ରାଜ୍ୟ

ନିଜ ପରିଶ୍ରମ ବଳରେ ଜୀବନର ଗତିପଥକୁ ବଦଳାଇ ହେବ: ହକି ତାରକା ରାଣୀ ରାମପାଲ – Ibnodisha

[ad_1]

ଭୁବନେଶ୍ବର: କ୍ରୀଡ଼ାବିତ୍‌ମାନେ ଯେତେବେଳେ ଗାଁ ଛାଡ଼ି ସହରକୁ ଆସୁଛନ୍ତି, ସେମାନଙ୍କ ଠାରୁ ଅଭିଭାବକମାନେ ଅନେକ ଆଶା ରଖିଥାନ୍ତି। ସେଥିପାଇଁ କ୍ରୀଡ଼ାବିତ୍‌ମାନେ ପ୍ରଥମେ ବିଶ୍ବାସ କରିବା ଶିଖନ୍ତୁ। ଗାଁରୁ ଆସିଛି, ଗରିବ ପରିବାରରୁ ଆସିଛି ବୋଲି ଏହି କାମ କରିପାରିବି ନାହିଁ, ଏଭଳି ଭାବିବା ଭୁଲ। ତେଣୁ ନିଜ ଉପରେ ଅଧିକ ବିଶ୍ବାସ ରଖନ୍ତୁ। ଜୀବନରେ ବହୁ ପରିଶ୍ରମ କରନ୍ତୁ। ନିଜ ପରିଶ୍ରମ ବଳରେ ଜୀବନର ଗତିପଥକୁ ବଦଳାଇ ହେବ। ୨୫ତମ ଡ. ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଶୁକ୍ରବାର ଏହା କହିଛନ୍ତି।

ରାଣୀ ରାମପାଲ କହିଛନ୍ତି, ଜୀବନରେ ହାରିବା ସ୍ବୀକାର କରନ୍ତୁ ନାହିଁ। ପଡ଼ିଆରେ ହାରିବାକୁ ମଧ୍ୟ ପଡ଼ିବ। ଧରନ୍ତୁ ପ୍ରତିଯୋଗିତା ପାଇଁ ବହୁତ ଭଲ ଅଭ୍ୟାସ କରିଛନ୍ତି। ପ୍ରତି‌ଯୋଗିତାରେ ସ୍ଥାନ ପାଉନାହାନ୍ତି। ଯଦିଓ ପ୍ରତିଯୋଗିତା ପାଇଁ ମନୋନୀତ ହେଉଛନ୍ତି କିନ୍ତୁ ପଦକ ମିଳୁନାହିଁ। କିନ୍ତୁ ଏତିକିରେ ଜୀବନ ଶେଷ ହୋଇ ନଥାଏ। ଛାଡ଼ିକି ଘରେ ବସିଯିବେ ଯଦି, କେହି ହାତଧରି ଉଠାଇବେ ନାହିଁ। ଏଥି ପାଇଁ ଚିନ୍ତା କରନ୍ତୁ ନାହିଁ। ହତାଶ ହୁଅନ୍ତୁ ନାହିଁ। ନିଜର ହାତ ନିଜକୁ ଉଠାଇବାକୁ ପଡ଼ିବ। ଆପଣଙ୍କୁ ପରାସ୍ତ କରିବାକୁ ଅନେକ ଲୋକ ଆସିବେ। କିନ୍ତୁ ଉପରକୁ ଉଠିବା ପାଇଁ ନିଜକୁ ହିଁ ଉଦ୍ୟମ କରିବାକୁ ପଡ଼ିବ।

‘ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ଯେଉ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ। କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ବ ଦେଉଛନ୍ତି। କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି’ ବୋଲି ରାଣୀ ରାମପାଲ କହିଥିଲେ। ରାଣୀ କହିଥିଲେ, ‘କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ଜୀବନରେ ଆମେ ହାର ମାନିବା ଉଚିତ ନୁହେଁ। ବହୁ କଠିନ ପରିଶ୍ରମ କରି ଆଜି ମୁଁ ଏ ସ୍ଥାନରେ ପହଞ୍ଚି ପାରିଛି। ଯେଉ କ୍ରୀଡ଼ାବିତମାନେ ଏଠାରେ ଉପସ୍ଥିତ ରହିଛନ୍ତି ସେମାନଙ୍କୁ ମୋର ଗୋଟିଏ ପରାମର୍ଶ, ନିଷ୍ଠାର ସହ ପରିଶ୍ରମ କରିଚାଲ ଦେଖିବ ୧୦ ବର୍ଷ ପରେ ତୁମେ ମୋ ସ୍ଥାନରେ ଥିବ। ଏସୀୟ କ୍ରୀଡ଼ା ଆମର ଉଭୟ ପୁରୁଷ ଓ ମହିଳା ହକି ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଯଦି ଆମେ ସ୍ବର୍ଣ୍ଣ ଜିତୁଛୁ ତେବେ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିପାରିବୁ। ମୋର ବିଶ୍ବାସ ଆମେ ସ୍ବର୍ଣ୍ଣ ଜିତିବୁ ଏବଂ ହାଙ୍ଗଝୌରେ ପ୍ୟାରିସ ଟିକେଟ୍‌ ହାସଲ କରିବୁ।’

କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଆନୁକୂଲ୍ୟରେ ଆୟୋଜିତ ଏହି ବକ୍ତୃତା ମାଳାରେ ରାଣୀଙ୍କ ସହ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକିର ନିର୍ଦ୍ଦେଶକ ଡେଭିଡ୍‌ ଜନ୍‌ ଓ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରର ପରିଚାଳନା ମୁଖ୍ୟ ରାଜୀବ ସେଠ୍‌ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଶା କ୍ରୀଡ଼ା ସାମ୍ବାଦିକତା ପ୍ରତି ସ୍ବର୍ଗତଃ ଡ. ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କାର୍ଯ୍ୟକ୍ରମ ଆରମ୍ଭରୁ ଏକ ମିନିଟ ନିରବ ପ୍ରାର୍ଥନା ସହ ପୁଣ୍ୟ ଶ୍ରାଦ୍ଧ ଦିବସରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଓସ୍‌ଜାର ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା।

ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ, ‘କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ସେମାନେ ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରନ୍ତି। ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାନ୍ତି।’ ଓଡ଼ିଶାରେ ହକିର ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ପ୍ରତିଭାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଡେଭିଡ୍‌ ଜନ୍‌। ଓଡ଼ିଶା ହକିରେ ବିକାଶ ନେଇ ଓଡ଼ିଶା ନାଭାଲ ଟାଟା ଏକାଡେମୀ କିଭଳି କାର୍ଯ୍ୟ କରୁଛି ଏବଂ ଏକାଡେମୀର ସଫଳତା ସଂପର୍କରେ ରାଜୀବ ସେଠ୍‌ ମତ ରଖିଥିଲେ।

ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କୁ ଏହି ଅବସରରେ ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜା ପରିଚାଳନା କମିଟି ସଦସ୍ୟ ସଂବିତ୍‌ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏସ୍‌ଜେଏଫ୍‌ଆଇର ପରିଚାଳନା କମିଟିକୁ ନିର୍ବ।ଚିତ ହୋଇଥିବା ଓସ୍‌ଜା ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଏବଂ ଗୋଲ୍ଡେନ ଜୁବିଲୀ କମିଟିରେ ସାମିଲ ହୋଇଥିବା ସଭାପତି ସନ୍ଦୀପ ମିଶ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଓସ୍‌ଜାର କାର୍ଯ୍ୟକାରୀ ସଭାପତି କେ.ରବି, ସନାତନ ପାଣି, ସୁରେଶ ସ୍ବାଇଁ, ତପନ କୁମାର ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ଅନିରୁଦ୍ଧ ମିଶ୍ର, ସମୀର ରାଉତ, ସର୍ବଶ୍ବେର ମହାନ୍ତି, ପ୍ରତାପ ପ୍ରଧାନ, ବେଣୁଧର ଦାସ, ମନୋରଞ୍ଜନ ଦାସ, ଶକ୍ତି ପ୍ରସାଦ ନନ୍ଦ, ବିମଳ କୁମାର ରାଉଳ, ମହେନ୍ଦ୍ର ସାହୁ, ସୁଜିତ ସ୍ବାଇଁ, ତୁଷାର ସେନାପତି, ରଞ୍ଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝୀ, ମନମୋହନ ସ୍ବାଇଁ, ସନ୍ତୋଷ ମହାନ୍ତି ଓ ଶୁଭଲକ୍ଷ୍ମୀ ବଳଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button