ରାଜ୍ୟ

ଅନନ୍ୟ ଶ୍ରୀମନ୍ଦିର, ସାଗର ବିଜେ

ସାଗରବିଜେ ଶ୍ରୀମନ୍ଦିରର ଏକ ଗୁରୁତ୍ବପୂର୍ଣ୍ଣ ମାସିକ ନୀତି। ଏହି ନୀତିରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀନାରାୟଣ ସାଗରବିଜେ କରିଥାଆନ୍ତି। ଅମାବାସ୍ୟା ଦିନ ଏହି ନୀତି ହେଉଥିବାରୁ ତାହାଙ୍କୁ ‘ଅମାବାସ୍ୟା ନାରାୟଣ’ କୁହାଯାଏ। ‘ନାରାୟଣ’ ଭଗବାନ ବିଷ୍ଣୁଙ୍କର ଅନ୍ୟ ନାମ। ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ‘ଶବ୍ଦତତ୍ତ୍ବବୋଧ ଅଭିଧାନ’ରେ ଏହି ଶବ୍ଦର ବ୍ୟୁତ୍ପତ୍ତି ଦିଆଯାଇଛି।

କୁହାଯାଇଛି- ‘ନାରା’ ଅର୍ଥାତ୍ ଜଳ ଯାହାଙ୍କର ‘ଅୟନ’ ବା ସ୍ଥାନ- ସେ ‘ନାରାୟଣ’। ଅନ୍ୟ ଅର୍ଥରେ କୁହାଯାଇଛି- ‘ନାରା’ ଅର୍ଥାତ୍ ନରସମୂହଙ୍କର ଯେ ଅୟନ ବା ସ୍ଥାନ ବା ଆଶ୍ରୟ- ସେ ‘ନାରାୟଣ’।

ଏ ସଂପର୍କରେ ‘ମନୁସ୍ମୃତି’ରେ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଶ୍ଳୋକ ମିଳେ। ସେଥିରେ କୁହାଯାଇଛି- “ଆପୋ ନାରା ଇତି ପ୍ରୋକ୍ତା ଆପୋ ବୈ ନରସୂନବଃ। / ତା ଯଦସ୍ୟାୟନଂ ପୂର୍ବଂ ତେନ ନାରାୟଣଃ ସ୍ମୃତଃ।।” ଏଥିରେ ମହର୍ଷି ମନୁ ‘ନାରାୟଣ’ଙ୍କ ସ୍ବରୂପ ବର୍ଣ୍ଣନା କରି କହିଛନ୍ତି- ଜଳକୁ ନାରା କୁହାଯାଏ। କାରଣ, ଜଳ ନରଙ୍କର ଅର୍ଥାତ୍ ପରମାତ୍ମାଙ୍କର ସନ୍ତାନ। ସେହି ନାରା ବା ଜଳ ପରମାତ୍ମାଙ୍କର ପ୍ରଥମ ଆଶ୍ରୟ ବା ନିବାସସ୍ଥାନ। ଏଣୁ ପରମାତ୍ମା ନାରାୟଣ ନାମରେ କଥିତ ହୁଅନ୍ତି। ଏହି ଦୃଷ୍ଟିରୁ ଶ୍ରୀନାରାୟଣଙ୍କର ‘ସାଗରବିଜେ’ ନୀତି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।
ସାଗରବିଜେ ନୀତିରେ ଅଂଶଗ୍ରହଣ କରୁଥିବା ବିଜେପ୍ରତିମା ଶ୍ରୀନାରାୟଣ ଶ୍ରୀମନ୍ଦିରର ଦକ୍ଷିଣି ଘରେ ଅବସ୍ଥାନ କରନ୍ତି। ଏହି ନାରାୟଣ ପ୍ରତିମା ପ୍ରାୟ ୧ଫୁଟ ଉଚ୍ଚ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି। ସେ ଚତୁର୍ଭୁଜ ବିଶିଷ୍ଟ। ଚାରିଭୁଜରେ ସେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଛନ୍ତି।

ଶାସ୍ତ୍ରମତରେ ଶ୍ରୀକ୍ଷେତ୍ରର ମହୋଦଧିର ଅନ୍ୟନାମ ତୀର୍ଥରାଜ। କାରଣ, ସେଠାରେ ସମସ୍ତ ତୀର୍ଥଙ୍କର ସମାବେଶ ଘଟିଛି। ତାହା ଶ୍ରୀନାରାୟଣଙ୍କର ପ୍ରିୟ ନିବାସ ସ୍ଥାନ। ଅନ୍ୟ ଏକ ଦୃଷ୍ଟିରୁ ମଧ୍ୟ ଏହା ତାଙ୍କର ପ୍ରିୟ; କାରଣ ସାଗରତନୟା ଲକ୍ଷ୍ମୀ ତାଙ୍କର ପତ୍ନୀ। ପୁରାଣ ମତରେ ଅମାବାସ୍ୟା ତିଥିରେ ସାଗର ମନ୍ଥନ କରାଯାଇଥିଲା। ଦେବତା ଓ ଅସୁର ମିଶି କରିଥିବା ସେହି ମନ୍ଥନରେ ଭଗବାନ ବିଷ୍ଣୁ କଚ୍ଛପ ଅବତାରରେ ମନ୍ଥନଦଣ୍ଡ ମନ୍ଦର ପର୍ବତକୁ ନିଜର ପୃଷ୍ଠଦେଶରେ ଧାରଣ କରିଥିଲେ। ସେହି ମନ୍ଥନରୁ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ ସହିତ ଦେବୀ ଲକ୍ଷ୍ମୀ ମଧ୍ୟ ଆବିର୍ଭୂତ ହୋଇଥିଲେ। ସେଥିପାଇଁ ଅମାବାସ୍ୟା ଦିନ ହିଁ ଶ୍ରୀନାରାୟଣଙ୍କର ସାଗରବିଜେ ନୀତି ଅନୁଷ୍ଠିତ ହୋଇଥାଏ।
ପ୍ରତି ମାସର ଅମାବାସ୍ୟା ଦିନ ସକାଳଧୂପ ପରେ ଏହି ନୀତି ଅନୁଷ୍ଠିତ ହୁଏ। ସେଦିନ ଅବକାଶ ପରେ ହେଉଥିବା ବେଶ ସମୟରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ତୁଳସୀମିଶା ମାଳ ଲାଗି କରାଯାଏ। ସକାଳଧୂପ ସଂପନ୍ନ ହୋଇ, ପାଣି ପଡ଼ି ରତ୍ନସିଂହାସନକୁ ଶୁଦ୍ଧ କରାଯିବା ପରେ, ମହାଜନ ସେବକମାନେ ଦକ୍ଷିଣିଘରୁ ବିଜେପ୍ରତିମା ଶ୍ରୀନାରାୟଣଙ୍କୁ ରତ୍ନସିଂହାସନକୁ ବିଜେ କରାନ୍ତି।

ପାଳିଆ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଥିବା ତୁଳସୀମିଶା ମାଳ ବିଜେପ୍ରତିମା ଶ୍ରୀନାରାୟଣଙ୍କୁ ଆଜ୍ଞାମାଳ ରୂପେ ପ୍ରଦାନ କରନ୍ତି। ତାହା ପରେ ମହାଜନ ସେବକମାନେ ତାଙ୍କୁ ନେଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାନ୍ତି। ବିମାନବଡୁ ସେବକମାନେ ସେହି ପାଲିଙ୍କିକୁ ଆନନ୍ଦବଜାର, ବାଇଶିପାହାଚ ଓ ସିଂହଦ୍ବାର ଦେଇ ନେଇ ବାଲିସାହି ରାସ୍ତାରେ ସାଗର ବିଜେ କରାନ୍ତି। ଅମାବାସ୍ୟା ନାରାୟଣ ସ୍ବର୍ଗଦ୍ବାରଠାରେ ଥିବା ନିର୍ଦ୍ଧାରିତ ଅାସ୍ଥାନରେ ପାଲିଙ୍କି ସହ ବିଜେ ହୁଅନ୍ତି। ତାହାପରେ ଗରାବଡୁ ସେବକ ରୁପା ପିଙ୍ଗଣରେ ସାଗରଜଳ ଆଣି ପୂଜାପଣ୍ଡା ସେବକଙ୍କୁ ଦିଅନ୍ତି ଏବଂ ପୂଜାପଣ୍ଡା ସେବକ ସେହି ଜଳକୁ ସଂସ୍କାର କରି ଶ୍ରୀନାରାୟଣ ପ୍ରତିମାଙ୍କୁ ଲାଗି କରନ୍ତି। ସାବତ ନିଯୋଗ ପକ୍ଷରୁ ସେଠାରେ ଅମାବାସ୍ୟା ନାରାୟଣଙ୍କୁ ପଣାଭୋଗ ଲାଗି କରାଯାଏ। ତାହାପରେ ସେହି ପାଲିଙ୍କିରେ ଶ୍ରୀନାରାୟଣ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।

ତେବେ, ବର୍ଷର ୧୧ ମାସ ଅମାବାସ୍ୟା ନାରାୟଣଙ୍କର ଏହି ସାଗର ବିଜେ ନୀତି ହେଉଥିବାବେଳେ, ଆଷାଢ଼ ଅମାବାସ୍ୟା ଦିନ ଏହି ନୀତି ହୋଇ ନ ଥାଏ। କାରଣ, ସେହିଦିନ ଶ୍ରୀମନ୍ଦିରରେ ନେତ୍ରୋତ୍ସବ ନୀତି ହୋଇଥାଏ। ତେଣୁ ଆଜ୍ଞାମାଳ ଦିଆ ଯିବାର ଅବକାଶ ନ ଥାଏ।
ଏହି ସାଗରବିଜେ ନୀତି ସଂପର୍କରେ ସାଧାରଣରେ କଥିତ ହୁଏ ଯେ ସାଗର ଦେବୀ ଲକ୍ଷ୍ମୀଙ୍କର ପିତ୍ରାଳୟ ହୋଇଥିବାରୁ, ମାସରେ ଥରେ ଶ୍ରୀଜଗନ୍ନାଥଙ୍କ ବିଜେପ୍ରତିମା ଶ୍ରୀନାରାୟଣ ଶ୍ବଶୁରଙ୍କୁ ଭେଟିବାକୁ ଯାଇଥାଆନ୍ତି। ସେ ଦୃଷ୍ଟିରୁ ଏହା ଏକ ପାରିବାରିକ ଓ ସାମାଜିକ କୃତ୍ୟ ଭାବରେ ମଧ୍ୟ କଥିତ ହୁଏ।

Related Articles

Leave a Reply

Your email address will not be published. Required fields are marked *

Back to top button