ପଶ୍ଚିମବଙ୍ଗ: କେନାଲରୁ ମିଳିଲା ଗତକାଲିରୁ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ
କୋଲକାତା: ଶୁକ୍ରବାର ରାତିରୁ ନିଖୋଜ ଥିବା କୋଲକାତାର ଜଣେ ୧୧ ବର୍ଷର ନାବାଳିକାଙ୍କ ମୃତଦେହ ଏକ କେନାଲରୁ ଉଦ୍ଧାର ହୋଇଛି। ତେବେ ଜାଣିବାକୁ ମିଳିଛି ଯେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ମୃତଦେହକୁ କେନାଲକୁ ଫିଙ୍ଗି ଦିଆଯାଇଥିଲା। ଗ୍ରାମବାସୀମାନେ ପୀଡ଼ିତା ନାବାଳିକାଙ୍କ ମୃତଦେହ କେନାଲରୁ ମିଳିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ନାବାଳିକାଙ୍କ ମୃତଦେହ ମିଳିବା ପରେ ଜିଲ୍ଲାରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି। ଖବର ଅନୁଯାୟୀ, ଝିଅଟି ତାଙ୍କ ଟ୍ୟୁସନ କ୍ଲାସରୁ ଘରକୁ ଫେରିବା ସମୟରେ ନିଖୋଜ ହୋଇ ଯାଇଥିଲେ। ତାଙ୍କ ପରିବାର ଲୋକ ଗଭୀର ଭାବେ ଚିନ୍ତିତ ହୋଇ ସ୍ଥାନୀୟ ପୁଲିସ ଷ୍ଟେସନ ନିକଟରେ ଅଭିଯୋଗ କରିଥିଲେ। ତେବେ ସହାୟତା ପାଇବା ପରିବର୍ତ୍ତେ ସେମାନେ ପୁଲିସର ଦ୍ବାରା ହଇରାଣର ସମ୍ମୁଖୀନ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି।
ଆଜି ସକାଳେ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଏହି ଘଟଣାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ ବିଫଳ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି। ଯାହାଫଳରେ ଏପରି ଦୁଃଖଦ ଘଟଣା ଘଟିଛି ବୋଲି ସେମାନେ କହିଛନ୍ତି।
ଅନଲାଇନରେ ଅନେକ ଭିଡିଓ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ଗ୍ରାମବାସୀ, ଅଧିକାଂଶ ମହିଳା ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟ ଏକ ଭିଡିଓରେ ଦର୍ଶାଯାଇଛି ଯେ ଗ୍ରାମବାସୀ ପୁଲିସ ଅଧିକାରୀଙ୍କ ସହ ସଂଘର୍ଷ କରୁଥିବା ବେଳେ ପୁଲିସ ଷ୍ଟେସନରେ ବାଡ଼ି ଓ ପଥର ଫିଙ୍ଗାଫିଙ୍ଗି କରିଛନ୍ତି।