ଲୋକସଭା ନିର୍ବାଚନରେ କେତେ କୋଟି ଖର୍ଚ୍ଚ କରିଛି କଂଗ୍ରେସ.
ନୂଆଦିଲ୍ଲୀ: ଚଳିତ ବର୍ଷର ଲୋକସଭା ଓ ଓଡିଶା ସମେତ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ନିର୍ବାଚନ ପ୍ରଚାର ପାଇଁ ପଇସା ନାହିଁ ବୋଲି ଭୋଟ୍ ପୂର୍ବରୁ କହି ବୁଲୁଥିଲେ କଂଗ୍ରେସ ନେତା । ଆୟକର ବିଭାଗ ଉପରେ ଦୋଷ ଲଦିଥିଲା କଂଗ୍ରେସ । ମିଛ ଅଭିଯୋଗରେ ଆୟକର ବିଭାଗ କଂଗ୍ରେସର ବ୍ୟାଙ୍କ ଆକାଉଂଟ ସିଜ୍ କରିଦେଇଥିଲା ବୋଲି ସେତେବେଳେ ଅଭିଯୋଗ କରିଥିଲା କଂଗ୍ରେସ ।
କିନ୍ତୁ ନିର୍ବାଚନ କମିଶନଙ୍କୁ ଦଳ ନିର୍ବାଚନୀ ଖର୍ଚ୍ଚ ସଂପର୍କିତ ଦେଇଥିବା ରିପୋର୍ଟ କିଛି ଅଲଗା କଥା ହିଁ କହୁଛି ।
ଜମାଣିଆ ଖର୍ଚ୍ଚ କରିଛି କଂଗ୍ରେସ
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ପ୍ରଚାର ପାଇଁ ଦଳରେ ପାଖରେ ଅର୍ଥର ଅଭାବ ରହିଛି । ହେଲେ ଲୋକସଭା ନିର୍ବାଚନ ଏବଂ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ପାଖରେ ପଇସା ନାହିଁ ବୋଲି କଂଗ୍ରେସ ଯେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲା, ତାହା ଏବେ ସ୍ପଷ୍ଟ ହୋଇଛି । ନିର୍ବାଚନ କମିଶନଙ୍କୁ କଂଗ୍ରେସ ନିର୍ବାଚନ ଖର୍ଚ୍ଚ ସଂପର୍କିତ ରିପୋର୍ଟ ଦେଇଛି । ନିର୍ବାଚନ କମିଶନଙ୍କ ୱେବସାଇଟରେ କଂଗ୍ରେସର ନିର୍ବାଚନୀ ଖର୍ଚ୍ଚ ଜାରି କରାଯାଇଛି । ଲୋକସଭା ସହ ଓଡିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଖର୍ଚ୍ଚ କରିଛି ୫୮୫ କୋଟି । ବିଜ୍ଞାପନ ଓ ଗଣମାଧ୍ୟମରେ ନିର୍ବାଚନ ପ୍ରଚାର ପାଇଁ କେବଳ ଖର୍ଚ୍ଚ ହୋଇଛି ୪୧୦ କୋଟି ଟଙ୍କା । ଏଥିସହ ସୋସିଆଲ ମିଡିଆ, ଆପ୍ ଓ ଅନ୍ୟ ମାଧ୍ୟମରେ ଡିଜିଟାଲ୍ ପ୍ରଚାର ଅଭିଯାନ ପାଇଁ ୪୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା କଂଗ୍ରେସ । ଲୋକସଭା ନିର୍ବାଚନ ପ୍ରଚାର ପାଇଁ ତାରକା ପ୍ରଚାରକଙ୍କ ବିମାନ ଯାତ୍ରା ବାବାଦ ୧୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇଛି କଂଗ୍ରେସ ।