ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କେବେ?

ଭଦ୍ରକ: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ସରକାର ଭୁଲିଗଲେଣି। କିନ୍ତୁ ଜିଲ୍ଲାବାସୀ ଭୁଲିନାହାନ୍ତି। ୨୦ ବର୍ଷ ଆଗରୁ ଭଦ୍ରକ ଜିଲ୍ଲାବାସୀ ଯେଉଁ ମେଡିକାଲ କଲେଜ ପାଇଁ ଦାବି କରି ଆସୁଥିଲେ, ଆଜି ମଧ୍ୟ ତାହା ମୁଖ୍ୟ ଦାବି ହୋଇ ରହିଛି। ନିର୍ବାଚନ ପୂର୍ବରୁ ରାଜ୍ୟ ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ରୀୟ ନେତା ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ।
ପ୍ରତିଶ୍ରୁତିର ପାହାଡ଼ ଠିଆ କରିଥିଲେ। ନୂଆ ସରକାର ଗଠନ ହେଲା କିନ୍ତୁ ମେଡିକାଲ କଲେଜ ପ୍ରତିଷ୍ଠା ନୋହିଲା।
ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ହେଉଛି ଭଦ୍ରକ। ଭଦ୍ରକର ୪ଟି ଯାକ ପଡ଼ୋଶୀ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାକୁ ଅବହେଳା କରାଯାଇଛି।
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ପୂର୍ବ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଅଞ୍ଚଳବାସୀ ଆନ୍ଦୋଳନ, ଧାରଣା, ଧର୍ମଘଟ କରିଛନ୍ତି। ଏବେ ବି ନୂଆ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି। ମାତ୍ର ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ କେହି ଆନ୍ତରିକତା ଦେଖାଉନାହାନ୍ତି। ଉତ୍ତର ଓଡ଼ିଶାର ବାଲେଶ୍ବର ଓ ମୟୂରଭଞ୍ଜରେ ଏକାସଙ୍ଗରେ ଦୁଇଟି ମେଡିକାଲ କଲେଜ ହେଲା। ପରେ ଆଉ ଏକ ମେଡିକାଲ୍ କଲେଜ ଘୋଷଣା କଥା ଉଠିଲା ବେଳେ ଭଦ୍ରକ ପ୍ରମୁଖ ଦାବିଦାର ଥିଲା। କିନ୍ତୁ ରାଜନୈତିକ ପଶାପାଲିରେ ମେଡିକାଲ କଲେଜ ଭଦ୍ରକରେ ହୋଇ ନ ଥିଲା। ସ୍ଥାନୀୟ ନେତାଙ୍କ ଅପାରଗତା ଯୋଗୁ ସେ ସମୟରେ ଯାଜପୁରରେ ମେଡିକାଲ କଲେଜ ହୋଇଗଲା ବୋଲି ବରିଷ୍ଠ ଡାକ୍ତର ହରେକୃଷ୍ଣ ନାୟକ କହିଛନ୍ତି।




