IBN ଓଡ଼ିଶା ବ୍ୟୁରୋ

ଗ୍ୟାସ୍‌ ହସାଉଛି କନ୍ଦାଉଛି ବି

ଖୁସି ହେଲେ ମଣିଷ ହସେ ଓ ଦୁଃଖରେ କାନ୍ଦେ। ହେଲେ ଆପଣ ଜାଣନ୍ତି କି, ବିନା ସୁଖ ଓ ଦୁଃଖରେ ଆପଣ ହସି ହସି ବେଦମ୍‌ ହୋଇପାରନ୍ତି କିମ୍ବା କାନ୍ଦି କାନ୍ଦି ବେହାଲ୍‌ ବି ହୋଇପାରନ୍ତି! କିନ୍ତୁ କେମିତି? ଅନ୍ତରର ଭାବପ୍ରକାଶ କରିବା ବେଳେ ସ୍ବାଭାବିକ ଭାବେ ସଂପନ୍ନ ହେଉଥିବା କ୍ରିୟା କିପରି ଭାବ ବିନା ସମ୍ଭବ? ଏହାର ଉତ୍ତର- ଗ୍ୟାସ୍‌ ବା ବାଷ୍ପ। ହିନ୍ଦୀ ଚଳଚ୍ଚିତ୍ର ‘ହାଉସ୍‌ଫୁଲ୍‌’ର ବକିଂହମ୍‌ ପ୍ୟାଲେସ୍‌ କ୍ଲାଇମାକ୍ସ ସିନ୍‌ରେ ଲାଫିଂ ଗ୍ୟାସ୍‌ ବା ହସ ସୃଷ୍ଟିକାରୀ ବାଷ୍ପ ଯୋଗୁଁ ସମସ୍ତେ ହସୁଥିବା ଦେଖିଥିବେ। ସେହିଭଳି ବିକ୍ଷୋଭକାରୀଙ୍କ ଭିଡ଼ ହଟାଇବାକୁ ଅନେକ ସମୟରେ ପୁଲିସ୍ ଟିୟର୍‌ ଗ୍ୟାସ୍‌ ବା ଲୁହବୁହା ବାଷ୍ପ ପ୍ରୟୋଗ କରିବା ଗଣମାଧ୍ୟମରୁ ପଢ଼ିଥିବେ। ତେବେ ଏ ହସ ଓ ଲୁହ ବାଷ୍ପ କ’ଣ! ଆସନ୍ତୁ ଜାଣିବା…

ଲ୍ୟାଫିଂ ଗ୍ୟାସ୍‌
ଏମିତି ଅନେକ ଗ୍ୟାସ୍ ବା ବାଷ୍ପ ରହିଛି, ଯାହାର କୌତୂହଳପ୍ରଦ ପ୍ରଭାବ ମଣିଷ ଶରୀର ଉପରେ ଦେଖିବାକୁ ମିଳେ। ଏମିତି ଏକ ଗ୍ୟାସ୍ ହେଲା ନାଇଟ୍ରସ୍ ଅକ୍ସାଇଡ୍ (ଡାଇନାଇଟ୍ରୋଜେନ୍ ଅକ୍ସାଇଡ୍ ବା ଡାଇନାଇଟ୍ରୋଜେନ୍ ମୋନୋକ୍ସାଇଡ୍)। ଏହାକୁ ସାଧାରଣତଃ ହସ ସୃଷ୍ଟିକାରୀ ଗ୍ୟାସ୍ ବୋଲି କୁହାଯାଇଥାଏ। ଏହା ନାଇଟ୍ରୋଜେନ୍‌ ଓ ଅମ୍ଳଜାନର ରାସାୟନିକ ମିଶ୍ରଣରୁ ଉତ୍ପନ୍ନ। ସାଧାରଣ ତାପମାତ୍ରାରେ ଏହା ଏକ ରଙ୍ଗହୀନ ଅଣ-ଦହନଶୀଳ ଗ୍ୟାସ୍। ଏହାର ବାସ୍ନା ସାମାନ୍ୟ ମଧୁର ଏବଂ ସ୍ୱାଦ ବି ସାମାନ୍ୟ ମଧୁର। ୧୭୭୨ ମସିହାରେ ବ୍ରିଟିସ୍‌ ରସାୟନବିତ୍‌ ଜୋସେଫ୍‌ ପ୍ରିଷ୍ଟ୍‌ଲେ ଏହି ଗ୍ୟାସ୍‌ ଆବିଷ୍କାର କରିବା ସହ ଏହାର ଉପାଦାନ ତର୍ଜମା କରିବାରେ ସକ୍ଷମ ହୋଇଥିଲେ। ଯନ୍ତ୍ରଣା ହ୍ରାସକାରୀ ପ୍ରଭାବ ଥିବାରୁ ବିଶେଷକରି ଅସ୍ତ୍ରୋପଚାର ଓ ଦନ୍ତ ଚିକିତ୍ସାରେ ନାଇଟ୍ରସ୍ ଅକ୍ସାଇଡ୍‌ ବ୍ୟବହୃତ ହୋଇଥାଏ। ଏହା ଆଘ୍ରାଣ ଓ ନିଃଶ୍ବାସରେ ଯିବା ପରେ ଶରୀରରେ ଆନନ୍ଦ ଓ ଉଦ୍ଦୀପନା ସୃଷ୍ଟିକରେ। ଏହି ଆବେଗିକ ଅନୁଭୂତି ମଣିଷ ଓଠରେ ହସ ଖେଳାଇଥାଏ। ଏହି ଗ୍ୟାସ୍‌କୁ ଅଧିକ ଆଘ୍ରାଣ କରିବା ଦ୍ବାରା ହସ ଲାଗିଥାଏ। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଅତ୍ୟାବଶ୍ୟକ ଔଷଧ ତାଲିକାରେ ରହିଛି।

ଟିଅର୍‌ ଗ୍ୟାସ୍
ଲୁହବୁହା ଗ୍ୟାସ୍‌କୁ ଦଙ୍ଗା ନିୟନ୍ତ୍ରକ ଏଜେଣ୍ଟ୍‌ ବୋ‌ଲି ବି କୁହାଯାଇଥାଏ। ଏହା ଏଭଳି ଏକ ରାସାୟନିକ ଅସ୍ତ୍ର, ଯାହାର ସଂସ୍ପର୍ଶରେ ଆସିଲେ ଆଖିରେ ଥିବା ଲାକ୍ରିମାଲ୍ ଗ୍ରନ୍ଥିର ସ୍ନାୟୁ ଲୁହ ସୃଷ୍ଟି କରିବା ପାଇଁ ଉତ୍ସାହିତ ହୋଇଥାଏ। ଏହାବ୍ୟତୀତ ଏହି ବାଷ୍ପ ‌ଯୋଗୁଁ ଆଖି, ପାଟି, ଗଳା, ଫୁସ୍‌ଫୁସ୍ ଓ ଚର୍ମରେ ଜଳାପୋଡ଼ା ହୋଇଥାଏ। ଏହି କାରଣରୁ ଲୁହ ବାହାରିଥାଏ। କ୍ଲୋରୋଆସେଟୋଫେନୋନ୍ (ସିଏନ୍), କ୍ଲୋରୋପାଇକ୍ରିନ୍(ପିଏସ୍‌), ବ୍ରୋମୋବେଞ୍ଜିଲ୍‌ସାଇନାଇଡ୍‌ସ୍‌ (ସିଏ) ଆଦି ଏହି ଶ୍ରେଣୀୟ ଗ୍ୟାସ୍‌। ଝିଅମାନଙ୍କୁ ଆତ୍ମରକ୍ଷା ପାଇଁ ନିଜ ପାଖରେ ଯେଉଁ ପିପର୍‌ ସ୍ପ୍ରେ ରଖିବାକୁ କୁହାଯାଇଥାଏ, ତାହା ଲୁହବୁହା ବାଷ୍ପ ବର୍ଗର ଓଲେଓରେଜିନ୍‌ କ୍ୟାପ୍‌ସିକମ୍‌ (ଓସି) ଗ୍ୟାସ୍। ସାଧାରଣତଃ ଦଙ୍ଗା ନିୟନ୍ତ୍ରଣ ପାଇଁ ପୁଲିସ ଓ ସାମରିକବାହିନୀଙ୍କ ଦ୍ୱାରା ଏହି ଲୁହବୁହା ଗ୍ୟାସ୍‌ ବ୍ୟବହାର କରାଯାଇଥାଏ। ବିଭିନ୍ନ ଅନ୍ତର୍ଜାତୀୟ ଚୁକ୍ତି ଯୋଗୁଁ ଯୁଦ୍ଧରେ ଏହାର ବ୍ୟବହାର ନିଷିଦ୍ଧ ଘୋଷିତ ହୋଇଛି। କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବିଷାକ୍ତ ଓ ମାରାତ୍ମକ ଲୁହବୁହା ଗ୍ୟାସ୍ ବ୍ୟବହୃତ ହୋଇଥିଲା। ତେବେ ଏହି ଲୁହବୁହା ଗ୍ୟାସ୍‌ର ପ୍ରଭାବ ସ୍ବଳ୍ପକାଳରେ ବା ଦୀର୍ଘକାଳରେ କ’ଣ ରହିଛି ସେ ନେଇ ଭଲ ଭାବେ ଅଧ୍ୟୟନ ହୋଇନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button