ରାଜ୍ୟ

ଅସୁରକ୍ଷିତ ଏସ୍‌ସିବି ରେକର୍ଡରୁମ୍‌: ରେକର୍ଡ ଖୋଜି ପାଇବା ବି କଷ୍ଟ

ଟକ: ଛାତ ଫାଟି ପାଣି ଗଳୁଛି। କେଉଁଠି କେଉଁଠି ଗଛ ଉଠିଗଲାଣି। କୌଣସି ଥାକ ବି ନାହିଁ। ଯିଏ ନେଲା ବିଡ଼ା ବାନ୍ଧି ପକେଇ ଦେଲା। କର୍ମଚାରୀଙ୍କ ପାଇଁ ବସିବାକୁ ସ୍ଥାନ ନାହିଁ। ଏଭଳି ଅସୁରକ୍ଷିତ ଭାବେ ବର୍ଷ ବର୍ଷ ହେଲା ଚାଲିଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ବଡ଼ଡାକ୍ତରଖାନାର ରେକର୍ଡ ରୁମ୍। ଆଜବେଷ୍ଟସ୍ କୋଠରୀରେ ୪୦ ବର୍ଷର ପୁରୁଣା ରେକର୍ଡ ଗଦା ହୋଇ ରହିଛି।

ବର୍ଷା ହେଲେ ଘରେ ପାଣି ଝରୁଛି। ତହସିଲଠାରୁ ଆରମ୍ଭ କରି ବିଚାରବିଭାଗୀୟ ଅଦାଲତ ପର୍ଯ୍ୟନ୍ତ ସବୁଠି ରେକର୍ଡକୁ ଡିଜିଟାଇଜେସନ୍ କରାଯାଇଥିବାବେଳେ ଏସ୍ସିବିରେ ଆଜି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ଯାହାଫଳରେ ମୃତ୍ୟୁ ପ୍ରମାଣପତ୍ର ଅଥବା ଅନ୍ୟ ଯେ କୌଣସି ପ୍ରମାଣପତ୍ର ପାଇବାକୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଅନ୍ୟପଟେ ଏସ୍ସିବିରେ ସବୁ ବିଭାଗର ନିଜସ୍ବ ରେକର୍ଡ ରୁମ୍ ବି ରହିଛି। କିନ୍ତୁ ଡିଜିଟାଇଜେସନ୍ ହେଉ ନଥିବାରୁ ରୋଗୀ ସଂପର୍କୀୟଙ୍କୁ ଏମିତିକି ପୁଲିସକୁ ବି ବିଭିନ୍ନ ପ୍ରମାଣପତ୍ର ପାଇଁ ବିଭାଗକୁ ବିଭାଗ ଦୌଡ଼ିବାକୁ ପଡୁଛି। ଏପଟେ ପୁରୁଣା ନର୍ସିଂ କୋଠା ବନ୍ଦ ହୋଇପଡ଼ିଛି। ସେଠାରେ ଥିବା ୫୦ରୁ ଅଧିକ କୋଠରୀ ଓ ବଡ ବଡ ହଲ୍ ସବୁ ବ୍ୟବହୃତ ନହୋଇ ପଡ଼ିଛି। ସେଠାକୁ ରେକର୍ଡ ରୁମ୍ ସ୍ଥାନାନ୍ତର ପାଇଁ ଦାବି ହେଉଥିଲେ ବି ଆଜି ପର୍ଯ୍ୟନ୍ତ ତାହା ହୋଇପାରୁନି। ଏବେ କିଛିଦିନ ହେଲା ସେହି ପୁରୁଣା ନର୍ସିଂ କୋଠାର ୧୦ଟି ରୁମ୍ ଡାକ୍ତରୀ ଛାତ୍ରଙ୍କୁ ହଷ୍ଟେଲ ପାଇଁ ଦିଆଯାଇଛି।

ଛାତ ଫାଟି ପାଣି ଗଳୁଛି, ଗଛଲତା ମାଡ଼ିଲାଣି
ରେକର୍ଡ ଖୋଜି ପାଇବା ବି କଷ୍ଟ
ଡିଜିଟାଇଜେସନ୍ ଚିଠି ଫାଇଲ୍ ଭିତରେ

କଟକ ବଡ଼ଡାକ୍ତରଖାନାରେ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ରୋଗୀ ବି ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଦୁର୍ଘଟଣା ହେଉ କି ଆକ୍ରମଣରେ ଆହତ ହୋଇ ଲୋକ ଉତ୍ତମ ଚିକିତ୍ସା ପାଇଁ ଏସ୍ସିବିକୁ ଆସୁଛନ୍ତି। ସେମାନଙ୍କ ଚିକିତ୍ସା ସଂପର୍କିତ ରେକର୍ଡ ଏସ୍ସିବି ରେକର୍ଡ ରୁମ୍ରେ ରଖାଯାଇଥାଏ। ରୋଗୀଙ୍କ ମୃତ୍ୟୁ ହେଲେ ତାର ପ୍ରମାଣପତ୍ର ହେଉ କି ଅଦାଲତରେ ଗଡ଼ୁଥିବା ମାମଲାରେ ମୃତାହତଙ୍କ ଚିକିତ୍ସା ସଂପର୍କିତ ରେକର୍ଡ ବିଭିନ୍ନ ସମୟରେ ଆବଶ୍ୟକ ପଡ଼ିଥାଏ। ୧୯୮୪ରୁ ଆଜବେଷ୍ଟସ ଘରେ ଚାଲିଛି ଏସ୍ସିବିର ରେକର୍ଡ ରୁମ୍। କିନ୍ତୁ ତାହା ଅସୁରକ୍ଷିତ ଓ ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ି ରହିଥିବାରୁ ଏଥିରେ ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି। ଧୀରେ ଧୀରେ ସ୍ଥିତି ଏମିତି ହେଲାଣି ଯେ ରେକର୍ଡ ଖୋଜିବା ବି ଆଉ ସମ୍ଭବ ହେଉ ନାହିଁ। ମେଡିକୋଲିଗାଲ ରେକର୍ଡ, ଏମ୍ଏଲ୍ସି ଇତ୍ୟାଦି ରେକର୍ଡ ରୁମ୍ରେ ଗଦା ହୋଇ ରହିଛି। ସବୁ ବିଭାଗର ନିଜସ୍ବ ରେକର୍ଡ ରୁମ୍ ଅବସ୍ଥା ବି ଏଭଳି ସ୍ଥିତିରେ ରହିଛି। ଏସ୍ସିବିର ରେକର୍ଡ ରୁମ୍ ଡିଜିଟାଇଜେସନ୍ ପାଇଁ ଏସ୍ସିବି କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନି। ୨୦୧୯ ଏପ୍ରିଲ ୪ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ରେକର୍ଡ ପାଉଁଶ ହୋଇଯାଇଥିଲା। ଏପଟେ ୧୯୯୯ ମହାବାତ୍ୟା ସମୟରେ ପୁରୁଣା କୋଠା ଭୁଶୁଡ଼ିବା ଫଳରେ ଅନେକ ରେକର୍ଡ ନଷ୍ଟ ହୋଇଥିଲା। ତେଣୁ ତୁରନ୍ତ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button