ରାଜ୍ୟ

ପିସିସି ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି। ଏହି ଉପଲକ୍ଷେ ସକାଳେ ରାଜଧାନୀର ନାଲ୍କୋ ଛକଠାରେ ଥିବା ମହାତ୍ମା ଗାନ୍ଧୀ ପାର୍କରେ କଂଗ୍ରେସ ନେତୃବୃନ୍ଦ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସେଠାରୁ ଏକ ପ୍ରଭାତ ଫେରି ପଦଯାତ୍ରାରେ ବାହାରି କଂଗ୍ରେସ ଭବନରେ ପହଞ୍ଚିଥିଲେ। ପିସିସି କାର୍ଯ୍ୟାଳୟରେ ଥିବା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ପରେ ପିସିସି କାର୍ଯ୍ୟାଳୟରେ ‘ମହାତ୍ମା ଗାନ୍ଧୀ ଓ ଆର୍ନ୍ତଜାତିକ ଅହିଂସା ଦିବସ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ କହିଥିଲେ, ଭାରତରେ ଗାନ୍ଧୀବାଦକୁ ମାରିଦେବା ପାଇଁ ପ୍ରକାରାନ୍ତରେ ଚକ୍ରାନ୍ତ ଚାଲିଥିବା ବେଳେ ସେହି ସମୟରେ ବିଶ୍ବବାସୀ ଗାନ୍ଧୀବାଦକୁ ଆପଣାଇ ନେଇଛନ୍ତି। ଗାନ୍ଧୀଜୀ କହୁଥିଲେ ମୁଁ ଅହିଂସାରେ ବିଶ୍ବାସ କରେ କିନ୍ତୁ ଏହା ଦୁର୍ବଳତାର ଅହିଂସା ନୁହେଁ। ଅହିଂସା ସବଳର ଆୟୁଦ୍ଧ ଭାବେ କାର୍ଯ୍ୟକରୁ ବୋଲି ହୃଦୟରୁ ଚାହିଁଥାଏ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଥିଲେ, ମହାତ୍ମା ଗାନ୍ଧୀ ଏଭଳି ଜଣେ ମଣିଷ ଥିଲେ ଯାହାଙ୍କ ସ୍ବର ଅତ୍ୟନ୍ତ କ୍ଷୀଣ ଥିଲା। କିନ୍ତୁ ତାଙ୍କ ବାକ୍ୟର ଗାମ୍ଭୀର୍ଯ୍ୟ ଓ ପ୍ରୟୋଗ ଅନ୍ୟମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲା। କାର୍ଯ୍ୟକ୍ରମକୁ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ। ବିଶ୍ବଜିତ ଦାଶ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ମହମ୍ମଦ ମୋକିମ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍ଗୋ, ବିଶ୍ବରଂଜନ ମହାନ୍ତି, ନଗେନ୍ଦ୍ର ପ୍ରଧାନ, ମନୋରଂଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମଧୁସ୍ମିତା ସେଠୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଅମୀୟ ପଟ୍ଟନାୟକ ଓ ଅନ୍ୟମାନେ ସାମିଲ ହୋଇଥିଲେ। ସେହିପରି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ସଭାପତି ଉଦିତ ପ୍ରଧାନଙ୍କ ନେତୃତ୍ବରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ପାର୍କରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଖିଳେଶ ଯାଦବ, ଆଶିଷ ମାହୁନ୍ତ, ରାଜେଶ ଦାଶ, ସୌମ୍ୟରଂଜନ ବରାଳ, ଲେନିନ ଜେନା ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button