ରାଜ୍ୟ

ଏକାମ୍ରରେ ହୀନସ୍ତା ପର୍ଯ୍ୟଟକ: ଅସହ୍ୟ ହେଲାଣି ପାର୍କିଂ ଫି

ପୁରୁଣା ଭୁବନେଶ୍ବର: ଏକାମ୍ରକ୍ଷେତ୍ରକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଶ୍ରୀଲିଙ୍ଗରାଜ ଦର୍ଶନ ସାଙ୍ଗକୁ ଆକର୍ଷଣୀୟ ପରିବେଶ ସେମାନଙ୍କୁ ନିଆରା ଅନୁଭୂତି ଦେଉଛି। ହେଲେ ସେମାନେ ଯେଉଁ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ସେଥିରେ କେହି ବ୍ୟକ୍ତିଗତ ଭାବରେ କ୍ଷତିଗ୍ରସ୍ତ ହେଉ ନାହାନ୍ତି, ବରଂ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ପାଇଁ ଭୁବନେଶ୍ବର ବିଶ୍ବଦରବାରରେ ନିନ୍ଦିତ ହେଉଛି। ଗାଡ଼ି ପାର୍କିଂ, ଜୋତା ଷ୍ଟାଣ୍ଡ, ଭୋଗ କିଣା, ଠାକୁର ଦର୍ଶନ ଓ ଖିଆପିଆ ପର୍ଯ୍ୟନ୍ତ, ସବୁଠି ହୀନସ୍ତା ହେଉଛନ୍ତି ପର୍ଯ୍ୟଟକ।

ଅସହ୍ୟ ହେଲାଣି ପାର୍କିଂ ଫି
ପିଣ୍ଡି ଖୋଲୁନି, ରାସ୍ତା ଉପରେ ରୋଷେଇ

ପର୍ଯ୍ୟଟନ ଋତୁ ପାଇଁ ଏକାମ୍ରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସୁଛନ୍ତି। ହେଲେ ସାମନ୍ତରାପୁର ଓ ରବି ଟକିଜ୍‌ରୁ ଲିଙ୍ଗରାଜଙ୍କ ମନ୍ଦିର ପର୍ଯ୍ୟନ୍ତ ଆସିଥିବା ରାସ୍ତାର ଓସାର୍ କମ୍‌ ଥିବାରୁ ବଡ଼ ବଡ଼ ବସ୍‌ଗୁଡ଼ିକ ଟ୍ରାଫିକ୍‌ ଜାମ୍‌ରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ଟ୍ରାଫିକ୍‌ ଯନ୍ତ୍ରଣାରୁ ବହୁକଷ୍ଟରେ ମୁକୁଳିବା ପରେ ଗାଡ଼ି ପାର୍କିଂରେ ଶୋଷଣ ଆରମ୍ଭ ହେଉଛି। ଲିଙ୍ଗରାଜ ମାର୍କେଟ ଆଗରେ ବିଏମ୍‌ସି ଗାଡ଼ି ପାର୍କିଂ ପାଇଁ ଟେଣ୍ଡର ଦେଇଛି। ଦୁଇଘଣ୍ଟା ପାଇଁ ୨ ଓ ୩ ଚକିଆ ଗାଡ଼ିକୁ ୫ଟଙ୍କା, ୪ ଚକିଆକୁ ୨୦ ଓ ୪ କିମ୍ବା ଅଧିକ ଚକ ବିଶିଷ୍ଟ ଗାଡ଼ିକୁ ୨୫ ଟଙ୍କା ବିଏମ୍‌ସି ଏ ଫି’ ଧାର୍ଯ୍ୟ କରିଛି। କିନ୍ତୁ ଠିକାଦାର ଗାଡ଼ିଗୁଡ଼ିକଠାରୁ ଧାର୍ଯ୍ୟ ଦରରୁ ୧୦ ଗୁଣା ଅଧିକ ଟଙ୍କା ଆଦାୟ କରାଯାଉଛି। ୪ ଚକିଆକୁ ୫୦ ଟଙ୍କା, ୪ ଚକିଆରୁ ଅଧିକ ଗାଡ଼ି ମୁଖ୍ୟତଃ ରାଜ୍ୟବାହାରରୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ ୩୦୦ରୁ ଅଧିକ ଟଙ୍କା ଆଦାୟ ହେଉଥିବା ଥିବା ଅଭିଯୋଗ ହେଉଛି।

ଏତିକିରେ କଷ୍ଟ ଯାଉନି। ଠାକୁରଙ୍କ ଦର୍ଶନ ପୂର୍ବରୁ ଭୋଗ, ଦୀପ ଓ ପୂଜା ସାମଗ୍ରୀ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଥିବା ଅଭଯୋଗ ହୋଇଛି। ଗୋଟିଏ ଡାଲାରେ ଦୁଇ ଚାରୋଟି ଫୁଲ, କିଛି ବେଲପତ୍ର ଓ ଗୋଟିଏ ନଡ଼ିଆକୁ ଶହେ ଟଙ୍କାରେ ବିକ୍ରି କରାଯାଉଛି। ଓଡ଼ିଶା ବାହାରର ‌ଭକ୍ତ ହୋଇଥିଲେ ଏହି ଦର ଦୁଇଗୁଣ ହୋଇଯାଉଛି। ଠିକ୍‌ ସେମିତି ମନ୍ଦିର ବାହାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଶୀଘ୍ର କରାଇବାକୁ କହି କିଛି ଲୋକ ଭକ୍ତଙ୍କଠାରୁ ମୋଟା ଅଙ୍କର ପାଉଣା ଦାବି କରୁଥିବା ଦେଖିବାକୁ ମିଳିଛି। ଆଉ ସବୁଠାରୁ ଅଭାବନୀୟ ଦୃଶ୍ୟ ହେଉଛି ରାସ୍ତା ଉପରେ ଭୋଜନ। ପର୍ଯ୍ୟଟକ ଓ ଭକ୍ତଙ୍କ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାମ୍ରକୁ ଆସୁଥିଲେ ହେଁ ସେମାନଙ୍କ ବିଶ୍ରାମ ତଥା ରୋଷେଇ କରି ଖାଇବା ପାଇଁ ବ୍ୟବସ୍ଥା ନାହିଁ। ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ ପଛ ପାଖରେ ଦୂରରୁ ଅସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୋଷେଇ ପିଣ୍ଡି କରାଯାଇଥିଲା। ନିର୍ମାଣର ୩ ବର୍ଷ ପରେ ମଧ୍ୟ ଏହି ପିଣ୍ଡିକୁ ବ୍ୟବହାର କରାଯାଉନାହିଁ। ଫଳରେ ରାସ୍ତା କଡ଼ରେ ରୋଷେଇ ହେଉଛି। ରାସ୍ତା ଉପରେ ଛିଡ଼ା ହୋଇଖାଉଛନ୍ତି ପର୍ଯ୍ୟଟକ। ଏବେ ପ୍ରତ୍ୟେକ ଦିନ ଏଭଳି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏକାମ୍ର ପ୍ରକଳ୍ପରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଶ୍ରଦ୍ଧାଳୁଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥିବାରୁ ‌ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button