IBN ଓଡ଼ିଶା ବ୍ୟୁରୋ

ସୁସ୍ଥ ଦୀର୍ଘଜୀବୀ ଜୀବନ ପାଇବା ପାଇଁ କରନ୍ତୁ ଅଧିକ ସାଙ୍ଗ…

ସାଧାରଣତଃ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ, ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଗୁରୁତ୍ବପୂର୍ଣ୍ଣ ବୋଲି ଆମେ ସମସ୍ତେ ଜାଣୁ। ମାତ୍ର ଏକ ନୂତନ ଅନୁଧ୍ୟାନ ଜଣାପଡିଛି ଯେ, ଏକ ସ୍ବାସ୍ଥ୍ୟକର ଦୀର୍ଘଜୀବନ ପାଇଁ ଜଣଙ୍କର ସାମାଜିକ ସମ୍ପର୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି। ନିୟମିତ ବ୍ୟାୟାମ ଜଣକୁ ଯେତିକି ସୁସ୍ଥ ରଖିପାରିବ, ସାଙ୍ଗସାଥୀ ବା ବନ୍ଧୁବାନ୍ଧବମାନଙ୍କ ଗହଣରେ ଅଧିକ ସମୟ ବିତାଉଥିବା ବ୍ୟକ୍ତି ମଧ୍ୟ ସେତିକି ସୁସ୍ଥ, ନିରାମୟ ଓ ଦୀର୍ଘଜୀବୀ ହୋଇପାରିବେ।

ଲେଖକ ତଥା ବିବିସି ସାମ୍ବାଦିକ ଡେଭିଡ୍‌ ରବ୍‌ସନ୍‌ ତାଙ୍କର ନୂତନ ପୁସ୍ତକ ‘‘ଦି ଲ’ଜ୍‌ ଅଫ୍‌ କନେକ୍ସନ୍‌’’ରେ ଏ ବାବଦରେ ପ୍ରମାଣ ସହ ଦର୍ଶାଇଛନ୍ତି ଯେ, ନିଜକୁ ନିଃସଙ୍ଗ ମନେ କରୁଥିବା ଲୋକଙ୍କ ତୁଳନାରେ ସାମାଜିକ ସମ୍ପର୍କରେ ରହୁଥିବା ବ୍ୟକ୍ତି ଅଧିକ ସୁସ୍ଥ ଓ ଦୀର୍ଘ ଜୀବନଯାପନ କରିଥା’ନ୍ତି।

ରବ୍‌ସନ୍‌ ସ୍ପଷ୍ଟ କରିଛନ୍ତି ଯେ, ବନ୍ଧୁତା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଠାରୁ ଆରମ୍ଭ କରି ହୃଦ୍‌ରୋଗରେ ମୃତ୍ୟୁ ହେବା ଆଶଙ୍କାକୁ ମଧ୍ୟ ଦୂର କରିଥାଏ। ତେଣୁ ଦୀର୍ଘଦିନ ବଞ୍ଚିବାର ଅଭିଳାଷ ଥିଲେ, ଲୋକଙ୍କ ସହ ସମ୍ପର୍କକୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଦୀର୍ଘଜୀବୀ ହେବା ପଛର ସାତଟି ପ୍ରମୁଖ କାରଣ ରହିଛି। ତାହା ହେଲା ଧୂମପାନ ବର୍ଜନ, ମଦ୍ୟପାନ ତ୍ୟାଗ, ୭ରୁ ୮ ଘଣ୍ଟା ଶୟନ, ନିୟମିତ ବ୍ୟାୟାମ, ଅନାଵନା ଆହାର ବାରଣ, ମଧ୍ୟମ ଧରଣର ଓଜନ ଓ ନିଶ୍ଚିତ ପ୍ରାତଃଭୋଜନ। ତାହାଛଡ଼ା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ ମଧ୍ୟ ରହିଛି ଯାହା ଦ୍ଵାରା ମଣିଷ ରୋଗମୁକ୍ତ ଦୀର୍ଘଜୀବୀ ଜୀବନ କଟାଇବ, ତାହା ହେଲା ସାମାଜିକ ସଂଯୋଗ।

ବିଭିନ୍ନ ଅଧ୍ୟୟନରୁ ଏକଥା ପ୍ରମାଣିତ ଯେ ଖୁବ୍‌ କମ୍‌ ସାମାଜିକ ସମ୍ପର୍କ ରଖୁଥିବା ଲୋକଙ୍କ ତୁଳନାରେ ଅଧିକ ଯୋଗାଯୋଗରେ ଥିବା ଲୋକଙ୍କର ମୃତ୍ୟୁ ହାର ପ୍ରାୟ ଅଧା। ସୁତରାଂ ଘନିଷ୍ଠ ବନ୍ଧୁତା ପରି ସାମାଜିକ ସମ୍ପର୍କ ଉପରେ ଗୁରୁତ୍ବାରୋପ କରିବା ଦୀର୍ଘଜୀବୀ ହେବାର ଏକ ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ କହିବା ଭୁଲ୍‌ ହେବ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button