ବାତ୍ୟା ରାତିରେ ଧରାପଡ଼ିଲା ୨୬ ଲକ୍ଷ ଟଙ୍କାର ନକଲି ମଦ
କଟକ/ଆଠଗଡ଼: ଗୋଟିଏ ପଟେ ବାତ୍ୟା ‘ଦାନା’କୁ ନେଇ ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଝାଡ଼ଖଣ୍ଡର ମଦ ମାଫିଆ ଗୋଟିଏ ଟ୍ରକ୍ରେ ନକଲି ମଦ କଟକ ଜିଲ୍ଲା ନରସିଂହପୁରକୁ ଚାଲାଣ କରୁଥିଲେ। ସିମେଣ୍ଟ ଇଟା ଭିତରେ ମଦ ପେଟି ଲୁଚାଇ ଚାଲାଣ ବେଳେ ବାତ୍ୟା ରାତିରେ କଟକ ଜିଲ୍ଲା ଅବକାରୀ ବିଭାଗ ତାହାକୁ ଜବତ କରିଛି।
ଏହି ଘଟଣାରେ ଟ୍ରକ ଡ୍ରାଇଭର ଉତ୍ତରପ୍ରଦେଶ ବାଲିଆ ଜିଲ୍ଲା ବଇରିଆର ବିଷ୍ଣୁକୁମାର ବିଶ୍ବକର୍ମା (୩୬)କୁ ଗିରଫ କରାଯାଇଛି। ତା’ ନିକଟରୁ ୨ ହଜାର ୪୨ ଲିଟର୍ (ବିଏଲ୍) ନକଲି ବିଦେଶୀ ମଦ ଜବତ ହୋଇଛି। ଯାହାର ଦାମ ୨୫ ଲକ୍ଷ ୮୪ ହଜାର ଟଙ୍କା ହେବ। ଏଥିସହିତ ମଦ ଚାଲାଣରେ ବ୍ୟବହୃତ ଆଇଚର୍ ଟ୍ରକ (ଏମ୍ପି୧୩ ଜିଏ-୭୩୩୫), ମୋବାଇଲ୍ ଫୋନ୍, ୪ ହଜାର ଡ୍ରିମର୍ ପ୍ରିମିୟମ୍ ହୁଇସ୍କି ଲେବଲ୍ ମଧ୍ୟ ଜବତ ହୋଇଛି।
ଝାଡ଼ଖଣ୍ଡରୁ କଟକ ଜିଲ୍ଲାର ନରସିଂହପୁରକୁ ଚାଲାଣ ହେଉଥିଲା
ଉତ୍ତରପ୍ରଦେଶର ଡ୍ରାଇଭର୍ ଗିରଫ, ୪ ହଜାର ଲେବଲ୍ ଜବତ
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ବିଷ୍ଣୁକୁମାର ବିଶ୍ବକର୍ମା ଏକ ଟ୍ରକରେ ଝାଡ଼ଖଣ୍ଡରେ ନକଲି ମଦ ପ୍ରସ୍ତୁତ ହେଉଥିବା ଫ୍ୟାକ୍ଟ୍ରିରୁ ମଦ ଆଣି ନରସିଂହପୁର ଆଡ଼କୁ ଗୁରୁବାର ରାତିରେ ଆସିଥିଲା। କାନପୁର ଥାନା ଅନ୍ତର୍ଗତ ଏକଡଳା ଏଚ୍ପି ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ପାର୍କିଂ କରିଥିବାବେଳେ ଅବକାରୀ ଏସପି କରୁଣା ଶଙ୍କର ତିଵାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ଟ୍ରକ ଡାଲାରେ ସିମେଣ୍ଟ ଇଟା ଲୋଡିଂ ହୋଇଥିଲା। ଏହି ଇଟା ଭିତରେ ୨୦୪ ପେଟି ମଦ ଥିଲା। ଗୋଟିଏ ପେଟିରେ ୧୪ଟି ଲେଖାଏ କରି ମୋଟ ୨୮ ଶହ ୫୬ ବୋତଲ ମଦ ରହିଥିଲା। ପ୍ରତି ବୋତଲରେ ୭୫୦ ଏମଏଲ ମଦ ଥିଲା। ଉକ୍ତ ମଦ ବୋତଲଗୁଡ଼ିକରେ କୌଣସି ଲେବଲ୍ ନଥିଲା। ସାଦା ବୋତଲରେ ଏହି ମଦ ପ୍ୟାକିଂ ହୋଇଥିଲା। ଧରାପଡ଼ିଥିବା ମଦ ବୋଝେଇ ଗାଡ଼ିର ନମ୍ବର ଓ ଚେଚିସ୍ ନମ୍ବର ଭିତରେ କୌଣସି ପ୍ରକାର ତାଳମେଳ ନାହିଁ। ତେଣୁ କଟକ ଆରଟିଓଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯିବ। ଚଢ଼ଉରେ ଆଠଗଡ଼ ଅବକାରୀ ଡିଏସ୍ପି ନିମାଇଁ ଚରଣ ସିଂହ, ହେମନ୍ତ ମହାନନ୍ଦିଆ, କମଳଲୋଚନ ପାଇକରାୟ, ଅଭିରାମ ସାହୁ, ଅଜିତ କୁମାର ପାତ୍ର, ଅରୁଣ ଭୋଇ, ସୌମ୍ୟରଞ୍ଜନ ମାଝୀ, ସୌମ୍ୟରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।