ରାଜ୍ୟ

ସୁପ୍ରିମ‌କୋର୍ଟଙ୍କ ନିର୍ଦ୍ଦେଶାନାମା ପାଳନ ହେଲେ ୨୦୩୦ ସୁଦ୍ଧା‌ ଦେଶରେ ବାଲ୍ୟବିବାହର ଅନ୍ତ ହେବ

ଭୁବନେଶ୍ବର: ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାନାମା ସହାୟତାରେ ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ବାଲ୍ୟ ବିବାହର ଅନ୍ତ ହେବ ବୋଲି ଓଡ଼ିଶା ସ୍ଥିତ ଏନଜିଓ ସେବା(ଏସଇଭିଏ)ର ନିର୍ଦ୍ଦେଶିକା ଅଳକା ସାହୁ କହିଛନ୍ତି। ଆଜି ମାଷ୍ଟରକ୍ୟାଣ୍ଟିନସ୍ଥିତ ହୋଟେଲ ସ୍ବସ୍ତି ଗ୍ରାଣ୍ଡରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଚାଇଲ୍ଡ ମ୍ୟାରେଜ ଫ୍ରି ଇଣ୍ଡିଆ (ସିଏମଏଫ୍ଆଇ) ମିଳିତ ସହଯୋଗୀ ସୋସାଇଟି ଫର୍ ଏନଲାଇଟମେଣ୍ଟ ଆଣ୍ଡ ଭଲ୍ୟୁଣ୍ଟାରି ଆକ୍ସନ(ଏସଇଭିଏ)ର ନିର୍ମଲ ଗୋରାନାଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଯେଉଁଥିରେ ଗ୍ରାମ ସମ୍ପ୍ରଦାୟ ସଚେତନ କରାଇବା ସହିତ ବାଲ୍ୟ ବିବାହର ମୂଳତ୍ପାଟନ ଉପରେ ଗୁରୁତ୍ବ ଦେଇଛନ୍ତି।

ବିଦ୍ୟାଳୟର ପାଠ୍ୟକ୍ରମରେ ବାଲ୍ୟ ବିବାହକୁ ସାମିଲ କରାଯିବ। ଏହାସହ ପ୍ରତି ଜିଲ୍ଲାର ଜଣେ ଲେଖାଏଁ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଜନ ସଚେତନତା ଉପରେ ପ୍ରଧାନ୍ୟ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ଫଣ୍ଡ ରହିବ। ଏହାପରେ କୌଣସି ଗ୍ରାମରେ ବାଲ୍ୟ ବିବାହ ହେଲେ ଏଥିରେ ପଞ୍ଚାୟତ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ, ପୁଲିସ ଏବଂ ବାଲ୍ୟ ବିବାହ ସୁରକ୍ଷା ଅଧିକାରୀଙ୍କୁ କୋର୍ଟ ଉତ୍ତରଦାୟୀ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ଏହି ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଏବଂ ଗ୍ରାମ କର୍ତ୍ତୃପକ୍ଷଙ୍କ ଦ୍ବାରା କାର୍ଯ୍ୟକାରୀ ହେଲେ ଏହା ପ୍ରଭାବ ବହୁଗୁଣିତ ହେବ। ଏହାଦ୍ବାରା ୨୦୩୦ ସୁଦ୍ଧା ଦେଶରେ ବାଲ୍ୟ ବିବାହର ଅନ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅତିଥିମାନେ ଆଶାବାଦୀ ରହିଥିବା କହିଛନ୍ତି।

ଏହାବାଦ ଦେଶର ୨୦୦ରୁ ଅଧିକ ଏନଜିଓଙ୍କ ମିଳିତ ମଞ୍ଚ ସିଏମଏଫଆଇ ବାଲ୍ୟ ବିବାହ ମୁକ୍ତ ଅଭିଯାନରେ ଦେଶର ୪୦୦ରୁ ଅଧିକ ଜିଲ୍ଲାରେ ପିକେଟ ରଣନୀତି ଅନୁସରଣ କରାଯାଉଛି। ଏହି ପିକେଟ ରଣନୀତି, ଇନଷ୍ଟିଚ୍ୟୁସନ୍, କୋଲାବରେସନ୍, ନଲେଜ, ଇକୋସିଷ୍ଟମ ଏବଂ ଟେକ୍ନୋଲୋଜି ଆଦିକୁ ନେଇ ଗଠିତ କରାଯାଇଛି। ଏହି ରଣନୀତିକୁ ଅବଲମ୍ବନ କରି ୨୦୨୩- ୨୪ ବର୍ଷରେ ୧,୨୦, ୦୦୦ରୁ ଅଧିକ ବାଲ୍ୟ ବିବାହକୁ ରୋକାଯାଇ ପାରିଛି। ଏଥିସହ ସରକାରୀ ଉଦ୍ୟମରେ ୧୧ ଲକ୍ଷରୁ ଅଧିକ ଅସୁରକ୍ଷିତ ପିଲାଙ୍କୁ ବାଲ୍ୟ ବିବାହରୁ ରକ୍ଷା କରାଯାଇପାରିଛି। ୫୦,୦୦୦ରୁ ଅଧିକ ବାଲ୍ୟ ବିବାହ ମୁକ୍ତଗ୍ରାମ ସୃଷ୍ଟି କରାଯାଇ ପାରିଛି। ନୂତନ ନିର୍ଦ୍ଦେଶାବଳୀରେ ଏହି ପିକେଟ ରଣନୀତିକୁ ଏକ ଅଂଶ ଭାବେ ସାମିଲ କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ସେବା ନିର୍ଦ୍ଦେଶିକା ଅଳକା ସାହୁ, ଜଷ୍ଟ ରାଇଟସ୍ ଫର ଚିଲଡ୍ରେନର ମୁଖ୍ୟ ରାଜୀବ ଭରଦ୍ବାଜ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଓଏସପିସିଆର)ର ସସ୍ମିତା ନନ୍ଦ, ସିଏମଏଫଆଇର ସଂଯୋଜକ ରବିକାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button