ରାମନଗରର ମା’ ଦରିଆ ରାମଚଣ୍ତୀ

ମହାକାଳପଡ଼ା: ମହାକାପଳଡ଼ା ବ୍ଲକ୍ ମୁଖ୍ୟାଳୟଠାରୁ ଜମ୍ବୁ-ମାର୍ଶାଘାଇ କେନାଲ ବନ୍ଧରେ ଛପାଲି ବାଟଦେଇ ପ୍ରାୟ ୧୨ କିମି ଦୂରତା ଅତିକ୍ରମ ପରେ ରାମନଗରଠାରେ ରହିଛି ଦରିଆପାରି ମା’ ରାମଚଣ୍ତୀଙ୍କ ପୀଠ। ଶାରଦୀୟ ଦୁର୍ଗାପୂଜା ଅବସରରେ ଅଷ୍ଟମୀ ତିଥିରେ ଏଠାରେ ମା’ଙ୍କର ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ।
ଉପକୂଳ ମହାକାଳପଡ଼ା ଅଞ୍ଚଳର ରାମନଗର, ଖରିନାସୀ, ବତିଘର, ଜମ୍ବୁ, ପେଟଛେଲା ଆଦି ପଞ୍ଚାୟତରେ ବସବାସ କରୁଥିବା ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିଯିବା ସମୟରେ ମା’ଙ୍କୁ ସ୍ମରଣ ଓ ପୂଜାର୍ଚ୍ଚନା କରି ଯାଇଥାନ୍ତି।
ପୂର୍ବରୁ ଏହି ପୀଠଟି ଲୁଣା ଜଙ୍ଗଲ ବା ଝାଡ଼ ଦ୍ବାରା ଆବୃତ ହୋଇ ରହିଥିଲା। ସେଥିପାଇଁ କେହି କେହି ମା’ ରାମଚଣ୍ତୀଙ୍କୁ ଝାଡ଼ ଠାକୁରାଣୀ ଭାବେ ସମ୍ବୋଧନ ମଧ୍ୟ କରିଥାନ୍ତି। ବିଷୁବ ସଂକ୍ରାନ୍ତି ଅବସରରେ ଏଠାରେ ମା’ଙ୍କର ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ପ୍ରାୟ ଏକ ସପ୍ତାହବ୍ୟାପୀ ମା’ଙ୍କ ପୀଠରେ ଯାନିଯାତ୍ରା ଅନୁଷ୍ଠିତ ହୋଇଥାଏ। ମା’ଙ୍କ ମନ୍ଦିର ପ୍ରାୟ ୨ଶହ ବର୍ଷ ତଳେ ନିର୍ମିତ ହୋଇଥିଲା। ମା’ଙ୍କ ରୀତିନୀତି ସୁଚାରରୂପେ ସମ୍ପାଦନ ପାଇଁ କୁଜଙ୍ଗ ଷଣ୍ଢ ରାଜା ନରେନ୍ଦ୍ର ବାହାଦୁର ଷଣ୍ଢ ଏହି ମନ୍ଦିରକୁ ପ୍ରାୟ ୨ ଶହ ଏକରରୁ ଊର୍ଦ୍ଧ୍ବ ଜମି ଯୋଗାଇ ଦେଇଥିଲେ। ସେଥିମଧ୍ୟରୁ ପ୍ରାୟ ୫୧ ଏକର ଜାଗାରେ ମା’ଙ୍କର ବିଜେସ୍ଥଳୀ ରହିଛି।
ଏହାଛଡ଼ା ମନ୍ଦିର ପରିସରରେ ଏକ ବୃହତ୍ ପୁଷ୍କରିଣୀ, ଭୋଜନ ମଣ୍ତପ ଏବଂ ଯାତ୍ରୀ ନିବାସ ରହିଛି। ସାଂସ୍କୃତିକ ପର୍ଯ୍ୟଟନ ଦୃଷ୍ଟିରୁ ଏହି ସ୍ଥାନଟିର ବିଶେଷ ମହତ୍ତ୍ବ ରହିଛି। ଉକ୍ତ ପୀଠଠାରୁ ୬ କିଲୋମିଟର ଦୂରତା ମଧ୍ୟରେ ବ୍ରିଟିସ୍ ସମୟର ହୁକିଟୋଲା ପଣ୍ୟାଗାର, ବତିଘର ଲାଇଟ୍ ହାଉସ ଏବଂ ଫଲ୍ସପଏଣ୍ଟ ବନ୍ଦର ରହିଛି। ଏହି ପୀଠର ଉନ୍ନତୀକରଣ ପାଇଁ ୬କୋଟି ଟଙ୍କା ଅନୁମୋଦନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ମିଳିଛି। ପୂର୍ତ୍ତବିଭାଗ ଅଧୀନରେ ମନ୍ଦିରର ସୌନ୍ଦ୍ୟର୍ଯୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ପଣାସଂକ୍ରାନ୍ତି, ଦୋଳପୂର୍ଣ୍ଣିମା ଓ ଦଶହରା ଅବସରରେ ମା’ଙ୍କ ପୀଠରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ମା’ଙ୍କୁ ସ୍ବର୍ଣ୍ଣାଳଙ୍କାରରେ ବିଭୂଷିତ କରାଯାଇ ବିମାନରେ ବେଢ଼ା ପରିକ୍ରମା କରାଯାଏ।