ଖେଳ

ଓଡ଼ିଶା ଏଫ୍‌ସି-ମୁମ୍ବାଇ ସିଟି ଏଫ୍‌ସି ଆଜି

ଭୁବନେଶ୍ବର: ଘରୋଇ ପରିବେଶରେ ଇଷ୍ଟ୍ବେଙ୍ଗଲ୍ ଏଫ୍ସିକୁ ରୋମାଞ୍ଚକର ଢଙ୍ଗରେ ୨-୧ ଗୋଲ୍ରେ ହରାଇବା ପରେ ଓଡ଼ିଶା ଏଫ୍ସି ରବିବାର ମୁମ୍ବାଇରେ ମୁମ୍ବାଇ ସିଟି ଏଫ୍ସିକୁ ଭେଟିବ। ଆଇଏସ୍ଏଲ୍ର ଏହି ମହତ୍ତ୍ବପୂର୍ଣ୍ଣ ମୁକାବିଲା ମୁମ୍ବାଇ ଫୁଟ୍ବଲ୍ ଏରିନାରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ରେ ଲଗାତାର ପରାଜୟ ବରଣ କରିବା ପରେ ପରବର୍ତ୍ତୀ ତିନିଟି ମ୍ୟାଚ୍ରୁ ୭ ପଏଣ୍ଟ୍ ଅର୍ଜନ କରି ଓଡ଼ିଶା ଏଫ୍ସି ଏବେ ପୂରା ଫର୍ମରେ ରହିଛି।

ମୁମ୍ବାଇ ସିଟି ଏଫ୍ସି ବିପକ୍ଷରେ ମଧ୍ୟ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ରକ୍ଷଣଭାଗ ତାରକା କାର୍ଲୋସ୍ ଡେଲଗାର୍ଡୋଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଦଳର ଆତ୍ମବିଶ୍ବାସକୁ ଉଚ୍ଚରେ ରଖିଛି। ଅନ୍ୟପକ୍ଷରେ ଏକାଧିକ ପ୍ରାରମ୍ଭିକ ଝଟ୍କା ପରେ ଗୋଆ ଏଫ୍ସିକୁ ୨-୧ରେ ପରାସ୍ତ କରି ବିଜୟ ଧାରାକୁ ଫେରିଛି। ତଥାପି ଓଡ଼ିଶା ଏଫ୍ସି ପାଞ୍ଚଟି ମ୍ୟାଚ୍ରୁ ଦୁଇଟି ବିଜୟ, ଗୋଟିଏ ଡ୍ର’ ଓ ଦୁଇଟି ପରାଜୟ ସହ ପଏଣ୍ଟ୍ ତାଲିକାର ସପ୍ତମ ସ୍ଥାନରେ ଥିଲାବେଳେ ମୁମ୍ବାଇ ସିଟି ଏଫ୍ସି ଚାରିଟି ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ, ଦୁଇଟି ଡ୍ର’ ଓ ଗୋଟିଏ ପରାଜୟ ସହ ନବମ ସ୍ଥାନରେ ରହିଛି।

ଏହି ମ୍ୟାଚ୍ ପୂର୍ବଦିନ ଅନ୍ଲାଇନ୍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେରା କହିଛନ୍ତି, ନିକଟ ଅତୀତ ପ୍ରଦର୍ଶନରେ ଆମେ ବେଶ୍ ଖୁସି ଅଛୁ, ତଥାପି ଉନ୍ନତିର ଅବକାଶ ଥିବା କଥାକୁ ସ୍ବୀକାର କରୁଛୁ। ପ୍ରତି ମ୍ୟାଚ୍ ନୂଆ ଆହ୍ବାନ ନେଇ ଆସିଥାଏ। ମୁମ୍ବାଇ ସିଟି ଏଫ୍ସି ଆମକୁ ନିଶ୍ଚିତ ପରୀକ୍ଷାରେ ପକାଇବ। ଆମେ ଆତ୍ମବିଶ୍ବାସରେ ଭରପୂର ଅଛୁ, ଧ୍ୟାନ ଏପଟ ସେପଟ ହେବାକୁ ଆଦୌ ଦେବୁନି। ସୂଚନାଯୋଗ୍ୟ ଯେ ଏହି ମ୍ୟାଚ୍ ରାତି ୭ଟା ୩୦ରେ ଆରମ୍ଭ ହେବ ଏବଂ ସ୍ପୋର୍ଟସ ୧୮ ଓ ଜିଓ ସିନେମାରେ ପ୍ରସାରିତ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button