ଖେଳ

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଆଜିଠୁ

ସାରଜା: ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ନବମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବ। ଗ୍ରୁପ୍ ଓ ନକ୍ଆଉଟ୍ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ୧୦ ଦଳିଆ ବିଶ୍ବ ଲଢ଼େଇର ପ୍ରଥମ ମ୍ୟାଚ୍ରେ ଆସନ୍ତାକାଲି ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ।

ଅନ୍ୟତମ ଟ୍ରଫି ଦାବିଦାର ଭାରତ ତାର ଅଭିଯାନ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ସଂଧ୍ୟା ୬ଟାରୁ ଖେଳାଯିବ।

ଭାରତୀୟ ଦଳ ତାର ଦ୍ବିତୀୟ ମ୍ୟାଚ୍ରେ ୬ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍ ପର୍ଯ୍ୟାୟ ଶେଷ କରିବ। ଚଳିତ ଅକ୍ଟୋବର ୨୦ ତାରିଖରେ ଫାଇନାଲ୍ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍-‘ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍ରେ ନ୍ୟୁଜିଲାଣ୍ଡ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି। ଏଣୁ ଭାରତର ଅଭିଯାନ ସେତେଟା ସହଜ ହେବନି ବୋଲି ଅନୁମାନ କରାଯାଉଛି। ତଥାପି ହର୍ମନପ୍ରୀତଙ୍କ ଭାରତୀୟ ଦଳ ଏଥର ବିଶ୍ବକପ୍ ଜିତି ଇତିହାସ ରଚିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗତଥର କିନ୍ତୁ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା।

ଏଥର ମଧ୍ୟ ୬ ଥର ବିଜେତା କଙ୍ଗାରୁ ଦଳ ପୁନର୍ବାର ବିଶ୍ବକପ୍ ଜିତିବା ଲାଗି ନିଜ ଦାବିଦାରି ଉପସ୍ଥାପନ କରିଛି। ଇଂଲଣ୍ଡ ମଧ୍ୟ ପ୍ରତିଯୋଗିତାର ଅନ୍ୟତମ ଶକ୍ତିଶାଳୀ ଦଳ। ଭାରତ ବିଜେତା ହେବା ବାଟରେ ଏହି ଦୁଇ ଦଳ ହିଁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇପାରନ୍ତି। ୨୦୨୦ ମସିହାର ଫାଇନାଲ୍ ପ୍ରବେଶ ବିଶ୍ବକପ୍ରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇରହିଛି। ୨୦୨୩ର ଗତ ସଂସ୍କରଣରେ ଭାରତ ସେମିଫାଇନାଲ୍ ଆଗକୁ ବଢ଼ି ପାରି ନଥିଲା। ଏଣୁ ଏଥର ଦଳ ଟ୍ରଫି ବିଜୟର ପ୍ରତୀକ୍ଷିତ ଲକ୍ଷ୍ୟ ପୂରଣ କରିବାକୁ ପ୍ରାଣପଣେ ଚେଷ୍ଟା କରିବ ବୋଲି ଦଳର ପ୍ରମୁଖ ବ୍ୟାଟର୍ ତଥା ବରିଷ୍ଠ ଖେଳାଳି ସ୍ମୃତି ମନ୍ଧାନା କହିଛନ୍ତି। ବିଶ୍ବକପ୍କୁ ଯିବା ପୂର୍ବରୁ ଭାରତୀୟ ଦଳକୁ କିନ୍ତୁ ଚଳିତବର୍ଷ ମିଶ୍ରିତ ଫଳ ମିଳିଛି। ହର୍ମନପ୍ରୀତଙ୍କ ଦଳ ବର୍ଷ ଆରମ୍ଭରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ହାରିଥିଲା। ତେବେ ବାଂଲାଦେଶ ବିପକ୍ଷରେ ଲଗାତାର ଦୁଇଟି ଶୃଙ୍ଖଳା ଜିତି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ଅମୀମାଂସିତ ରଖିବା ପରେ ଏସିଆ କପ୍ ଫାଇନାଲ୍ରେ ଶ୍ରୀଲଙ୍କାଠାରୁ ହାରି ଯାଇଥିଲା ଭାରତ।

ଭାରତୀୟ ଦଳ:ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ୍, ରିଚା ଘୋଷ, ୟାସିକା ଭାଟିଆ, ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ, ଡାୟାଲନ୍ ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଂଜନା ସଂଜୀବନ।

Related Articles

Leave a Reply

Your email address will not be published. Required fields are marked *

Back to top button