ରାଜ୍ୟ

ସାଗୁଆନ ଓ ଫାସି କାଠ ସହ ମିନି ଟ୍ରକ ଜବତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଉଳପଦା ଗ୍ରାମରୁ ବୁଧବାର ବିଳମ୍ବିତ ରାତିରେ ଚୋରା କାଠ ବୋଝେଇ ଏକ ମିନି ଟ୍ରକ ଜବତ ହୋଇଥିବା ଜଣାପଡିଛି । ବଉଳପଦା ଗ୍ରାମରେ ଗୋଟିଏ ୪୦୭ ମିନି ଟ୍ରକରେ ମୂଲ୍ୟବାନ ସାଗୁଆନ ଓ ଫାସି କାଠ ବୋଝେଇ ହୋଇ ତାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଆଠଗଡ ଡିଏଫଓଙ୍କୁ ସୂଚନା ମିଳିଥିଲା ।

ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି ତୁରନ୍ତ ରାତି ୨ଟାରେ କିଛି କର୍ମଚାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ବଉଳପଦା ଗ୍ରାମରେ ଠିଆ ହୋଇଥିବା ଉକ୍ତ କାଠ ବୋଝେଇ ମିନି ଟ୍ରକଟିକୁ ଜବତ କରିଥିଲେ।

ଗାଡିରେ ଚାଳକ ବା କାଠ ମାଫିଆ କେହି ବି ନଥିଲେ । ଗାଡିର ଷ୍ଟିୟରିଂକୁ ଲକ୍ କରାଯାଇଥିବାରୁ ଡିଏଫଓଙ୍କ ଉପସ୍ଥିତିରେ ରାତି ୩ଟାରେ ଗ୍ୟାରେଜରୁ ମେକାନିକ୍ ଡକାଇ ଲକ୍ ଖୋଲି ବନବିଭାଗ କର୍ମଚାରୀ ଜବତ କାଠ ସହ ଗାଡିଟିକୁ ବନବିଭାଗର ବନଖଣ୍ଡିସ୍ଥିତ ନର୍ସରୀକୁ ଆଣିଥିଲେ । ଉକ୍ତ ଗାଡିରେ ମୋଟ ୩୯ ଖଣ୍ଡ ସାଗୁଆନ ଓ ୬ ଖଣ୍ଡ ଫାସି ଗଡି ରହିଥିବା ଏବଂ ଏହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦିଆଯାଇଛି। ଏହି କାଠ ଓ ଗାଡି ମେଘା ପଞ୍ଚାୟତ ଅଧିନ ଧୁରୁକୁଡିଆ ଗ୍ରାମର ଜଣେ ପେଶାଦାର ଚୋରାକାଠ ବ୍ୟବସାୟୀଙ୍କର ବୋଲି ବନବିଭାଗ ଅଧିକାରୀ ସନ୍ଦେହ ପ୍ରକାଶ କରିଛନ୍ତି । ଗାଡିରେ ଜାଲ ନମ୍ବର ଲାଗିଥିବାରୁ ତଦନ୍ତ ପରେ ପ୍ରକୃତରେ ଗାଡି ମାଲିକ ଏବଂ ଚୋରା କାଠ ବ୍ୟବସାୟୀଙ୍କ ସମ୍ପର୍କରେ ତଥ୍ୟ ମିଳିବ ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ପତି ପ୍ରକାଶ କରିଛନ୍ତି । ଡିଏଫଓ ଶ୍ରୀ ପତିଙ୍କ ନେତୃତ୍ବରେ ହୋଇଥିବା ଉକ୍ତ ଚଢାଉରେ ରାଜନଗର ବନପାଳ ସୁଶୀଲ କୁମାର ଜେନା, ସଦର ବନପାଳ ସବିତା ରାଉତ ଓ କନ୍ଦରପୁର ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ୧୦ ଜଣ ହାତୀ ଜଗୁଆଳି ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button