ରାଜ୍ୟ

ଲୁଟୁଛନ୍ତି, ୨୦ ବର୍ଷରେ ଖଣି ସାରିଦେବେ – Ibnodisha

[ad_1]

ପୁରୀ: ଓଡ଼ିଶା ସରକାର ପୁଞ୍ଜିପତିଙ୍କ ଚାଟୁକାର ସାଜିଛନ୍ତି। ବଡ଼ ବଡ଼ କମ୍ପାନି, ପୁଞ୍ଜିପତିଙ୍କ ପାଇଁ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦଳିଚକଟି ଦିଆଯାଉଛି। ଜଳ, ଜଙ୍ଗଲ, ଜମିର ହରିଲୁଟ୍‌ ଚାଲିଛି। ଖଣିଜ ସମ୍ପଦରେ ଭରପୂର ଓଡ଼ିଶାର ପରିବେଶକୁ ନଷ୍ଟଭ୍ରଷ୍ଟ କରାଯାଉଛି। ଏହା ବିରୋଧରେ ଆମକୁ ଏକ ହେବାକୁ ହେବ। ନିଜର ଅଧିକାର ପାଇଁ ସଂଗ୍ରାମ କରିବାକୁ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହି ସମ୍ପଦକୁ ବଞ୍ଚାଇ ରଖିବାକୁ ହେବ। ଶ୍ରୀକ୍ଷେତ୍ର ମାଟିରେ ଆଜି ଏଭଳି ଆହ୍ବାନ ଦେଇଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ନର୍ମଦା ବଞ୍ଚାଅ ଆନ୍ଦୋଳନର ପୁରୋଧା ମେଧା ପାଟେକର।

ରାଜ୍ୟ ସରକାର ବେଦାନ୍ତକୁ ପୁରୀର ବାଇଶିମୌଜାର ପ୍ରାୟ ୮ହଜାର ଏକର ଜମି ଟେକିଦେବା ମାମଲାରେ ଚାଷୀଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ଆଜି ବେଲଦଳ ବାତ୍ୟା ଆଶ୍ରୟସ୍ଥଳୀ ପଡ଼ିଆରେ କୃଷକ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଚାଷୀଙ୍କ ଗହଣରେ ଆୟୋଜିତ ଏହି ସମାବେଶରେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ନର୍ମଦା ବଞ୍ଚାଅ ଆନ୍ଦୋଳନର ପୁରୋଧା ମେଧା ପାଟେକର ଅତିଥି ଭାବେ ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ଚାଷୀ ଦୁଇ ଅତିଥିଙ୍କୁ ସମଯାଜପୁରଠାରୁ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ପ୍ରଥମେ ବୀରହରେକୃଷ୍ଣପୁରରେ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ ପରେ ସଭାସ୍ଥଳରେ ପହଞ୍ଚିଥିଲେ।

ଏହି ଅବସରରେ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଶାନ୍ତ ଭୂଷଣ କହିଥିଲେ, ଲମ୍ବା ଲଢ଼େଇ ପରେ ବେଦାନ୍ତ ଓ ଓଡ଼ିଶା ସରକାରଙ୍କ ବିରୋଧରେ ଚାଷୀଙ୍କୁ ବଡ଼ ବିଜୟ ମିଳିଛି। ଏଥିରୁ ବୁଝିବା ଦରକାର, ଆଜି ଓଡ଼ିଶା ସହ ସାରା ଦେଶରେ କିଭଳି କୁଶାସନ ଚାଲିଛି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାର କିଭଳି ବଡ଼ ବଡ଼ କମ୍ପାନି ଓ ପୁଞ୍ଜିପତିମାନଙ୍କ ସପକ୍ଷରେ ଯାଇ ସାଧାରଣ ଜନତାକୁ ଅଣନିଃଶ୍ବାସୀ କରି ପକାଉଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶରୁ ସ୍ପଷ୍ଟ ହୋଇଛି, ବେଦାନ୍ତ ବିଶ୍ବବିଦ୍ୟାଳୟ ମାମଲାରେ ମାତ୍ର ଦୁଇଜଣ ବ୍ୟକ୍ତିଙ୍କୁ ନେଇ ଗଠିତ ଅନିଲ ଅଗ୍ରୱାଲ କମ୍ପାନି ଓ ଯାହାର ସେୟାର କ୍ୟାପିଟାଲ ମାତ୍ର ୧ଲକ୍ଷ ଟଙ୍କା ଥିଲା, ସେହି କମ୍ପାନିକୁ ଓଡ଼ିଶା ସରକାର ୬ହଜାର ଚାଷୀଙ୍କ ୮ହଜାର ଏକର ଚାଷ ଜମି ଟେକି ଦେଉଥିଲେ। ନଦୀ, ଜଙ୍ଗଲ, ଚାଷ ଜମି, ମହାପ୍ରଭୁଙ୍କ ଅମୃତମଣୋହୀ ଜମିକୁ ବି ଟେକି ଦେବାକୁ ପ୍ରସ୍ତୁତ ଥିଲେ। ଯିଏ ଆଜି ପର୍ଯ୍ୟନ୍ତ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଚଳାଇନି, ସିଏ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବାକୁ ସ୍ବପ୍ନ ଦେଖାଇ ୮ହଜାର ଏକର ଜମିକୁ ନେଇଯିବାକୁ ଷଡ୍‌ଯନ୍ତ୍ର ଚଳାଇଥିଲା ବୋଲି ଶ୍ରୀ ଭୂଷଣ କହିଛନ୍ତି। ଶ୍ରୀ ଭୂଷଣ କହିଛନ୍ତି, ଏଠି ବଡ ବଡ ପୁଞ୍ଜିପତି, କମ୍ପାନିମାନଙ୍କ ଫାଇଦା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଉଛି। ପ୍ରାକୃତିକ ପରିବେଶକୁ ନଷ୍ଟ କରାଯାଉଛି। ଯେଉଁମାନେ ଏହାର ବିରୋଧ କରୁଛନ୍ତି, ସେମାନଙ୍କୁ ଗୁଳି, ଲାଠି ମାଡ଼ ହେଉଛି, ଅନ୍ୟାୟ ଭାବେ ଗିରଫ କରାଯାଉଛି। ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି। ହିଟଲର୍‌ ବି ଜର୍ମାନୀରେ ଏଭଳି କରିବାକୁ ଚାହୁଥିଲେ, ଯେଉଁଥିପାଇଁ ବିଶ୍ୱଯୁଦ୍ଧ ହେଲା। ଉଭୟ ନବୀନ ଓ ମୋଦୀ ସରକାରଙ୍କ ନୀତି ହେଉଛି, ଦୁଇଜଣ ପରସ୍ପର ସାଥୀରେ ରହି ସଭିଙ୍କ ବିନାଶ କରିବା। ଓଡ଼ିଶା ଖଣିଜ ସମ୍ପଦକୁ ଏମାନେ ଲୁଟି ଚାଲିଛନ୍ତି। ଓଡ଼ିଶାରେ ଯେଉଁଭଳି ଖଣିଜ ସମ୍ପଦ ଲୁଟ୍‌ ଚାଲିଛି, ୨୦ ବର୍ଷରେ ଏହା ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ଶ୍ରୀ ଭୂଷଣ କହିଛନ୍ତି।

ନର୍ମଦା ବଞ୍ଚାଅ ଆନ୍ଦୋଳନର ପୁରୋଧା ଶ୍ରୀମତୀ ପାଟେକର କହିଛନ୍ତି, ଯେତେବେଳେ ବେଦାନ୍ତକୁ ଜମି ବିକିବାକୁ ସରକାର ମନସ୍ଥ କରିଥିଲେ, ସେ ସମୟରେ ନିଜ ମାଟିରେ ବି ଚାଷୀଙ୍କୁ ଇଟା ଖଣ୍ଡେ ପକାଇବାକୁ ଦେଉନଥିଲେ। ଆଜି ଆନ୍ଦୋଳନର ଅନେକ ନେତା ନାହାନ୍ତି। କିନ୍ତୁ ସେମାନଙ୍କ ବଳିଦାନ ବ୍ୟର୍ଥ ଯାଇନି। ଆଜି ଦିଲ୍ଲୀରେ ଜି-୨୦ ବୈଠକ ଚାଲିଛି। ଦେଶ ବିଦେଶରୁ ବଡ଼ ବଡ଼ ନେତା, କମ୍ପାନି ଦିଲ୍ଲୀରେ ଏକାଠି ହୋଇଛନ୍ତି। କିନ୍ତୁ ଜି-୨୦ ବିରୋଧରେ ଆମେ ଆଜି ଯେଉଁ ୨୦ ଏକାଠି ହୋଇଛୁ, ଏହା କମ୍ପାନିରାଜ ବିରୋଧରେ ବିଜୟ ହାସଲ କରି ଲକ୍ଷ୍ୟ ଆଡ଼କୁ ଯିବାର ରାହା ଦେଇଛି। ଆମର ଲକ୍ଷ୍ୟ, ଗଣତନ୍ତ୍ର, ସମ୍ବିଧାନକୁ ବଞ୍ଚାଇବା। ଜଳ, ଜଙ୍ଗଲ, ଜମିକୁ ବଞ୍ଚାଇବା। ଯାହା ଉପରେ ଆଜି ପୁଞ୍ଜିପତିମାନେ ଆକ୍ରମଣ କରି ଚାଲିଛନ୍ତି। ସେମାନଙ୍କ ମଧ୍ୟରେ ବେଦାନ୍ତ ସବୁଠୁ ଅଧିକ ବେଆଇନ କାର୍ଯ୍ୟରେ ଲିପ୍ତ ରହିଛି। ତାମିଲନାଡ଼ୁରେ ୧୩ଜଣଙ୍କୁ ଗୁଳି କରି ମାରି ଦିଆଗଲା। ଯେଉଁଥିରେ ଚାଷୀ, ମତ୍ସ୍ୟଜୀବୀ ଆଦି ଥିଲେ।

ଉପସ୍ଥିତ ଚାଷୀମାନଙ୍କୁ ଆହ୍ବାନ ଦେଇ ଶ୍ରୀମତୀ ପାଟେକର କହିଥିଲେ, ଆପଣମାନେ ପ୍ରକୃତିପ୍ରେମୀ। ପ୍ରକୃତିର ପୁଞ୍ଜି ଆପଣମାନଙ୍କ ହାତରେ ଅଛି। ଏହି ପୁଞ୍ଜି ପାଇଁ ଜୀବନ ବଞ୍ଚୁଛି। ନୂଆନଈ ସହ ଏହାର ଆଖପାଖ ଜଙ୍ଗଲ ବଞ୍ଚୁଛି। ଆଜି ସବୁ ନିୟମକୁ ଦଳିଚକଟି କରି ଦେଇ ବେଦାନ୍ତକୁ ଏତେ ଜମି ସରକାର ଟେକି ଦେଉଥିଲେ। ବେଦାନ୍ତ ବିଶ୍ବବିଦ୍ୟାଳୟ କେବଳ ବାହାନା ଥିଲା, ବିଦେଶୀ କମ୍ପାନି ଏହି ଆଳରେ ସେମାନଙ୍କ କଲୋନି ସ୍ଥାପନ କରିବାକୁ ଚାହୁଥିଲେ। ସମୁଦ୍ର କୂଳରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ମାଡ଼ି ବସିବାର ଲୋଲୁପ ନଜର ଥିଲା। ତଥାପି କମ୍ପାନି ପ୍ରୀତି ନବୀନ ସରକାରଙ୍କ ଯାଇନି। ବେଦାନ୍ତ, ପୋସ୍କୋ ଭଳି କମ୍ପାନିକୁ ଏମାନେ ଜମି, ଜଳ, ଜଙ୍ଗଲ ଆଦି ଲୁଟିବାକୁ ସୁଯୋଗ ଦେଉଛନ୍ତି। ଗରିବ, ଚାଷୀ, ମତ୍ସ୍ୟଜୀବୀଙ୍କ ଅଧିକାର ଛଡାଇ ନେଇଛନ୍ତି। ବେସରକାରୀ ସଂସ୍ଥାକୁ ଆଜି ସରକାରୀ ସଂସ୍ଥା କରି ଦିଆଯାଇଛି। ଆଜି କେବଳ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉଛି, କିନ୍ତୁ ସେମାନଙ୍କ ସଂଗ୍ରାମଙ୍କୁ ଦଳିଚକଟି ଦିଆଯାଇଛି। ଲୋକସଭାଠାରୁ ଉଚ୍ଚ ଗ୍ରାମସଭା। ଗ୍ରାମସଭାର ନିଷ୍ପତ୍ତିକୁ କେହି ଟାଳି ପାରିବେନି। ଗ୍ରାମସଭାକୁ ସଶକ୍ତ କରିବାକୁ ହେବ ବୋଲଇ ଶ୍ରୀମତୀ ପାଟେକର କହିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଓଡ଼ିଶା ଅବା ଭାରତ ବାହାରେ, ଆଜି ଶ୍ରୀଜଗନ୍ନାଥଙ୍କ ଓଡ଼ିଶାର ପରିଚୟ। ଶ୍ରୀଜଗନ୍ନାଥଙ୍କ ଉପରେ ବହୁ ବିଦେଶୀ ବାରମ୍ବାର ଆକ୍ରମଣ କରଛନ୍ତି, ତଥାପି ଓଡ଼ିଶା ତଥା ଭାରତବର୍ଷର ଆତ୍ମା ଶ୍ରୀଜଗନ୍ନାଥ ଏ ପର୍ଯ୍ୟନ୍ତ ତିଷ୍ଠିଛନ୍ତି। କୁହାଯାଉଛି, ଓଡ଼ିଶା ଲୋକେ ଦରିଦ୍ର। କିନ୍ତୁ ଏମାନଙ୍କୁ ଦରିଦ୍ର କରି ରଖିଛି କିଏ? ୨୫ ବର୍ଷ ଭିତରେ ଓଡ଼ିଶାର ରାଜକୋଷ ୩୦ ଗୁଣ ବଢ଼ି ସାରିଲାଣି। କିନ୍ତୁ ଏଠି ଜଣେ ଶାସନକର୍ତ୍ତାଙ୍କ ନାଁରେ ୫-ଟିରେ ଲୁଟ ଚାଲିଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ପ୍ରଶାନ୍ତ ଭୂଷଣ ଓ ମେଧା ପାଟେକରଙ୍କୁ ଉପହାର ସ୍ବରୂପ ପିପିଲିର ଚାନ୍ଦୁଆ ଭେଟି ଦେଇଥିଲେ।

ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ରାମକୃଷ୍ଣ ପଣ୍ଡା, ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ ସାମନ୍ତରାୟ,ଅଭୟ ସାହୁ, ବରିଷ୍ଠ ସାମ୍ବାଦିକ ରବି ଦାସ, ପଞ୍ଚାନନ କାନୁନ୍‌ଗୋ, ଅଭ୍ୟର୍ଥନା କମିଟିର ରାଜେଶ ମିଶ୍ର, ସ୍ବାଧୀନ ପଣ୍ଡା, ଯୁଧିଷ୍ଠିର ମହାପାତ୍ର, ସୁରେଶ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କୃଷକ ନେତା ଅଶୋକ ପ୍ରଧାନ, ହର ବଣିଆ, ରାସବିହାରୀ ସାହୁ, ଦୁର୍ଯ୍ୟୋଧନ ପୁଟା, ତପନ ମିଶ୍ର, ଦେବୀପ୍ରସାଦ ପୃଷ୍ଟି, ଯମୁନା କନ୍ଧୁଣୀଙ୍କ ନେତୃତ୍ବରେ ବରଗଡ଼, ସମ୍ବଲପୁର, ପାଇକମାଳ, କଳାହାଣ୍ଡି, ବଲାଙ୍ଗୀର, ଆଠମଲ୍ଲିକରୁ ଦୁଇହଜାର ଚାଷୀ ଯୋଗଦେଇ ସମର୍ଥନ ଜଣାଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button