ରାଜ୍ୟ

ସିଟିଏମ୍‌ଏସ୍‌ରେ କଳାକାରଙ୍କୁ ପ୍ରାପ୍ୟ ମିଳୁନଥିବା ଅଭିଯୋଗ

ଭୁବନେଶ୍ବର: କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ସିଟିଏମ୍ସ୍ କାର୍ଯ୍ୟକ୍ରମରେ କାମ କରିଥିବା କଳାକାରଙ୍କ ବକେୟା ଅର୍ଥରାଶି ପ୍ରଦାନ କରିବାକୁ ଦାବି କରିଛି ଅଲ୍ ଓଡ଼ିଶା ପର୍ଫର୍ମିଂ ଆର୍ଟିଷ୍ଟ ଆସୋସିଏସନ୍। ଆସୋସିଏସନର ସଂପାଦକ ବାସୁଦେବ ନାଥଙ୍କ ନେତୃତ୍ବରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଥିରେ କଳାକାରମାନେ ଏକାଠି ହୋଇ ସଂସ୍କୃତି ବିଭାଗର କଳାକାର-ମାରଣା ନୀତିକୁ ତୀବ୍ର ବିରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ କଳାକାରମାନଙ୍କ ସୁବିଧା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଅନ୍ଲାଇନ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ବ୍ୟବସ୍ଥା ସିଟିଏମ୍ଏସ୍ କରାଯାଇଥିଲା। ଏହାଦ୍ୱାରା ସମସ୍ତ ବର୍ଗର କଳାକାର ଘରେ ବସି କାମ ପାଇବେ ଏବଂ କାର୍ଯ୍ୟକ୍ରମ ପରିବେଷଣ କରିବାର ୧୫ ଦିନ ଭିତରେ ସେମାନଙ୍କର ପ୍ରାପ୍ୟ ପାଇବେ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। କିନ୍ତୁ ବିଭାଗର ମନମୁଖୀ କାର୍ଯ୍ୟପାଇଁ ବାସ୍ତବରେ ଏହା ସମ୍ଭବ ହେଉନାହିଁ।

ସେମାନେ ଅଭିଯୋଗ କରିଛନ୍ତି, ସିଟିଏମ୍ସ୍ ବ୍ୟବସ୍ଥା ଏତେ ଜଟିଳ ଯେ ଏହାକୁ ସାଧାରଣ କଳାକାରଟିଏ ବୁଝିବାକୁ ଅସମର୍ଥ ହେଉଛି। କିଛି ସଂସ୍ଥାକୁ ଅଧିକ କାର୍ଯ୍ୟକ୍ରମ ମିଳୁଥିବା ବେଳେ କିଛି ସଂସ୍ଥାକୁ ଆଦୌ ମିଳୁନାହିଁ। ଯେଉଁମାନେ କାମ ପାଉଛନ୍ତି, ମାସ ମାସ ପର୍ଯ୍ୟନ୍ତ ପାରିଶ୍ରମିକ ଦିଆଯାଉନାହିଁ। ବାରମ୍ବାର ବିଭାଗକୁ ଦୌଡ଼ିବାକୁ ପଡ଼ୁଛି। ଗୋଟିଏ ପରିବେଷଣ ପିଛା ୧୩ ହଜାର ପାରିଶ୍ରମିକ ମିଳୁଛି। ଯେଉଁ ସବୁ ଦଳରେ ୧୨-୧୫ ଜଣ କଳାକାର ଅଛନ୍ତି, ସେମାନେ ଗୋଟିଏ ଦିନର ପାରିଶ୍ରମିକ ଭାବେ ୮୦୦ ଟଙ୍କା ପାଉଛନ୍ତି। ଏହା କଳାକାରଙ୍କ ସମ୍ମାନ ଉପରେ ଆଞ୍ଚ ଆଣୁଛି। ଆଗକୁ ପାର୍ବଣ ଆସୁଛି। ପାର୍ବଣ ଋତୁରେ ଓଡ଼ିଶାର ସାଂସ୍କୃତିକ ଭାଇଚାରାକୁ ଚଳଚଞ୍ଚଳ କରି ରଖିବାକୁ ଦଳଗୁଡ଼ିକ ପ୍ରସ୍ତୁତ ହେଉଥିବାବେଳେ ସରକାର ଏସବୁ ଦିଗପ୍ରତି ଆଖିବୁଜି ଦେଇଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ବଢ଼ୁଥିବାବେଳେ ସଂସ୍କୃତି ବିଭାଗ କଳାକାରମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବିଭାଗର ଅସହଯୋଗ ଯୋଗୁ ଓଡ଼ିଶାର ଲୋକକଳା ପରିବେଷଣ କରୁଥିବା ଦଳଗୁଡ଼ିକ ବନ୍ଦ ହେବାକୁ ବସିଲାଣି। ଏହି ଦିଗରେ ତୁରନ୍ତ ପଦକ୍ଷେପ ନିଆ ନଗଲେ କଳାକାରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ନାଥ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button