IBN ଓଡ଼ିଶା ବ୍ୟୁରୋ

ଆଲୁଅ-ଅନ୍ଧାରର କାହାଣୀ ଦୀପାବଳି

ବଡ଼ବଡୁଆ ହୋ,ଅନ୍ଧାରରେ ଆସ ଆଲୁଅରେ ଯା’,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଚ୍ଛେ ଗଡ଼ଗଡ଼ାଉ ଥା’…

ଦୀପାବଳି ଦିନ ଓଡ଼ିଶାରେ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳି ଏହା ଉଚ୍ଚାରଣ କରାଯାଇଥାଏ। ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରାଯାଇଥାଏ। ପୁଣି ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ଜାଳି ପିତୃଗଣଙ୍କ ଆଶୀର୍ବାଦ କାମନା କରିବା ପରମ୍ପରା ବି ରହିଛି।

ତେବେ ଦୀପାବଳି ପାଳନର ଉତ୍ପତ୍ତି ବିଷୟରେ ଅନେକ ପୌରାଣିକ ମତ ଓ ଐତିହାସିକ ତଥ୍ୟ ରହିଛି। ପୁରାଣ କହେ, ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ନିଧନ କରି ଦେବୀ ସୀତାଙ୍କ ସହ ଅଯୋଧ୍ୟା ପ୍ରବେଶ କଲାବେଳେ ସାରା ନଗ୍ରରେ ଦୀପ ଜାଳି ଶ୍ରୀରାମଙ୍କୁ ସ୍ବାଗତ କରାଯାଇଥିଲା। ଏଣୁ ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଦୀପାବଳି ପାଳନ କରାଯାଏ ବୋଲି ପ୍ରବାଦ ରହିଛି। ସେହିପରି ଦୀପାବଳିରେ ସମଗ୍ର ଭାରତରେ ଦେବୀ ପୂଜା ହୁଏ। ଉତ୍ତର ଭାରତରେ ମାଆ ଲକ୍ଷ୍ମୀଙ୍କ ପୂଜା ହେଉଥିବା ବେଳେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ବିହାରରେ ମାଆ କାଳୀଙ୍କୁ ପୂଜା କରାଯାଏ।

ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ପ୍ରବଳପ୍ରତାପୀ ନରକାସୁରକୁ ବଧ କରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କଲାପରେ ଇନ୍ଦ୍ରମାତାଙ୍କୁ ନରକାସୁର ଅପହୃତ କରିଥିବା ମଣିକୁଣ୍ଡଳ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ବର୍ଗ ଯାତ୍ରା କରନ୍ତି। ସତ୍ୟଭାମାଙ୍କ ଅନୁରୋଧକ୍ରମେ ପାରିଜାତ ବୃକ୍ଷ ଚାରା ଆଣିବାକୁ ଗଲାବାଟରେ ଇନ୍ଦ୍ରାଦି ଦେବତା ବାଧା ଦିଅନ୍ତି। ସମସ୍ତ ଦେବତାଙ୍କୁ ଏକାକୀ ପରାଜିତ କରି ପାରିଜାତ ବୃକ୍ଷ ଓ ବିପୁଳ ଧନରତ୍ନ ନେଇ ଦ୍ବାରକା ଫେରନ୍ତି ଶ୍ରୀକୃଷ୍ଣ। ଏଣୁ ଦ୍ବାରକାବାସୀ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବା ପାଇଁ ସାରା ନଗରରେ ପ୍ରଦୀପ ଜାଳି, ବାଣ ଫୁଟାଇ ଉତ୍ସବ ମନାଇଥିଲେ। ଏହି ଦିନକୁ ନରକ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ।

ଜୈନ ଧର୍ମାବଲମ୍ବୀ ଦୀପାବଳିକୁ ମହାବୀରଙ୍କ ନିର୍ବାଣ ଦିବସ ଭାବେ ପାଳନ କରନ୍ତି। କାରଣ ଏହିଦିନ ୨୪ ତୀର୍ଥଙ୍କର ମହାବୀରଙ୍କ ମହାପ୍ରୟାଣ ଘଟିଥିଲା। ତାଙ୍କ ପରେ ଏ ପୃଥିବୀକୁ ଆଉ କିଏ ଜ୍ଞାନାଲୋକ ଦେବ ଭାବି ଭକ୍ତମାନେ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିବାରୁ ଦୀପାବଳି ଦିନ ଆଲୋକ ଜଳାଇବାର ବିଧି ରହିଛି ବୋଲି ଜଣାଯାଏ। ଭାରତ ଇତିହାସର ଏକ ଆଖ୍ୟାନ ଅନୁସାରେ, ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଦ୍ବାରା ଶିଖ୍ ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀ ଭାବେ କାରାଗାରରେ ଥିଲେ। ଶିଖ୍ ଧର୍ମାବଲମ୍ବୀଙ୍କ ପ୍ରତିବାଦ ପରେ ସେ ମୁକ୍ତ ହେଲେ। ତାଙ୍କୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ସେତେବେଳେ ସଂପୂର୍ଣ୍ଣ ସ୍ବର୍ଣ୍ଣ ମନ୍ଦିରକୁ ଦୀପରେ ସଜାଯାଇଥିଲା। ଦୀପାବଳି ଦିନ ଗୁୁରୁ କାରାମୁକ୍ତ ହୋଇଥିବାରୁୁ ଶିଖ୍ ସଂପ୍ରଦାୟ ଏହି ଦିନଟିକୁ ଷଷ୍ଠଗୁରୁଙ୍କ ବନ୍ଦୀଛୋଡ୍ ଦିବସ ଭାବେ ପାଳନ କରିଆସୁଛନ୍ତି। ଏହାଛଡ଼ା, ଦୀପାବଳି ବେଳକୁ କୃଷିସମୃଦ୍ଧ ରାଜ୍ୟ ଓଡ଼ିଶାରେ ଅମଳଋତୁ ଆରମ୍ଭ ହୋଇଥାଏ। ତେଣୁ, କ୍ଷେତ ଓ ଗାଁଗଣ୍ଡାରେ ପୋକଜୋକ ଓ କୀଟପତଙ୍ଗ ସଂଖ୍ୟା ବୃଦ୍ଧି ହୁଏ। ଖାସ୍କରି କାର୍ତ୍ତିକ ମାସ ଅମାବାସ୍ୟା ପକ୍ଷରେ ସେମାନଙ୍କ ଦାଉ ଅସମ୍ଭାଳ ହୁଏ। ସେମାନଙ୍କୁ ଦମନ କରିବା ପାଇଁ ଆଗରୁ ଲୋକେ ନିମ୍ବପତ୍ର ଓ ମଶାଲ ଜାଳୁଥିଲେ। ଏହା ଏକ ଉତ୍କୃଷ୍ଟ ଉପାୟ ବୋଲି ଅନେକ ଗବେଷକ ସ୍ବୀକାର କରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button