ରାଜ୍ୟ

ପାଟଣାଗଡ଼ରେ ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ

ଭୁବନେଶ୍ବର: ଶିଳ୍ପପତି ତଥା ସମାଜସେବୀ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଏହାର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪ ବର୍ଗଫୁଟର ଏକ ବିଶାଳ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଈସଲୱାର, ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀ, ଡିଆରଡିଏର ପିଡି ପ୍ରଭାତ ମହାପାତ୍ର, ପାଟଣାଗଡ଼ ଉପଜିଲ୍ଲାପାଳ ଅମିତ କୁମାର ନାୟକ ଓ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସିଇଓ ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲିଙ୍କ ସମେତ ୩୦୦୦ରୁ ଅଧିକ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ।

ଏହି ଅନନ୍ୟ ଅଭିଯାନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ପ୍ରଶଂସା କରିଥିଲେ। ଜାତୀୟ ପତାକା ହିଁ ଆମର ପରିଚୟ ଓ ଗୌରବ। ଏହା ଆମ ସମସ୍ତଙ୍କୁ ଏକାଠି କରିଥାଏ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ କହିଥିଲେ। ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍) ପ୍ରଶାନ୍ତ ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜିନ୍ଦଲଙ୍କ ନେତୃତ୍ୱରେ ଫାଉଣ୍ଡେସନ ୨୦୦୯ରୁ ସମଗ୍ର ଭାରତରେ ସ୍ମାରକୀ ଜାତୀୟ ପତାକା ପୋଷ୍ଟ ସ୍ଥାପନ କରିବାର କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୫୦ଟି ଜାତୀୟ ପତାକା ପୋଷ୍ଟ ପ୍ରତିଷ୍ଠା ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୭ଟି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button