ନିବେଶକଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ, ଆଜି ମୁମ୍ବାଇରେ କରିବେ ରୋଡ ଶୋ

ନୂଆଦିଲ୍ଲୀ: ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ କିପରି ଅଧିକରୁ ଅଧିକ ଶିଳ୍ପ କାରଖାନା ଓଡିଶାରେ ସ୍ଥାପନ କରାଯିବ ଏନେଇ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ପୂର୍ବରୁ ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ କରିଥିବା ବେଳେ ଗତକାଲି ଓ ଆଜି ମୁମ୍ବାଇରେ ବହୁ ଶିଳ୍ପପତିମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଦ୍ବିତୀୟ ଦିନରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କୁ ଭେଟିବା ସହ ଜେଏସଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କମ୍ପାନିର ସଂପ୍ରସାରଣ ଏବଂ ବିଦ୍ୟୁତ୍ ଯାନ ନିର୍ମାଣରେ ଉପରେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହିତ କଟକର ନରାଜ ଏବଂ ପାରାଦୀପଠାରେ ହେବାକୁ ଥିବା ସମନ୍ବିତ ବିଦ୍ୟୁତ୍ ଯାନ ଉତ୍ପାଦନ ଏବଂ ଲିଥିୟମ ଆୟନ ବ୍ୟାଟେରି ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରିବାକୁ ଜିନ୍ଦଲଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ପରିପ୍ରକ୍ଷୀରେ ବାଦାନ୍ତ ପକ୍ଷରୁ ରାଜ୍ୟରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଛି ।
ଏଥିସହିତ ଗତକାଲି ମଧ୍ୟ ବିଶିଷ୍ଟ ଶିଲ୍ପପତିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରେ ରିଲାନ୍ସ ବୋର୍ଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି, ଗୋଦ୍ରେଜ୍ ଅଧ୍ୟକ୍ଷ ନାଦିର ଗୋଦରେଜ୍, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ରବି ଗୋଏଙ୍କା, ୱେଲସ୍ପନର ବିଜୟ ଗୋଏଙ୍କା ଓ ବାଳକୃଷ୍ଣ ଗୋଏଙ୍କା ପ୍ରମୁଖ ରହିଛନ୍ତି। ଏମାନଙ୍କ ସହ ପୁଞ୍ଜି ନିବେଶ ନେଇ ଆଲୋଚନା କରିବା ସହିତ ଓଡିଶାର କିପରି ଶିଲ୍ପ କ୍ଷେତ୍ର ଅଧିକ ବୃଦ୍ଧି ହେବ ସେନେଇ ନିବେଶକଙ୍କୁ ଆମନ୍ତ୍ରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ ।
ତେବେ ଆଜି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ପ୍ରାୟ ୩ ଶହରୁ ଅଧିକ ଶିଳ୍ପପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେମାନଙ୍କ ସହ ମିଶି ମୁମ୍ବାଇରେ ରୋଡ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।