ରାଜ୍ୟ

କଳାପଥର କେଳେଙ୍କାରୀ ଘଟଣା, ୧୨ ସୈରାତରେ ମାପଚୁପ ଆରମ୍ଭ,ମାଫିଆ ଙ୍କ ଭିତରେ ଛନକା

ଯାଜପୁର,ଧର୍ମଶାଳା:IBN ଓଡିଶା:-ଗତ କିଛି ଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ରେ ଥିବା ବେଆଇନ ଖାଦାନ ମାଲିକ ଙ୍କ ଉପରେ ୧୦୫କୋଟି ଟଙ୍କା ତହସିଲ ପକ୍ଷରୁ ପାହାଡ ଲିଜ ଧାରୀ ଙ୍କ ଉପରେ ଫାଇନ କରାଯାଇଥିବା ଘଟଣା ମନରୁ ନ ଲିଭୁଣୁରୁ ପୁଣି ସାମ୍ନା କୁ ଆସିଛି ଏବେ ମାପଚୁପ ଆରମ୍ଭ।
ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀର ଚେର ବହୁ ଭିତରକୁ ମାଡ଼ିଥିବା ବେଳେ ପ୍ରଶାସନ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛି। କ୍ରସର, ଖାଦାନ ପରେ ଏରେ ବିଭିନ୍ନ ପ୍ରକଳ୍ପ‌ରେ ଶହ ଶହ କୋଟି ଟଙ୍କାର କଳାପଥର ବ୍ୟବହାର ନଜରକୁ ଆସିବା ପରେ କେଉଁ ଖାଦାନରୁ କେତେ ପରିମାଣ କଳାପଥର ଚାଲାଣ ହୋଇଛି ଜାଣିବା ପାଇଁ ସାଟେଲାଇଟ୍ ସର୍ଭେ ଏବଂ ଡ୍ରୋନ କ୍ୟାମେରା ସହାୟତାରେ ମାପଚୁପ ଚାଲିଛି। ଗତକାଲି ବରଡ଼ା ଅଞ୍ଚଳର ୨ଟି ଖାଦାନରେ ମାପଚୁପ ହୋଇଥିବା ବେଳେ ଆଜି ଡଙ୍କାରୀ ପାହାଡ଼ର ୧୨ଟି ସୈରାତରେ ମାପଚୁପ ‌ହୋଇଛି। ୱାଲଡ କନସଲଣ୍ଟାନସି ସର୍ଭେ(ଡବ୍ଲୁଏସି) ସଂସ୍ଥା ଦ୍ବାରା ମାପଚୁପ ହେଉଛି। ଯାହାକୁ ନେଇ ଲିଜଧାରୀଙ୍କ ମଧ୍ୟରେ ଛନକା ପଶିଛି।

ପ୍ରଶାସନ ପକ୍ଷରୁ ଗତକାଲି ବରଡ଼ା ମୌଜାର ପ୍ରହଲ୍ଲାଦ ଲେଙ୍କା ଓ ଅଜିତ ସାହୁଙ୍କର ଖାଦାନ ମାପଚୁପ ହୋଇଥିଲା। ଆଜି ଡଙ୍କାରୀର ୧୨ଟି ମଧ୍ୟରୁ ନାରାୟଣ ରାଉତଙ୍କ ୨ଟି, ଶ୍ରୀବାସ ଜେନାଙ୍କ ୨ଟି, ଜ୍ୟୋତ୍ସ୍ନା ଜେନାଙ୍କର ଗୋଟିଏ ସୈରାତ, ନିରଞ୍ଜନ ରାଉତଙ୍କ ୨ଟି, ଏସ୍‌ଟି ମିନେରାଲର ୨ଟି, ରଞ୍ଜନ ଜେନାଙ୍କର ଗୋଟି ଓ ଅନ୍ୟ ୨ଟି ନୂଆ ସୈରାତର ମାପଚୁପ ହୋଇଛି। ଡ୍ରୋନ କ୍ୟାମେରା ଜରିଆରେ ସୈରାତର ସୀମା ଚିହ୍ନଟ କରାଯାଉଥିବା ରାଜସ୍ବ ଅଧିକାରୀ ସୂଚନା ଦେଇଛନ୍ତି। ପରେ ଏହାର ମାପଚୁପ ହେବ ବୋଲି ପ୍ରକାଶ କରିଛନ୍ତି। ସେହିପରି ରାହାଡ଼ପୁର ଓ ବାରମାଣ ସୈରାତରେ ମଧ୍ୟ ମାପଚୁପ ପାଇଁ ପ୍ରସ୍ତୁତି ଜାରି ରହିଛି। ‌

ପୂର୍ବରୁ ଡ୍ରୋନ କ୍ୟାମେରା ସହାୟତାରେ ୪ଜଣ ଲିଜଧାରୀଙ୍କର ଖାଦାନ ମାପଚୁପ ହୋଇ ମାତ୍ରାଧିକ ଖନନ ଅଭିଯୋଗରେ ୧୦୫କୋଟି ଜରିମାନା ହୋଇଥିଲା। ଏବେ ଡ୍ରୋନ କ୍ୟାମେରା ସର୍ଭେ ଯେଉଁଥି ପାଇଁ ହେଉନା କାହିଁକି ଲିଜଧାରୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। ଖାଦାନ ମାପଚୁପ ବନ୍ଦ କରିବା ଓ ଜରିମାନା ଅର୍ଥ ପଇଠ ନକରିବା ପାଇଁ କେତେକ ଲିଜ୍‌ଧାରୀ ମସୁଧା ଚଳାଇଛନ୍ତି। ଏହି କାରଣରୁ ଖାଦାନ ଓ କ୍ରସର ବନ୍ଦ କରି ଚାପ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। କଳାପଥର କେଳେଙ୍କାରୀ ମାମଲା ରାଜ୍ୟ ସରକାରଙ୍କ ନଜରକୁ ଯିବା ଯୋଗୁଁ ସ୍ଥାନୀୟ ରାଜନୀତି ମଧ୍ୟ ପ୍ରଭାବିତ ହେବାରେ ଲାଗିଛି। ଏହି କାରବାରରେ କେତେକ ପ୍ରଭାବଶାଳୀ ଶାସକ ଦଳ ସଂଗଠକ ସମ୍ପୃକ୍ତ ଥିବାରୁ ଧର୍ମଶାଳା ରାଜନୀତିରେ କଳାପଥରର କଳାବାଦଲ ଛାଇ ଯାଇଥିବା ଚର୍ଚ୍ଚା ହେଉଛି।ଦେଖିବାକୁ ବାକି ରହିଲା କେତେ କେତେ ମାଫିଆ ଏବେ ଜେଲ ର ଚାରି କାନ୍ଥ ଭିତରେ ରାତି କାଟୁଛନ୍ତି ନା ଏସବୁ କେବଳ ଲୋକ ଦେଖାଣିଆ ପ୍ରହସନ ହୋଇଯିବ ତାହା ଉପରେ ସମସ୍ତଙ୍କର ନଜର।

Related Articles

Leave a Reply

Your email address will not be published. Required fields are marked *

Back to top button