହନ୍ତି। ବିଜେପି ସରକାର ଉପରେ ଲୋକ ଭରସା କରିପାରୁ ନାହନ୍ତି। ସେମାନେ ମିଛ କହି ନିର୍ବାଚନ ଜିତି ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ସେ କହିଥିଲେ।
ପଦଯାତ୍ରାରେ ଉପସ୍ଥିତ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦାୟିତ୍ୱବାନ ବିରୋଧୀ ଦଳ ଭାବରେ ବିଜେପିର ଅନ୍ୟାୟ, ଅତ୍ୟାଚାର ବିରୋଧରେ ସାରା ରାଜ୍ୟରେ ବିଜେଡି ସ୍ୱର ଉଠାଇବ। ଏହି ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟରଙ୍କ ସହ ସମସ୍ତ ବିଜେଡି କର୍ପୋରେଟର ସାମିଲ୍ ହୋଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପଦଯାତ୍ର ହୋଇଛି। ଏହା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଦୁର୍ଗାପୂଜା ପରେ ଅକ୍ଟୋବର ୨୧ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।