ରାଜ୍ୟ

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା: ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟପ୍ରାଣୀ ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଉଦ୍ଦେଶ୍ୟରେ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନାଗୁଡିକର ସଫଳ ରୂପାୟନ ନିମନ୍ତେ ଜନସାଧାରଣ, ଗଣମାଧ୍ୟମ, ସ୍ବେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନଗୁଡ଼ିକର ସହଯୋଗ ଲୋଡ଼ା ବୋଲି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି। ୭୦ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ, ଅକ୍ଟୋବର ୨ରୁ ସାରା ଦେଶରେ ସପ୍ତାହବ୍ୟାପୀ ‘ବନ୍ୟପ୍ରାଣୀ ସପ୍ତାହ’ ପାଳନ କରାଯାଉଛି।

ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ, ଅଭିବୃଦ୍ଧି, ସେମାନଙ୍କ ବାସସ୍ଥଳୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏବେ ଓଡ଼ିଶାର ଭୌଗୋଳିକ ଆୟତନର ୩୬.୨୧% ବନାଞ୍ଚଳ ଦ୍ୱାରା ଆଚ୍ଛାଦିତ ହୋଇଛି, ଯାହାକି ଜାତୀୟ ହାର ୨୪%ରୁ ଯଥେଷ୍ଟ ଅଧିକ। ଓଡ଼ିଶାର ଜୈବ ବିବିଧତା ସମଗ୍ର ବିଶ୍ୱରେ ଅଦ୍ୱିତୀୟ। ୩ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ସହ ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଓ ୧୨୯ ପ୍ରକାରର ସରୀସୃପ ରାଜ୍ୟରେ ଦେଖାଯାଇଥାନ୍ତି। ଚିଲିକା ହ୍ରଦ, ଭିତରକନିକା, ଶିମିଳିପାଳ ଜାତୀୟ ଉଦ୍ୟାନ ଓ ସଂରକ୍ଷିତ ବନାଞ୍ଚଳଗୁଡ଼ିକ ବିଭିନ୍ନ ଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। ବହୁମୂଲ୍ୟ ବନ୍ୟପ୍ରାଣୀ ଥରେ ଲୋପ ପାଇଗଲେ ଆମର ଉତ୍ତରପୁରୁଷ ସେମାନଙ୍କୁ ଦେଖିପାରିବେ ନାହିଁ। ଆମକୁ ଏଥିପାଇଁ କ୍ଷମା ଦେବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଏବଂ ବିଲୁପ୍ତ ପ୍ରାୟ ବନ୍ୟଜନ୍ତୁଙ୍କ ବଂଶବୃଦ୍ଧି ପାଇଁ ବିଭାଗ ପକ୍ଷରୁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ଯୋଗଦେଇ ବନ୍ୟପ୍ରାଣୀଙ୍କ ଆବାସ ସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ଦିଗରେ ସମସ୍ତେ ସମ୍ବେଦନଶୀଳ ହେବାକୁ ସେ ଆହ୍ୱାନ ଦେଇଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ ସ୍ୱାଗତ ଭାଷଣ ଦେଇ ବନ୍ୟପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ପ୍ରମୁଖ କାର୍ଯ୍ୟାବଳୀ ସମ୍ବଳିତ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବାଲେଶ୍ୱରର ସିଦ୍ଧାର୍ଥ ପତି ଓ ବଲାଙ୍ଗୀରର ଶୈଳେନ୍ଦ୍ର ନାରାୟଣ ଶତପଥୀଙ୍କୁ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଉଭୟଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଚିତ୍ରାଙ୍କନ, କୁଇଜ୍ ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟର ବନ୍ୟପ୍ରାଣୀ ଉପରେ ଆଧାରିତ ୬ଟି ଫିଲ୍ମର ଟ୍ରେଲର ପ୍ରଦର୍ଶିତ ହୋଇଥିଲା। ବନ୍ୟପ୍ରାଣୀ ଫିଲ୍ମ ନିର୍ମାତା ଧ୍ରୁତିମାନ ମୁଖାର୍ଜୀ ପ୍ରସନ୍ଜିତ୍ ଯାଦବ ଓ ସମରେନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ବନ୍ୟପ୍ରାଣୀ ଅପରାଧ ଡାଟାବେସ୍ ପରିଚାଳନା ପୋର୍ଟାଲ ‘ପ୍ରହାର’ ଓ ଜନବସତିରେ ଦେଖାଯାଉଥିବା ସାପମାନଙ୍କୁ ପ୍ରମାଣିକୃତ ସାପ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଉଦ୍ଧାର ଓ ଥଇଥାନ ପୋର୍ଟାଲ ‘ସର୍ପ’ ଉନ୍ମୋଚିତ ହୋଇଛି। ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟର ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button