ଖେଳ

ଭାରତକୁ ସୁଲ୍‌ତାନ୍‌ ଜୋହର୍ କପ୍ କାଂସ୍ୟ

ଜୋହର ବାହରୁ: କ୍ରିକେଟ୍ ପଡ଼ିଆରେ ଭାରତକୁ ଶନିବାର ନ୍ୟୁଜିଲାଣ୍ଡ ହରାଇ ଇତିହାସ ରଚିଛି। ହକି ଫିଲ୍ଡରେ କିନ୍ତୁ ନ୍ୟୁଜିଲାଣ୍ଡକୁ ଭାରତ ହରାଇ ଏହାର ମଧୁର ପ୍ରତିଶୋଧ ନେଇଛି। ସେହିଭଳି ଘରୋଇ କ୍ରୀଡ଼ାପ୍ରେମୀଙ୍କ ମନରେ ଏହି ଅପ୍ରତ୍ୟାଶିତ କ୍ରିକେଟ୍ ପରାଜୟ ପାଇଁ ଲାଗିଥିବା ଆଘାତକୁ କିଛି ମାତ୍ରାରେ ଦୂର କରିଛି ଭାରତୀୟ ହକି ଦଳ।

ଏଠାରେ ଆୟୋଜିତ ସୁଲ୍ତାନ୍ ଅଫ୍ ଜୋହର କପ୍ ପ୍ରତିଯୋଗିତାରେ ଭାରତ ଓ ନ୍ୟୁଜିଲାଣ୍ଡ କାଂସ୍ୟ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତ ସୁଟ୍ଆଉଟ୍ରେ ନ୍ୟୁଜିଲାଣ୍ଡକୁ ୩-୨ (୨-୨) ଗୋଲ୍ରେ ହରାଇ ପ୍ରଥମ ତିନି ସ୍ଥାନରେ ରହିବାର ଗୌରବ ଲାଭ କରିଥିଲା। ଭାରତୀୟ ଗୋଲ୍ ରକ୍ଷକ ବିକ୍ରମଜିତ ସିଂହ ଅସାଧାରଣ ଏକାଗ୍ରତାର ପରିଚୟ ଦେଇ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ତିନିଟି ସଟ୍କୁ ରୋକିବା ସହ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସେହିଭଳି ଭାରତ ପକ୍ଷରୁ ଗୁରଜ୍ୟୋତ ସିଂହ, ମନମୀତ ସିଂହ ଓ ସୌରଭ ଆନନ୍ଦ ସୁଟ୍ଆଉଟ୍ରେ ସଫଳତାର ସହ ଗୋଲ୍ କରି ନ୍ୟୁଜିଲାଣ୍ଡ ପଞ୍ଝାରୁ ପଦକ ଛଡ଼ାଇ ଆଣିଥିଲେ। ଏହା ପୂର୍ବରୁ ନିର୍ଦ୍ଧାରିତ ସମୟରେ ଦିଲରାଜ ସଂହ (୧୧ ମିନିଟ୍) ଓ ମନମୀତ ସିଂହ (୨୦ ମିନିଟ୍) ପ୍ରଥମ ଦୁଇ କ୍ବାର୍ଟରରେ ଦୁଇଟି ଗୋଲ୍ ଦେଇ ଭାରତକୁ ଆଗୁଆ ରଖିଥିଲେ। ତେବେ ନ୍ୟୁଜିଲାଣ୍ଡ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଓଏନ୍ ବ୍ରାଉନ୍ (୫୧ ମିନିଟ୍) ଓ ଜଣ୍ଟି ଏମ୍ସ (୫୭ ମିନିଟ୍)ରେ ୬ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍କୁ ବରାବର ସ୍ଥିତିକୁ ନେଇ ଆସିଥିଲେ। ସୁଟ୍ଆଉଟ୍ରେ କିନ୍ତୁ ଭାରତ ବାଜି ମାରି ନେଇ ପୋଡିୟମ୍ ଫିନିସ୍ ପାଇଥିଲା। ଅନ୍ୟପକ୍ଷରେ ଫାଇନାଲ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ୩-୨ ଗୋଲ୍ରେ ହରାଇ ଗ୍ରେଟ୍ ବ୍ରିଟେନ୍ ବିଜେତା ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button