ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ପ୍ରଥମ; ପ୍ରଥମ ବଲ୍ରେ ୱିକେଟ୍ ହରାଇଲେ ନ୍ୟୁଜିଲାଣ୍ଡ ଓ ୟୁଏଇ ଟିମ୍ – Ibnodisha

[ad_1]
ଦୁବାଇ: ଦୁବାଇ ଇଣ୍ଟରନାସ୍ନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ରୋମାଞ୍ଚକର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୯ ରନ୍ରେ ଜିତିବା ସହିତ ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ କରିଛି । ତେବେ ମ୍ୟାଚ୍ରେ ଏପରି ଘଟିଛି ଯାହା ଟି-୨୦ ଇତିହାସରେ ପ୍ରଥମ । ଉଭୟ ଟିମ୍ ନିଜ ନିଜ ଇନିଂସ୍ର ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲେ । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୟୁଏଇ ବୋଲର୍ ଜୁନୈଦ ସିଦ୍ଦିକୀ କିୱି ଓପ୍ନର୍ ଚାଡ୍ ବାଉସ୍ଙ୍କୁ ଗୋଲ୍ଡେନ୍ ଡକ୍ରେ ଆଉଟ୍ କରି ପ୍ୟାଭିଲିଅନ୍ ଫେରାଇଥିଲେ । ସେହିପରି ୟୁଏଇ ଇନିଂସ୍ରେ ଟିମ୍ ସାଉଦୀ ପ୍ରଥମ ବଲ୍ରେ କ୍ୟାପ୍ଟେନ୍ ମହମ୍ମଦ ୱାସିମ୍ଙ୍କ ଏଲ୍ବିଡବ୍ଲ୍ୟୁ ଆଉଟ୍ କରି ଫେରାଇଥିଲେ ।
ସେହିପରି ଏହି ମ୍ୟାଚ୍ରେ ଟି-୨୦ ପଦାର୍ପଣ କରିଥିବା ୟୁଏଇର ୧୮ ବର୍ଷୀୟ ୱିକେଟ୍କିପର୍ ବ୍ୟାଟର୍ ଆର୍ଯ୍ୟାଂଶ ଶର୍ମା ମଧ୍ୟ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ନିଜର ପ୍ରଥମ ମ୍ୟାଚ୍ରେ ୪୩ ବଲ୍ରେ ୬୦ ରନ୍ର ଆକର୍ଷଣୀୟ ଇନିଂସ୍ ଖେଳିଛନ୍ତି । ୱିକେଟ୍କିପର୍ ଭାବେ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବାରେ ଆର୍ଯ୍ୟାଂଶ ପ୍ରଥମ ଖେଳାଳି ହୋଇଛନ୍ତି । ସିରିଜ୍ର ଏହି ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ୧୯ ରନ୍ରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଟିମ୍ ସେଫର୍ଟଙ୍କ ୫୫ ରନ୍ ସହାୟତାରେ ୬ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା । ଜବାବରେ ୟୁଏଇ ଟିମ୍ ୧୯.୪ ଓଭର୍ରେ ୧୩୬ ରନ୍ରେ ସୀମତି ହୋଇଯାଇଥିଲା । କିୱି କ୍ୟାପ୍ଟେନ୍ ଟିମ୍ ସାଉଦୀ ୫ ୱିକେଟ୍ ହାସଲ କରିଥିବା ବେଳେ ମିଚେଲ୍ ସ୍ୟାଣ୍ଟନର୍ ଓ ଜିମି ନିଶାମ୍ ୨ଟି ଲେଖାଏଁ ସଫଳତା ପାଇଥିଲେ । ଦୁଇଟି ଟିମ୍ ମଧ୍ୟରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଯଥାକ୍ରମେ ୧୯ ଓ ୨୦ ତାରିଖରେ ଖେଳାଯିବ ।
[ad_2]