ରାଜ୍ୟ

ଦାନ୍ତ ପାଇଁ ଦନ୍ତା ଶିକାର, ମଠଖାଇ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଲାଙ୍ଗିର: ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ବଲାଙ୍ଗିର ବନାଞ୍ଚଳର ଅସୁରଡୁଙ୍ଗୁରି ନିକଟ ମଠଖାଇ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଦନ୍ତାର ଗୋଟିଏ ଦାନ୍ତ କଟାଯାଇଥିବାରୁ ହାତୀ ଶିକାର ପରେ ଦାନ୍ତ କାଟି ନିଆଯାଇଥିବା ସନ୍ଦେହ ହୋଇଛି। ମୃତ ହାତୀର ବୟସ ୧୫ରୁ ୨୦ ବର୍ଷ ହେବ ଏବଂ ଗୁଳି କିମ୍ବା ବିଦ୍ୟୁତ୍‌ ଆଘାତ ଦେଇ ହାତୀକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ମେଟାଲ ଡିଟେକ୍ଟର ସାହାଯ୍ୟରେ ବନ ବିଭାଗ ମୃତ ହାତୀର ଦେହରେ ଗୁଳି ଖୋଜିଛି। ତେବେ ହାତୀ ଶବରୁ କୌଣସି ଗୁଳି ଠାବ ହୋଇନାହଁି। ଅନ୍ୟପଟେ ଭୁବନେଶ୍ବରରୁ ଜଏଣ୍ଟ ଟାକ୍ସ ଫୋର୍ସ ଟିମ୍‌ ବଲାଙ୍ଗିରରେ ପହଞ୍ଚିଛନ୍ତି। ବୁଧବାର ସକାଳେ ଟାକ୍ସଫୋର୍ସ ଟିମ୍‌ ଉପସ୍ଥିତିରେ ଦନ୍ତାର ଶବ ବ୍ୟବଚ୍ଛେଦ କରାଯିବ। ବଲାଙ୍ଗିର ବିଦ୍ୟୁତ୍ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ମିଶ୍ର ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ହାତୀ ମରିଥିବା ସ୍ଥାନ ଆଖପାଖରେ ବିଦ୍ୟୁତ୍‌ ତାର ନଥିବା ବେଳେ ନିକଟରେ ଥିବା ଏକ ଫାର୍ମ ହାଉସକୁ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ବଲାଙ୍ଗିର ବିଦ୍ୟୁତ୍ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ସକାଳେ ଖବରପାଇ ବଲାଙ୍ଗିର ବନାଞ୍ଚଳ ଅଧିକାରୀ ନବୀନ ପଣ୍ଡା, ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ସାହୁ, ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ଆର୍‌ସିସିଏଫ୍‌ (ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ) ସନ୍ତୋଷ ଯୋଶୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
ଜିଲାର ପାଟଣାଗଡ଼ ଟିକ୍ରାପଡ଼ା ଅଞ୍ଚଳରେ ଥିବା ୧୨ ଟିକିଆ ହାତୀପଲରୁ ଗତ କିଛି ଦିନ ତଳେ ଦନ୍ତାଟି ଅଲଗା ହୋଇଯାଇଥିଲା। ଗତ ୫ତାରିଖରେ ବଲାଙ୍ଗିର ବନାଞ୍ଚଳର ହର୍ଡ଼ାଟାଲରୁ ମଠଖାଇ ପାହାଡ଼ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରି ମଠଖାଇ ସଂରକ୍ଷିତ ଜଙ୍ଗଲରେ ପହଞ୍ଚିଥିଲା। ୩ ଦିନ ଧରି ବନ ବିଭାଗ ପକ୍ଷରୁ ଦନ୍ତାର ଗତିବିଧି ଉପରେ ନଜର ରଖାଯାଇଥିଲେ ହେଁ ୭ତାରିଖ ରାତିରେ ଦନ୍ତାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେହିପରି ଆଜି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ନାଫ୍ରି ପଞ୍ଚାୟତ ଝିଙ୍କପାହାଡ଼ି ଗ୍ରାମ ନିକଟସ୍ଥ ପୋଖରୀରୁ ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ବନାଞ୍ଚଳର ଶିଶୁକଟା ବନ ବିଟ ନିକଟରେ ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶ ସ୍ପର୍ଶରେ ଏକ ଦନ୍ତାର ମୃତ୍ୟୁ ଘଟିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button