ରାଜ୍ୟ

ଇଏସ୍‌ଆଇ ମଡେଲ ହସ୍ପିଟାଲ: ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ

ରାଉରକେଲା: ବାସନ୍ତୀକଲୋନିର ଭୂବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାରଲୋକ ତାଙ୍କୁ ଇଏସ୍ଆଇ ମଡେଲ ହସ୍ପିଟାଲ ଭର୍ତ୍ତିକଲେ। ପ୍ରାୟ ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ପିନ୍ଧାଇ ଦିଆଯାଇଥିଲା। ୫/୬ ଘଣ୍ଟା ବେଡ୍ରେ ଅପେକ୍ଷା କରିଥିଲେ ହେଁ ଅସ୍ତ୍ରୋପଚାର ନ କରି ଫେରାଇ ଦିଆଯାଇଥିଲା। ଅନ୍ୟ ଦିନ ଆସିବାକୁ କୁହାଯାଇଥିଲା।

ଡାକ୍ତରଙ୍କ କହିବାନୁଯାୟୀ ପୁଣି ମେଡିକାଲରେ ଭର୍ତ୍ତି ହେଲେ। ପୋଷାକ ପିନ୍ଧି ବେଡ୍ରେ ଶୋଇଥିଲେ। ପୂର୍ବପରି ସେମିତି ଫେରାଇ ଦିଆଗଲା। କେବଳ ଭୂବନାନନ୍ଦ ପ୍ରଧାନ ନୁହେଁ, ଛେଣ୍ଡକଲୋନି ସମେତ ସୁନ୍ଦରଗଡ଼ର ବିଭିନ୍ନ ବ୍ଲକ୍ ଓ ଅନ୍ୟ ଜିଲ୍ଲାରୁ ଆସୁଥିବା ଶ୍ରମିକ ଓ ତାଙ୍କ ପରିବାରକୁ ଏମିତି ଫେରାଇଦିଆଉଛି। ମାସ ମାସ ଧରି ଶହ ଶହ ରୋଗୀଙ୍କୁ ଏଭଳି ଧୋକା ଦିଆଯାଉଛି। ପ୍ରତିବାଦରେ ଶ୍ରମିକନେତାମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ।

ସୁନ୍ଦରଗଡ଼ର ସମେତ ପଶ୍ଚିମ ଓଡ଼ିଶାର ପ୍ରାୟ ୨ ଲକ୍ଷ ୫୦ ହଜାର ବୀମାଭୁକ୍ତ ଶ୍ରମିକ ଓ ତାଙ୍କ ପରିବାରର ପ୍ରାୟ ୬୦%ରୁ ଅଧିକ ରୋଗୀଙ୍କୁ ଧୋକା ଦେଉଛି। ୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଆବଶ୍ୟକ ଡାକ୍ତର ପଦବି ବର୍ଷ ବର୍ଷ ଧରି ପୂରଣ ହେଉ ନାହାନ୍ତି। ୩୯ ଡାକ୍ତର ଆବଶ୍ୟକ ଥିଲାବେଳେ ଅଛନ୍ତି ମାତ୍ର ୨୨ ଡାକ୍ତର। ଆନାସ୍ଥେସିଆ, ସର୍ଜନ ଓ ମେଡିସିନ୍ ବିଭାଗର ଡାକ୍ତର ଆଜି ପର୍ଯ୍ୟନ୍ତ ନିଯୁକ୍ତି ହୋଇନାହାନ୍ତି। ଏକ୍ସ- ମେସିନ୍ ଏବେ ଆସିଲା। ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ମେସିନ୍ କେବେ ଆସିବ, କାହାରି ପାଖରେ ଉତ୍ତର ନାହିଁ। ଗତ ତିନି ଦିନ ତଳେ ଦିଲ୍ଲୀରେ ଇଏସ୍ଆଇ ସେଣ୍ଟ୍ରାଲ ବୋର୍ଡର ବୈଠକ ବସିଥିଲା। ଦେଶର ଅନ୍ୟ ଇଏସ୍ଆଇ ମଡେଲ ହସ୍ପିଟାଲ ପରି ରାଉରକେଲାକୁ ଗୁରୁତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ୫୦ ଶଯ୍ୟାକୁ ବୃଦ୍ଧି କରି ୧୫୦ ଶଯ୍ୟା କରାଯିବ ବୋଲି କୁହାଯାଉଛି। ୫୦ ଶଯ୍ୟା ହସ୍ପିଟାଲରେ ରୋଗୀମାନଙ୍କୁ ଚିକିତ୍ସା ମିଳୁନି। ଦେଖାଯାଉଛି ୧୫୦ ଶଯ୍ୟା ହସ୍ପିଟାଲ ସ୍ବପ୍ନ। ପ୍ରତିବର୍ଷ ୫ ଜଣ ଡାକ୍ତର ଦିଲ୍ଲୀରୁ ଏହି ହସ୍ପିଟାଲକୁ ହାଉସ୍ ସର୍ଜନ ପାଇଁ ଆସିଥାନ୍ତି। ଗୁରୁତର ରୋଗୀଙ୍କୁ ଏହି ହସ୍ପିଟାଲରୁ ଓଡ଼ିଶା ଡାକ୍ତରମାନେ ଲେଖିଥିବା ଔଷଧ ବିତରଣ କେନ୍ଦ୍ରରେ ମିଳୁନାହିଁ। ବିଭିନ୍ନ ରକ୍ତ ପରୀକ୍ଷାର ସମୟ ସକାଳ ସାଢ଼େ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ଦେଢ଼ଟା ପର୍ଯ୍ୟନ୍ତ ଚାଲିବା ନିୟମ ରହିଛି। ପରୀକ୍ଷା ରିପୋର୍ଟ ଅପରାହ୍ନ ସାଢ଼େ ୩ଟାରେ ଆସେ। ସେତେବେଳକୁ ଡାକ୍ତରମାନେ ଚାଲିଯାଇଥାନ୍ତି। ଯାହା ଫଳରେ ରୋଗୀମାନେ ପରାମର୍ଶ ବିନା ବା ତା’ ପରଦିନ ପରାମର୍ଶ ପାଇଁ ଅପେକ୍ଷା କରନ୍ତି। ଡାକ୍ତର ଓ କର୍ମଚାରୀମାନେ ସଠିକ୍ ସମୟରେ ହସ୍ପିଟାଲକୁ ଆସୁନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ସୁଷମ ଖାଦ୍ୟ ମିଳୁନି। ମେଡିକାଲ ଅଧୀକ୍ଷକଙ୍କ ଏଭଳି ସମସ୍ୟାକୁ ଯେତିକି ଗୁରୁତ୍ବ ଦେବା କଥା ସେତିକି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି।

ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ କହିଛନ୍ତି ଦୀର୍ଘଦିନର ଦାବି ପରେ ଡାକ୍ତର ନିଯୁକ୍ତି ହୋଇଛନ୍ତି। ହେଲେ ଆବଶ୍ୟକ ଡାକ୍ତର ପୂରଣ କରାଯାଉ ନାହିଁ। ବିଭାଗୀୟ ଅଧିକାରୀ କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ତେବେ ପଶ୍ଚିମଓଡ଼ିଶାର ବିଭିନ୍ନ କଳକାରଖାନା ଓ ଅନ୍ୟାନ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଓ ତାଙ୍କ ପରିବାର ପାଇଁ ଇଏସ୍ଆଇ ମଡେଲ ହସ୍ପିଟାଲ ଦୁଃଖ ଦେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button